ବିଚାର

ଭକ୍ତଙ୍କ ମନୋସ୍କାମନା ପୂରଣ କରନ୍ତି ବୋଲି ବାବାଙ୍କ ନାମ କାମେଶ୍ଵର, ପ୍ରତିଦିନ ଜମେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ବାବା କାମେଶ୍ବର । କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ଓ ମାର୍ଶାଘାଇ ବ୍ଲକ ମଧ୍ୟସ୍ଥଳରେ ଜିରାଳ ରସିଲାବାଦ ପାଟ ମଝିରେ ପୂଜା ପାଇଆସୁଛନ୍ତି କାମେଶ୍ବର ମହାଦେବ । ଯୁଗ ଯୁଗ ଧରି ଭକ୍ତମାନଙ୍କ ମନସ୍କାମନା ପୂରଣ କରୁଥିବାରୁ ବାବା କାମେଶ୍ବର ନାମରେ ବିଖ୍ୟାତ । ବାବାଙ୍କ ପାଖକୁ ଯିଏ ଯେତେବେଳେ ଯେଉଁ କାମନା ରଖି ଧାଇଁ ଆସେ, ଖାଲି ହାତରେ ଫେରେ ନାହିଁ । ତେଣୁ ବାବାଙ୍କର ପୀଠରେ ସଦସାସର୍ବଦା ଲାଗିରହୁଛି ଭକ୍ତଙ୍କ ଭିଡ଼ । କିମ୍ବଦନ୍ତୀରୁ ଜଣାଯାଇଛି- ଜଣେ ଗୋପାଳ ଗାଇଚରାବାକୁ ଜିରାଳ ରସିଲାବାଦ ପାଟକୁ ଆସନ୍ତି ।

ଗୋପାଳଙ୍କର ଏକ କାଳିଗାଈ ବେଣା ଜଙ୍ଗଲ ଭିତରେ ସବୁବେଳେ ଆପେ ଆପେ ଖିର ଦେଇ ଘରକୁ ଫେରେ । ଗୋପାଳ ଦିନେ ଗାଈର ପିଛା କରି ଏଭଳି ଘଟଣା ଦେଖିଲେ । ପରେ ଗୋପାଳ ଏକ କୋଦାଳରେ ବେଣାମୂଳ ତାଡିଥିଲେ । କୋଦାଳ ଚୋଟ ଲିଙ୍ଗର ଅଗ୍ରଭାଗରେ ବାଜି ରକ୍ତଶ୍ରାବ ହେଲା । ଆଉ ତିନିଭାଗ ହୋଇଗଲା ଲିଙ୍ଗ । ଗୋପାଳ ଭୟଭୀତ ହୋଇ ଗାଁକୁ ଦୌଡିଲେ । ଏହି ଖବର ତତ୍କାଳୀନ ଜମିଦାରଙ୍କ ପାଖରେ ପହଞ୍ଚିଲା । ଜମିଦାର ବଣିଆ ଡକାଇ ଏକ ତମ୍ବା ପାତରେ ଲିଙ୍ଗକୁ ବାନ୍ଧି ପୂଜାର୍ଚ୍ଚନା ଆରମ୍ବ କଲେ ।

ପୁରା ବ୍ରାହ୍ମଣ ଶାସନରୁ କିଛି ବ୍ରାହ୍ମଣ ଅଣାଇ ବାବାଙ୍କ ପୂଜାର୍ଚ୍ଚନା ପାଇଁ ଖଞ୍ଜା କରାଇଲେ । ବ୍ରାହ୍ମଣମାନଙ୍କ ପାଇଁ ଘରଢିଅ ଓ ଜମିବାଡ଼ି ଖଞ୍ଜାଇଲେ ଜମିଦାର । ସେତେବେଳେ ଜଣେ ଲୋକ ଦୁରାରୋଗ୍ୟ ରୋଗରେ ପୀଡିତ ହୋଇ ମହାଦେବଙ୍କ ନିକଟରେ ଅଧିଆ ପଡି ଆରୋଗ୍ୟ ହେଲେ । ବାବା ଭକ୍ତର ମନସ୍କାମନା ପୂର୍ଣ୍ଣ କରିବାରୁ ମହାଦେବଙ୍କ ନାମ ହେଲା କାମେଶ୍ବର ।

ବାବା ପାଟ ମଝିରେ ପଥର ବେଢାଭିତରେ ରହି ଭକ୍ତମାନଙ୍କୁ ଦର୍ଶନ ଦେଉଥିଲେ । ୨୦୦୦ ମସିହାରେ ଜଣେ ଭକ୍ତ ମନ୍ଦିର ତୋଳାଇଲେ।ବାବା ଭର୍ଗଗୃହରେ ପୂଜା ପାଉଥିବା ବେଳେ ଆଉ ଜଣେ ଭକ୍ତ ମନ୍ଦିର ବେଢାରେ ମାଆ ପାର୍ବତୀଙ୍କ ମନ୍ଦିର ତୋଳାଇଥିଲେ । ସେଠାରେ ମାଆଙ୍କୁ ବିଜେ କରାଇ ପୂଜାର୍ଚ୍ଚନା କରାଯାଉଛି । ବାବାଙ୍କର ବାରମାସରେ ତେର ପର୍ବ ସୂଚାରୁ ରୂପେ ପାଳନ କରାଯାଉଛି । ମୁଖ୍ୟ ପର୍ବ ହେଉଛି ଜାଗର । ଜାଗର ପୂର୍ବଦିନ ଠାରୁ ପଞ୍ଚଦିନ ପର୍ଯ୍ୟପନ୍ତ ପୀଠରେ ବିଶ୍ବସାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ ।

ଅନ୍ୟ ପର୍ବପର୍ବାଣୀ ମଧ୍ୟରେ ବଡ଼ଓଷା, ଶୀତଳଷଷ୍ଠୀ ଧୁମଧାମରେ ପାଳନ କରାଯାଏ । ପ୍ରତିବର୍ଷ ଶ୍ରାବଣ ସୋମବାରେ ବାବାଙ୍କ ଠାରେ ଜଳାଭିଷେକ କରିବା ପାଇଁ ହଜାର ହଜାର କାଉଡିଆ ଭିଡ ଜମାଇଥାନ୍ତି । ଅଧିକ ମହିଳା କାଉଡିଆ ଜଳାଭିଷେକ କରିଥାନ୍ତି । ସମସ୍ତ କାଉଡିଆଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ବ୍ୟବସ୍ଥା କରାଯାଇଥାଏ ।

ଆଖୁଆ ଓଡଙ୍ଗ ଛକରୁ ପୁନ୍ଦାଳ ଦେଇ ଜିରଳ ଗଲେ ପଡିବ ଏହି ଶୈବପୀଠ । କୋରୁଆ ପଟୁ ଗଲେ ତିକନପୁରୁ ପରେ ପଡେ ଏହି ପୀଠ । ଗରଦପୁରୁ ଠାରୁ ଚିତ୍ରୋତ୍ପଳା ନଦୀ ପୋଲ ପାର ହୋଇ ପହଣାପନ୍ଦିଆ ପରେ ପଡେ ଏହି ପୀଠ । ଜମପଡା ପଟରୁ ଗଲେ ଉଦୟଗିରି ପରେ ପଡେ ଏହି ପୀଠ । ଏହି ଶୈବପୀଠକୁ ଚାରିପଟରୁ ରାସ୍ତା ଥିବାରୁ ପ୍ରତିଦିନ ପ୍ରବଳ ଭିଡ ଲାଗିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button