ବିଚାର

ଶ୍ରାବଣରେ ରୁଦ୍ରାକ୍ଷ ପିନ୍ଧିବାର ମହତ୍ତ୍ବ, ଜାଣନ୍ତୁ କେଉଁ ସମୟରେ ପିନ୍ଧିଲେ ମିଳିବ ଲାଭ

ରୁଦ୍ରାକ୍ଷ ହେଉଛି ଶିବଙ୍କର ପ୍ରିୟ ଅଳଙ୍କାର । ଦେବ ଦେବ ମହାଦେବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ଏହି ଶ୍ରାବଣ ମାସରେ ରୁଦ୍ରାକ୍ଷ ପିନ୍ଧିଲେ ଭଗବାନ ଶିବ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ରୁଦ୍ରାକ୍ଷକୁ ଧାରଣ କରିବା ବା ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି  । ଏହା ସହିତ ଜୀବନରେ ରହିଥିବା ଯେକୌଣସି ସମସ୍ୟାର ସମାଧାନ ମିଳେ । ରୁଦ୍ରାକ୍ଷ କୌଣସି ରତ୍ନ ଠାରୁ କମ ନୁହେଁ ।

ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ମଧ୍ୟରେ ଗଭୀର ସମ୍ପର୍କ ଅଛି । ଭଗବାନ ଶିବଙ୍କ ବିଷୟରେ ଅନେକ ପୌରାଣିକ କାହାଣୀ ଅଛି । ଆପଣ ଭଗବାନ ଶିବଙ୍କୁ ରୁଦ୍ରାକ୍ଷର ମାଳା ପିନ୍ଧିଥିବାର ନିଶ୍ଚୟ ଦେଖିଥିବେ । ଭଗବାନ ଶିବଙ୍କ ସହ ଏହା ଜଡିତ ଥିବାରୁ ରୁଦ୍ରାକ୍ଷକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ । ରୁଦ୍ରାକ୍ଷ ପରିଧାନ କରିବା ଦ୍ୱାରା ଜୀବନରୁ ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଯାଇଥାଏ । ତେବେ ଏହି ରୁଦ୍ରାକ୍ଷ ବିଷୟରେ ଆସନ୍ତୁ ଜାଣିବା କିଛି ଖାସ୍ କଥା ।

ଶାସ୍ତ୍ର ଅନୁସାରେ ଜଗତର କଲ୍ୟାଣ ପାଇଁ ବହୁ ବର୍ଷ ତପସ୍ୟା ପରେ ଆଖି ଖୋଲିଥିଲେ ଭଗବାନ ଶଙ୍କର, ସେତେବେଳେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା । ଏହି ଲୁହରୁ ରୁଦ୍ରାକ୍ଷ ବୃକ୍ଷ ଜନ୍ମ ହୋଇଥିଲା । ରୁଦ୍ରାକ୍ଷକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଏହା ଦୁଇଟି ଶବ୍ଦ ଦ୍ୱାରା ଗଠିତ । ପ୍ରଥମ ଶବ୍ଦ ହେଉଛି ରୁଦ୍ର ଅର୍ଥାତ୍ ଭଗବାନ ଶିବ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ଅକ୍ଷ ଅର୍ଥାତ ଆଖି । ବିଶ୍ୱାସ କରାଯାଏ ଯେ ଭଗବାନ ଶିବଙ୍କ ଆଖିରୁ ଯେଉଁଠି ଲୁହ ଝରି ପଡିଥିଲା ସେଠାରେ ରୁଦ୍ରାକ୍ଷ ବୃକ୍ଷ ଉଠିଥିଲା । ବିଶ୍ବାସ ରହିଛି ଶିବ ରୁଦ୍ରାକ୍ଷରେ ବାସ କରନ୍ତି, ତେଣୁ ଶ୍ରାବଣ ମାସରେ ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତିଙ୍କ ମନସ୍କାମନା ନିଶ୍ଚିତ ଭାବେ ପୂର୍ଣ୍ଣ ହୋଇଥାଏ । କିନ୍ତୁ ଆପଣ ରୁଦ୍ରାକ୍ଷ ପିନ୍ଧିବା ପୁର୍ବରୁ କିଛି ନିୟମ ଜାଣିବା ଦରକାର । କେଉଁ ଦିନ କେଉଁ ସମୟରେ ରୁଦ୍ରାକ୍ଷ ପିନ୍ଧିବେ ଆସନ୍ତୁ ଜାଣିବା ।

ଶ୍ରାବଣ ମାସର ସୋମବାର, ଶିବରାତ୍ରି, ପ୍ରଦୋଷ ବ୍ରତ ଭଳି ଶୁଭଦିନରେ ରୁଦ୍ରାକ୍ଷ ପିନ୍ଧିବା ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ସର୍ବୋତ୍ତମ ସମୟ ହେଉଛି ସକାଳ । ଏହି ସମୟରେ ପରିବେଶ ପବିତ୍ର ଏବଂ ଶାନ୍ତ ରହିଥାଏ, ଯାହା ଦ୍ୱାରା ରୁଦ୍ରାକ୍ଷର ଶକ୍ତି ସହଜରେ ପ୍ରତିଫଳିତ ହୋଇପାରିବ।

ପ୍ରଥମେ ରୁଦ୍ରାକ୍ଷକୁ ଏକ ଲାଲ କପଡାରେ ରଖି ପୂଜା ସ୍ଥାନ କିମ୍ବା ଶିବଲିଙ୍ଗ ଉପରେ ରଖନ୍ତୁ ଏବଂ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ପରେ ଏହାକୁ ଗଙ୍ଗାଜଳରେ ଧୋଇ ପଞ୍ଚାମୃତରେ ବୁଡ଼ାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପରେ ଏହାକୁ ପିନ୍ଧନ୍ତୁ ।

ରୁଦ୍ରାକ୍ଷକୁ ସର୍ବଦା ଲାଲ ସୂତାରେ ପିନ୍ଧାଯାଏ । ଏହାକୁ ପିନ୍ଧିବା ପରେ ସାତ୍ତ୍ୱିକ ନୀତି ପାଳନ କଲେ ହିଁ ଆପଣଙ୍କୁ ଏହାର ଫଳ ମିଳିବ ନଚେତ୍ ଏହା ଅଶୁଦ୍ଧ ହୋଇଯିବ । ଧାର୍ମିକ ବିଶ୍ୱାସ ରହିଛି ଯେ ରୁଦ୍ରାକ୍ଷ ପିନ୍ଧିବାର ୭ କିମ୍ବା ୨୧ ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କିନ୍ତୁ ଏଥିପାଇଁ ଆପଣଙ୍କ ଜୀବନଶୈଳୀରେ ନିୟମ ପାଳନ କରିବା ବହୁତ ଜରୁରୀ, ପରେ ହିଁ ଆପଣ ଏହାର ଫଳ ପାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button