ଜୀବନଶୈଳୀ

କେମିତି ଭଲ ସମ୍ପର୍କ ରହିବ ମା, ପୁଅ ଓ ବୋହୂ ଭିତରେ ? ଜାଣନ୍ତୁ ପରିବାରକୁ ମଜଭୁତ କରିବାର ଉପାୟ

ବର୍ତ୍ତମାନର ଦୁନିଆରେ ଲୋକଙ୍କୁ ପରିବାର ସହ ସମୟ ବିତାଇବାକୁ ଫୁରସତ୍‌ ମିଳୁନାହିଁ। ଆଉ କିଛି ଲୋକଙ୍କୁ ସମୟ ମିଳୁଥିଲେ ମଧ୍ୟ ଚିନ୍ତାଧାରା ମିଶୁନଥିବାରୁ ସେମାନେ ପରିବାରର ବୟୋଜ୍ୟେଷ୍ଠଙ୍କ ସମୟ ବିତାଇବାକୁ ପସନ୍ଦ କରୁନାହାନ୍ତି। ଏହି କାରଣରୁ କେତେକ ପରିବାରରେ ବଡ଼ମାନଙ୍କ ସହ ସାନମାନଙ୍କର ସମ୍ପର୍କ ଏତେଟା ମଜଭୁତ୍‌ ହୋଇନଥାଏ। ଏଣୁ ଛୋଟ ଛୋଟ କଥାରେ ଝଗଡ଼ା ଓ ପରିବାର ମଧ୍ୟରେ ମାନ ଅଭିମାନ ଦେଖିବାକୁ ମିଳେ।

Image result for mother and adult son

ପତ୍ନୀ ଓ ମା’ଙ୍କ ଝଗଡ଼ା:

ଖାସ୍‌ କରି ବିବାହିତ ଲୋକଙ୍କ ଜୀବନରେ ଏହି ସମସ୍ୟା ଟିକେ ଅଧିକ ରହିଥାଏ। କାରଣ ବିବାହ ପରେ ମା’ଙ୍କୁ ଲାଗେ ଯେ ପୁଅ ବୋହୂକୁ ଅଧିକ ସମୟ ଦେଉଛି ବା ତା’ କଥା ଶୁଣୁଛି। ଅନ୍ୟପଟେ ବୋହୂକୁ ମଧ୍ୟ ସମାନ ଭାବନା ଆସିଥାଏ ଯେ ସ୍ୱାମୀ ତାଙ୍କ କଥା ନଶୁଣି ସବୁବେଳେ ଶାଶୁଙ୍କ କଥାରେ ପରିଚାଳିତ ହେଉଛନ୍ତି। ମା’ ଓ ସ୍ତ୍ରୀଙ୍କୁ ବୁଝାଇବାକୁ ଯାଇ ବିଚରା ପୁଅ ଫସିଥାଏ।

 

ବେଳେବେଳେ ଏହି ସାମାନ୍ୟ କାରଣରୁ ଗୋଟିଏ ଗୋଟିଏ ପରିବାର ଭାଙ୍ଗିଯାଉଥିବା ମଧ୍ୟ ନଜିର ରହିଛି। ଏଣୁ ଏଭଳି ପରିସ୍ଥିତିରେ ଉଭୟଙ୍କୁ ସମାନ୍ତରାଳ ଭାବେ ସମ୍ଭାଳିବା ପୁଅର କର୍ତ୍ତବ୍ୟ।

ମା’ ଏକୁଟିଆ ଥିଲେ:

ସମସ୍ୟା ସେତେବେଳେ ବଢ଼ିଯାଏ ଯେତେବେଳେ ମା’ ଏକୁଟିଆ ଥାଆନ୍ତି କିମ୍ବା ବିବାହ ବିଚ୍ଛେଦ ହୋଇଥାଏ କିମ୍ବା ବିଧବା ହୋଇଥାନ୍ତି। ଏଭଳି କ୍ଷେତ୍ରରେ ପୁଅକୁ ମା’ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ମା’ ହିଁ ତାଙ୍କୁ ଛୋଟରୁ ବଡ଼ କରିବାକୁ ନିଜ ଜୀବନର ସର୍ବସ୍ୱ ବାଜିରେ ଲଗାଇଦେଇଥାନ୍ତି। ଏଭଳି କ୍ଷେତ୍ରରେ ଯଦି ପୁଅ ମା’କୁ ଦୃଷ୍ଟି ନ ଦେଇ ସ୍ତ୍ରୀଙ୍କୁ ଗୁରୁତ୍ୱ ଦିଏ ତେବେ ସମ୍ପର୍କରେ ଫାଟ ସୃଷ୍ଟି ହେବା ସମ୍ଭାବନା ରହିଛି।

Image result for mother in law and daughter in law fight india

ସନ୍ତୁଳନ ରକ୍ଷା କରନ୍ତୁ:

