ସ୍ୱାସ୍ଥ୍ୟ

ପୁରୁଷଙ୍କ ପାଇଁ ପ୍ରଥମ ଗର୍ଭନିରୋଧକ ଇଞ୍ଜେକସନ୍‌, ଥରେ ନେଲେ ୧୩ ବର୍ଷ ପର୍ଯ୍ୟନ୍ତ କରିବ କାମ

ଅନିଚ୍ଛାକୃତ ଗର୍ଭଧାରଣକୁ ରୋକିବା ପାଇଁ ସାଧାରଣତଃ ମହିଳାଙ୍କୁ ଗର୍ଭନିରୋଧକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଏଥିପାଇଁ ବିଭିନ୍ନ ପ୍ରକାରର ବିକଳ୍ପ ମଧ୍ୟ ରହିଛି। କିନ୍ତୁ ପୁରୁଷଙ୍କ ପାଇଁ ଏକମାତ୍ର ବିକଳ୍ପ ରହିଛି କଣ୍ଡୋମ୍‌। ଏହା ବ୍ୟତୀତ ଅନ୍ୟ ଏକ ବିକଳ୍ପ ରହିଛି ପାରମ୍ପରିକ ନସବନ୍ଦୀ। କିନ୍ତୁ ବର୍ତ୍ତମାନ ପୁରୁଷଙ୍କ ପାଇଁ ଏକ ନୂଆ ବିକଳ୍ପ ଆସିଛି। ପୁରୁଷଙ୍କ ପାଇଁ ଏବେ ଗର୍ଭନିରୋଧକ ଇଞ୍ଜେକସନ୍‌ ଉପଲବ୍ଧ ହେଲାଣି। ଆସନ୍ତୁ ଜାଣିବା ଏହାର ବ୍ୟବହାର ପ୍ରଣାଳୀ

ପୁରୁଷଙ୍କ ପାଇଁ ଦୁନିଆର ପ୍ରଥମ ଗର୍ଭନିରୋଧକ ଇଞ୍ଜେକସନ୍‌ ଏବେ ଉପଲବ୍ଧ ହୋଇଛି। ଏହି ଇଞ୍ଜେକସନ୍‌ର କ୍ଲିନିକାଲ ଟ୍ରାଏଲ୍‌ କରାଯାଇସାରିଛି ଓ ଏହା ସଫଳ ମଧ୍ୟ ହୋଇଛି। ବୈଜ୍ଞାନିକଙ୍କ କହିବାନୁସାରେ ଏହି ଇଞ୍ଜେକସନ୍‌କୁ ୩୦୦ ଜଣ ପୁରୁଷଙ୍କ ଉପରେ ପରୀକ୍ଷା କରାଯାଇଛି। ଏହାର କୌଣସି ପାରିପାର୍ଶ୍ୱିକ ପ୍ରତିକ୍ରିୟା ନଥିବା ଜଣାଯାଇଛି। ଏହା ପାରମ୍ପରିକ ନସବନ୍ଦୀର ବିକଳ୍ପ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏହି ଇଞ୍ଜେକସନ୍‌କୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ICMR)ର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି। ଏହି ଇଞ୍ଜେକସନକୁ ପୁରୁଷମାନେ ପେଟ ଓ ଜଙ୍ଘ ମଧ୍ୟସ୍ଥ ସ୍ଥାନରେ ନେବେ। ଲୋକାଲ ଆନାସ୍ଥେସିଆ ସହ ଏହି ଇଞ୍ଜେକସନ୍‌ ନେବାକୁ ପରାମର୍ଶ ଦିଆଯାଇଛି। ଥରେ ଇଞ୍ଜେକସନ୍‌ ନେଲେ ଏହା ୧୩ ବର୍ଷ ପର୍ଯ୍ୟନ୍ତ କାମ କରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ଗର୍ଭଧାରଣ କରିବାରେ ପୁରୁଷଙ୍କ ସ୍ପର୍ମ ବା ଶୁକ୍ରାଣୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଖାସ୍‌ କରି ପୁରୁଷଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଇଞ୍ଜେକସନ୍‌ ଶରୀରରେ ପଲିମର ଭଳି କାମ କରିବ। ଏହା ସ୍ପର୍ମର ଟେଷ୍ଟିକଲ୍ସକୁ ବାହାରକୁ ଆସିବାକୁ ଦେବନାହିଁ। ଏହା ଦ୍ୱାରା ସମ୍ବନ୍ଧ ପରେ ମଧ୍ୟ ମହିଳା ଗର୍ଭବତୀ ହେବେ ନାହିଁ।

ICMRର ବରିଷ୍ଠ ବୈଜ୍ଞାନିକ ଡା ଆର୍‌ଏସ୍‌ ଶର୍ମାଙ୍କ କହିବାନୁସାରେ ୩୦୩ ଜଣ ରୋଗୀଙ୍କଠାରେ ଏହି ଇଞ୍ଜେକସନ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ୯୭.୩ ପ୍ରତିଶତ ସଫଳ ହୋଇଛି। ଏହି ଇଞ୍ଜେକସନ୍‌ ଏବେ କେବଳ ସରକାରଙ୍କ ଅନୁମୋଦନ ଅପେକ୍ଷାରେ। ଏଥିପାଇଁ ୬ରୁ ୮ ମାସ ସମୟ ଲାଗିବ ବୋଲି ଜଣାଯାଇଛି। ତେବେ ଏହି ଇଞ୍ଜେକସନ୍‌ ବଜାରକୁ ଆସିଲେ ଭ୍ରୁଣହତ୍ୟା, ଅନିଚ୍ଛାକୃତ ଗର୍ଭଧାରଣ ଭଳି ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button