Chilika Restoran: ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ସମ୍ମାନିତ କଲା ଲଣ୍ଡନରେ ଥିବା ଓଡିଶାର ଚିଲିକା ରେସ୍ତୋରାଁ
ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ସମ୍ମାନିତ କରିବା ପାଇଁ ଚିଲିକା ରେସ୍ତୋରାଁ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା । ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିବା । ସମ୍ପ୍ରତି ଚିଲିକା ରେସ୍ତୋରାଁ ‘ଇଂଲିସ୍ କରି ଆୱାର୍ଡ ୨୦୨୬’ର ବେଷ୍ଟ୍ ଅଫ୍ ଲଣ୍ଡନ ରେସ୍ତୋରାଁ ସମ୍ମାନ ହାସଲ କରିଛି । ଏଥିସହ ଲଣ୍ଡନ ବରୋ ଅଫ୍ ବେକ୍ସିଲିହିଥ୍ର ଅତ୍ୟନ୍ତ ପ୍ରଶଂସିତ ରେସ୍ତୋରାଁ ମଧ୍ୟରେ ଏହାକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି ।
ଏହି କାର୍ଯ୍ୟକ୍ରମରେ IREDAର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାସଙ୍କ ସମେତ ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଖେଳାଳି, ପ୍ରଶିକ୍ଷକ ଓ DCCIର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଚିଲିକାର ପ୍ରତିଷ୍ଠାତା ପାର୍ଥ ସାରଥୀ ପଣ୍ଡା ଓ ଶୁଭକାନ୍ତ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାରୋହରେ ଖେଳାଳିମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସ୍ୱାଗତ କରାଯାଇଥିଲା । ନିର୍ଦ୍ଦେଶିକା ଦେବସ୍ମିତା ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡିଶାର ବ୍ରିଟିଶ୍ ଉଦ୍ୟୋଗୀ, ନିବେଶକ ଏବଂ ଅବସରପ୍ରାପ୍ତ ସାମରିକ ଭେଟେରାନ୍ କ୍ୟାପଟେନ୍ ଅରୁଣ କର ରଣନୈତିକ ସହଯୋଗୀ ଭାବେ ସହାୟତା ପ୍ରଦାନ କରିଥିଲେ ।
ଚିଲିକାରେ ସମ୍ମାନିତ ଖେଳାଳିଙ୍କ ମଧ୍ୟରେ ଜୟେଶ୍ ପରମାର. ତରୁଣ, ରିଜୁଆନ୍ ଅଲତାଫ୍ ଭଟ୍ଟ, ଅର୍ଜୁନ ରାଜେଶ୍ ଗୱାରେ, କୁଲଦୀପ ସିଂ, ୟଶନାଥ ନାଇଡୁ ରାଭୁରି, ବିବେକ କୁମାର, ସୁଦର୍ଶନ ଏଲାଙ୍ଗୋଭାନ୍, ହିଲାଲ୍ ଅହମ୍ମଦ୍ ୱାନି, ସାଇଆକାଶ ସାଇଭାମଣୀ, ରବୀନ୍ଦ୍ର ଗୋପୀନାଥ ସାଣ୍ଟେ, ଯୋଗେନ୍ଦ୍ର ସିଂହ, ବୃଷାନ୍ତ ସନ୍ଦୀପ ଗଞ୍ଜାଲ୍, ରାଜେଶ୍ ଇରାପ୍ପା କନ୍ନୁର, ମଜିଦ୍ ଅହ ମାଗ୍ରେ ଏବଂ ଶିବ ଶଙ୍କର ଗୁଣ୍ଟିଗାନାପାଲ୍ଲୀ ସୁବାରାପ୍ପା ରହିଥିଲେ । ଦଳର ମୁଖ୍ୟ ପ୍ରଶିକ୍ଷକ ରୋହିତ ଝାଲାନି, ସହକାରୀ ପ୍ରଶିକ୍ଷକ ଦେବଦତ୍ତ, ଫିଲ୍ଡିଂ କୋଚ୍ ରୋହିତ ଶର୍ମା, ଏଚ୍ ଆଣ୍ଡ୍ ସି କୋଚ୍ ରାମସ୍ୱରୂପ ସାଇନି, ସୋସିଆଲ୍ ମିଡିଆ ମ୍ୟାନେଜର୍ ବାସନ ଗିରି, ଫିଜିଓ ମୟଙ୍କ ପୁଷ୍କର, ଟିମ୍ ମ୍ୟାନେଜର୍ ବିନିତ ମଲହୋତ୍ରା ଏବଂ ଲଜିଷ୍ଟିକ୍ ମ୍ୟାନେଜର୍ ଧିରଜ୍ ହାଡେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦ (ଡିସିସିଆଇ)ର ସୁମିତ ଜୈନ ଓ ବିନିତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ ।
ଖେଳାଳିମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ଉଷ୍ମତା ଓ ସମ୍ମାନର ସହ ସ୍ୱାଗତ କରାଯାଇଥିଲା । ଯାହା ଖେଳାଳିଙ୍କ ମନୋବଳ ବଢାଇବା ସହ ଆଗାମୀ ମ୍ୟାଚ୍ ପାଇଁ ସେମାନଙ୍କୁ ଉତ୍ସାହ ଦେଇଛି । ଏହା ବ୍ରିଟେନ୍ରେ ଥିବା ଭାରତୀୟ ସମୁଦାୟର ଦଳ ପ୍ରତି ଥିବା ସମର୍ଥନ ମଧ୍ୟ ଦର୍ଶାଇଛି । ଚିଲିକା ରେସ୍ତୋରାଁ ଏହାର ଓଡିଆ ଖାଦ୍ୟ ଓ ଭାରତୀୟ ଆତିଥ୍ୟ ପାଇଁ ପରିଚିତ । ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ସମ୍ମାନ ଦେବା ଚିଲିକାର ଏହି ପ୍ରୟାସର ଆଉ ଏକ ଉଦାହରଣ । ସାହସ ଓ ପରିଶ୍ରମ ଦ୍ୱାରା ଯେକୌଣସି ବାଧକକୁ ଦୂର କରାଯାଇପାରେ ବୋଲି ଏହି କାର୍ଯ୍ୟକ୍ରମ ବାର୍ତ୍ତା ଦେଇଛି । ସମାରୋହର ମୂଖ୍ୟ ବାର୍ତ୍ତା ଥିଲା ‘ନେସନ୍ ଫାଷ୍ଟ୍’ । ଯାହାର ଅର୍ଥ ହେଲା ଦେଶ ଏକତା ଓ ସଫଳତାକୁ ସର୍ବୋପରି ରଖିବା ।