ସମସ୍ତ ସମ୍ପର୍କକୁ ସମାନ ମର୍ଯ୍ୟାଦା ଦେଲେ ହିଁ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ମଜଭୁତ ହୋଇ ରହିଥାଏ। ଜଣେ ପୁରୁଷ ପାଇଁ ସ୍ତ୍ରୀ ପ୍ରଥମେ ଆସିବା ସ୍ୱାଭାବିକ, କିନ୍ତୁ ଆବଶ୍ୟକ ବେଳେ ସେ ମା’ଙ୍କୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ।

ମା’ମାନେ କ’ଣ କରିବା ଉଚିତ:

  • ଯଦି ଆଉ କାହା ମାଧ୍ୟମରେ ଆପଣ କାମ କରିପାରୁଛନ୍ତି ତେବେ ପୁଅକୁ ନିଜ ପାଇଁ କିଛି କରିବାକୁ ବାଧ୍ୟ କରନ୍ତୁ ନାହିଁ।
  • ପୁଅ ବୋହୂ ଯଦି କିଛି ଅସୁବିଧାରେ ପଡ଼ିଛନ୍ତି ତେବେ ତାଙ୍କୁ ସମସ୍ୟାରୁ ବାହାରିବା ଉପାୟ କୁହନ୍ତୁ। ଫଳରେ ସମ୍ପର୍କ ଆହୁରି ମଜଭୁତ ହେବ।

 

  • ପୁଅ ସହ ଯେମିତି ବ୍ୟବହାର କରୁଛନ୍ତି ବୋହୂ ସହ ମଧ୍ୟ ସେମିତି ବ୍ୟବହାର କରନ୍ତୁ। ବୋହୂକୁ ବୋହୂ ଭଳି ନୁହେଁ ଝିଅ ଭଳି ବ୍ୟବହାର କଲେ ସେ ବି ଆପଣଙ୍କୁ ମା’ର ସମ୍ମାନ ଦେବ।
  • ବୋହୂ ଯାହା ବି ଉପହାର ଦେଉଛନ୍ତି ତାହାକୁ ପ୍ରଶଂସା କରନ୍ତୁ। ପୁଅ ବା ବୋହୂ ଦେଉଥିବା ଗିଫ୍ଟକୁ ପିନ୍ଧି ତାଙ୍କୁ ଦେଖାନ୍ତୁ। ଯେମିତି ସେ ବି ବୁଝିପାରିବେ ଯେ ଆପଣ ତାଙ୍କ ଭାବନାକୁ ସମ୍ମାନ ଦେଉଛନ୍ତି।
  • ପୁଅକୁ ଉଭୟ ମା ଓ ପତ୍ନୀ ସହ ସମନ୍ଵୟ ରଖି ଚଳିବାକୁ ହେବ। ଉଭୟଙ୍କ ଭାବନାକୁ ସମ୍ମାନ ଦେବାକୁ ହେବ ।
  • ଦୁଇଟି ପିଢ଼ି ମଧ୍ୟରେ ରହିଥିବା ଫରକକୁ ନେଇ ଅନେକ ସମୟରେ ଶାଶୁ ଓ ବୋହୂ ଭିତରେ ମନାନ୍ତର ହୁଏ । ଏଥିରେ ସମାନତା ଆଣିବାକୁ ବୋହୂଙ୍କୁ ଟିକେ ଚତୁରତାର ସହ କାମ କରିବା ଦରକାର ।
  • ବୟସ ଦୃଷ୍ଟିରୁ ଶାଶୁଙ୍କୁ ସମ୍ମାନ ଦେବା ସହ ତାଙ୍କ କଥାକୁ ଗୁରୁତ୍ୱ ଦେଲେ ସେ ନିଶ୍ଚୟ ବୋହୂକୁ ନିଜର କରିନେବେ ।
  • ଅଧିକାଂଶ ସମୟରେ ପୁଅ ଘରେ ରହୁନଥିଲେ ଶାଶୁ ବୋହୂଙ୍କ ମଧ୍ୟରେ ତାଳମେଳ ରଖିବାକୁ ପରସ୍ପର ମନ ଜିଣିବା ହେବ ଏକ ବଡ଼ ସମାଧାନର ବାଟ ।
  • କୌଣସି କାମ କଲା ବେଳେ ଉଭୟ ମା ଓ ପତ୍ନୀଙ୍କୁ ପାଖରେ ବସାଇ ସେମାନଙ୍କ ପରାମର୍ଶ ନେଲେ ଉଭୟଙ୍କ ଗୁରୁତ୍ୱ ରହିବ ।
  • ମା ଯଦି ଅଭିମାନୀ ହୋଇଥାନ୍ତି ତେବେ ପୁଅକୁ ଟିକେ ଅଧିକ ଧ୍ୟାନ ଦେଇ ତାଙ୍କ କଥା ବୁଝିବାକୁ ପଡ଼ିବ। ଏପଟେ ପତ୍ନୀଙ୍କୁ ମା’ଙ୍କ ପ୍ରକୃତି ସମ୍ପର୍କରେ ବୁଝାଇ ଦେଲେ ଭଲ ହେବ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button