ଓଡିଶା

ହାତଗୋଡ଼ ବାନ୍ଧି ମହିଳାଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ, ଛୁରି ଜବତ

ଢେଙ୍କାନାଳ: ଘର ଭିତରେ ପଶି ମହିଳାଙ୍କ ହାତ, ଗୋଡ଼ ବାନ୍ଧିଦେଲା। ଛୁରି ଦେଖାଇ ଭୟଭୀତ କରି ଦୁଷ୍କର୍ମ କଲା। ରାତି ବଢ଼ିବା ପରେ ଯେତେବେଳେ ସହର ଶୋଇ ଯାଉଥିଲା, ସେତେବେଳେ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଗେଙ୍ଗୁଟିଆ ରେଳ ଓଭରବ୍ରିଜ୍ ତଳେ ଘଟିଥିଲା ଏପରି ଲୋମହର୍ଷଣକାରୀ ଘଟଣା। ପୀଡ଼ିତା ଆଜି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କାବୁ କରିଛି।

ସୂଚନା ମୁତାବକ, ପୀଡ଼ିତା ପୂର୍ବରୁ ଏକ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଥିଲେ। ଏବେ ସେ ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଗେଙ୍ଗୁଟିଆ ରେଳ ଓଭରବ୍ରିଜ୍ ତଳେ ଏକାକୀ ସେ ଭଡ଼ାଘର ନେଇ ରହୁଥିଲେ। ସେହି ନିକଟରେ ଥିବା ଏକ କାଠମିଲ୍‌ର ମିସ୍ତ୍ରି ହୃଷୀକେଶ ସାହୁ (୪୭) ତାଙ୍କ ଉପରେ ନଜର ରଖିଥିଲା। ଗତକାଲି ରାତି ୮ଟା ସମୟରେ ଅଭିଯୁକ୍ତ ସୁଯୋଗ ଉଣ୍ଡି ତାଙ୍କ ଘର ଭିତରେ ପଶି ଲୁଚି ରହିଥିଲା। ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ପୀଡ଼ିତା ଏଥିରେ ବାଧା ଦେବା ସହ ଚିତ୍କାର କରିବାରୁ କପଡ଼ା ପୂରାଇ ମୁହଁ ବନ୍ଦ କରି ଦେଇଥିଲା। ପୀଡ଼ିତାଙ୍କ ହାତଗୋଡ଼କୁ ବାନ୍ଧି ପକାଇବା ସହ ଛୁରି ଦେଖାଇ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ଆଜି ସକାଳେ ପୀଡ଼ିତା ସଦର ଥାନ‌ାରେ ପହଞ୍ଚି ଏତଲା ଦେଇଥିଲେ। ଏହି ଘଟଣା ଆଜି ସକାଳୁ ଢେଙ୍କାନାଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପୁଲିସ ଏତଲା ପାଇବା ପରେ କେସ୍‌ ନମ୍ବର ୪୮/୨୫ରେ ଏକ ମାମଲା ରୁଜୁ କରିଛି। ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଥମେ ଅଭିଯୁକ୍ତର ମୋବାଇଲ୍‌କୁ ଟ୍ରାକ୍‌ କରିଥିଲା। ସେ ସହର ଉପକଣ୍ଠ ଅଞ୍ଚଳରେ ଥିଲାବେଳେ ସାଦା ପୋଷାକରେ ପୁଲିସ ଟିମ୍‌ ଚଢ଼ଉ କରି ତାକୁ କାବୁ କରିନେଇଥିଲା। ଅଭିଯୁକ୍ତ ହୃଷୀକେଶର ଘର ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଶରଣକୋଟ ଗାଁରେ ବୋଲି ସଦର ଥାନାଧିକାରୀ ଦୀପକ ଲେଙ୍କା କହିଛନ୍ତି।

ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ବିଶ୍ୱାଳ, ସଦର ଥାନାଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଘଟଣାରେ ବ୍ୟବହୃତ ଛୁରିକୁ ପୁଲିସ ଜବତ କରିଛି। ଅପରାହ୍‌ଣରେ ଅଭିଯୁକ୍ତ ହୃଷୀକେଶକୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି। ପୁଲିସ ଉପସ୍ଥିତିରେ କିପରି ଗତକାଲି ରାତିରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରେ ପଶିଥିଲା, ତାହା ଦେଖାଇଥିଲା। ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲୁଥିଲାବେଳେ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button