ମନୋରଞ୍ଜନ

ବଡ଼ ଧୁମଧାମରେ ପାଳନ ହେଉଛି ମା’ ସୁନାଦେଈଙ୍କ ଛତର ଯାତ୍ରା, ସାମିଲ ହୋଇଛନ୍ତି ଲକ୍ଷାଧିକ ଭକ୍ତ

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ଈଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ । ପ୍ରତିବର୍ଷ ଆଶ୍ବିନ କୁମାର ପୂର୍ଣିମା ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ସୁନାଦେଈଙ୍କ  ଛତର ଯାତ୍ରାକୁ ସୁନାବେଡାର ଜନଜାତିମାନେ ବଡ଼ ଧୁମଧାମରେ ପାଳନ କରିଆସୁଛନ୍ତି । ମା’ ସୁନାଦେଈଙ୍କ ଛତର ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ସୁନାବେଡା ଅଞ୍ଚଳର ୮୪ଟି ଗାଁର ଚକୋଟିଆ ଭୁଂଜିଆ, ପହରିଆ ଓ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବର୍ଷ ବର୍ଷ ଧରି ମା’ ସୁନାଦେଈଙ୍କୁ ପୂଜା କରିଆସୁଛନ୍ତି । ସୁନାବେଡା ଗାଁର ଝାଙ୍କର, ପୂଜାରୀ ମା’ ସୁନାଦେଈଙ୍କ ଛତର ଧରି ବାଜାଗାଜା ସହ ଲିଂଗଭଟା ସ୍ଥିତ ମୁଖ୍ୟ ପୀଠକୁ ଯାଇଥାନ୍ତି । ସେଠାରେ ଦେବୀଙ୍କ ଷୋଡଶ ଉପଚାରରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଇଥାଏ । ଯେଉଁ ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ସେମାନେ ମା’ ସୁନାଦେଈଙ୍କ ନିକଟରେ ପୂଜା କରିଥାନ୍ତି । ସୁନାଦେଈଙ୍କ ଯାତ୍ରା ନହେବା ଯାଏଁ ଜନଜାତି ଲୋକମାନେ ଜଙ୍ଗଲରୁ କୌଣସି ଜଙ୍ଗଲଜାତ ସାମଗ୍ରୀ ଓ ନୂଆଧାନର ଅନ୍ନକୁ ସ୍ପର୍ଶ କରନ୍ତି ନାହିଁ ।

ଚଳିତବର୍ଷ ମା’ ସୁନାଦେଈଙ୍କ ଛତର ଯାତ୍ରାକୁ ବହୁ ଯାକଜମକରେ ପାଳନ କରାଯାଇଛି । ସେହିଭଳି ପ୍ରଶାସନ ପକ୍ଷରୁ ଏ ବର୍ଷ ମା’ ସୁନାଦେଈଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇଛି । ବିଶେଷ କରି ଛତର ଯାତ୍ରାରେ ନିଃସନ୍ତାନ ଦମ୍ପତିମାନେ ଶହ ଶହ ସଂଖ୍ୟାରେ ଆସି ଅଧିଆ ପଡିଥାନ୍ତି ।

ଚଳିତବର୍ଷ ନୂତନ ଭାବେ ନିର୍ମାଣ ହୋଇଥିବା ମା’ ସୁନାଦେଈଙ୍କ ମନ୍ଦିରକୁ ଦେଖିବା ସହ ମା’ଙ୍କ ଛତର ଯାତ୍ରାରେ ସାମିଲ ହେବା ପାଇଁ ନୂଆପଡା ଜିଲ୍ଲା ସମେତ ପଡୋଶୀ କଲାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ସହ ପଡୋଶୀ ଛତିଶଗଡ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ଲକ୍ଷାଧିକ ଭକ୍ତଙ୍କ ଭିଡ ନିୟନ୍ତ୍ରଣର ସୁବିଧା କରାଯାଇ ନଥିବାରୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦେବୀଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ । ଏନେଇ ଭକ୍ତମାନେ ତୀବ୍ର ଅସନ୍ତୋଷ ପକାଶ କରିଛନ୍ତି ।

ମା’ ସୁନାଦେଈଙ୍କ ପୂଜା ଦଶହରାଠାରୁ ଆରମ୍ଭ ହୋଇ ଦେବୀଙ୍କ ଛତର ଯାତ୍ରା ହେବା ପରେ ଶେଷ ହୋଇଥାଏ । ଦେବୀଙ୍କ ଛତର ଯାତ୍ରା ଅବସରରେ ମନ୍ଦିର ପରିସରରେ ବିରାଟ ଆନନ୍ଦ ବଜାର ବସିଥାଏ । ଲୋକେ ବିଭିନ୍ନ ସାମଗ୍ରୀ କିଣାବିକା କରିବା ସହ ସ୍ବାଦିଷ୍ଟ ଖାଦ୍ୟର ମଜା ନେଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button