
ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ୪୯ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀ ଅଗଷ୍ଟ ୧୧ରେ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା ।
ପୋଲିସ କହିବା ଅନୁଯାୟୀ, ଟଙ୍କା ପାଇଁ ଛାତ୍ର ଜଣକ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ରୂପା ରେଡ୍ଡୀ ତାଙ୍କ ସ୍ୱାମୀ ରାଜେନ୍ଦ୍ର ରେଡ୍ଡୀଙ୍କ ସହ ରହୁଥିଲେ । ସ୍ବାମୀ ବ୍ୟକ୍ତିଗତ କାମ ପାଇଁ ହାଇଦ୍ରାବାଦରେ ଯାଇଥିବା ବେଳେ ରୂପାଙ୍କ ହତ୍ୟା କରାଯାଇଥିଲା । ସେମାନଙ୍କର ହାଇଦ୍ରାବାଦରେ ଏକ ଘର ଅଛି । ଏହି ଦମ୍ପତି ତିନିଦିନିଆ ଛୁଟି ପାଇଁ ହାଇଦ୍ରାବାଦ ଯାଇଥିଲେ । ରାଜେନ୍ଦ୍ର ରେଡ୍ଡୀ କାମ ଯୋଗୁଁ ସେଠାରେ ରହିଯାଇଥିବା ବେଳେ ରୂପା ରେଡ୍ଡୀ ଅଗଷ୍ଟ ୧୦ରେ ଏକା କୋଣ୍ଡାମଲ୍ଲେପଲ୍ଲୀ ଫେରିଥିଲେ । ସେହିଦିନ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ରହିଥିଲେ ।
ଅଗଷ୍ଟ ୧୩ରେ ସ୍କୁଲ ଯାଇନଥିଲେ ପ୍ରିନ୍ସିପାଲ । ରାଜେନ୍ଦ୍ର ରେଡ୍ଡୀ ଫୋନ କରିବା ସମୟରେ ବି କୌଣସି ଯୋଗାଯୋଗ ହୋଇପାରି ନଥିଲା । ରାଜେନ୍ଦ୍ର ଚିନ୍ତିତ ହୋଇ ତାଙ୍କ ଘର ପାଖରେ ରହୁଥିବା ଜଣେ ପୋଲିସ ଅଫିସରଙ୍କୁ ବୁଝିବାକୁ କହିଥିଲେ । ସେହି ଅଫିସର ଜଣକ ପଡ଼ୋଶୀମାନଙ୍କୁ ନେଇ ଘରକୁ ଯାଇଥିଲେ ଏବଂ ରୂପା ରେଡ୍ଡୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।
ଏହି ହତ୍ୟାକାଣ୍ଡକୁ ନେଇ ତଦନ୍ତକାରୀ ଟିମ୍ ତାଙ୍କ ଘର ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଏକ ବଡ଼ ସୁରାକ୍ ପାଇଥିଲେ । ଫୁଟେଜରେ ଜଣେ ନାବାଳକ ଘର ପାଖରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା । ପୋଲିସ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା କରିଥିଲା । ପଚରାଉଚରା ସମୟରେ ନାବାଳକ ଜଣକ ଅପରାଧ ସ୍ୱୀକାର କରିବା ସହ ଟଙ୍କା ପାଇଁ ହତ୍ୟା କରିଥିବା କହିଥିଲା ।
ପୋଲିସର ସୂଚନା ଅନୁଯାୟୀ, ଅଗଷ୍ଟ ୧୧ ରାତିରେ ଦୁଇ ଛାତ୍ର ମାସ୍କ ଏବଂ ହୁଡି ପିନ୍ଧି ରୂପା ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଘର ଭିତରକୁ ପଶି ତାଙ୍କୁ ଟଙ୍କା ମାଗିଥିଲା । ରୂପା ରେଡ୍ଡୀ ବିରୋଧ କରିବା ବେଳେ ଟଣାଓଟରାରେ ଛାତ୍ରଜଣକର ମାସ୍କ ଖସିପଡ଼ିଥିଲା । ସେ ତାଙ୍କ ସ୍କୁଲର ଛାତ୍ର ବୋଲି ରୂପା ରେଡ୍ଡୀ ଚିହ୍ନି କାରି ପାଟି କରିବାରୁ ନାବାଳକ ଛୁରିରେ ତାଙ୍କୁ ଆକ୍ରମଣ କରି ବାରମ୍ବାର ଭୁସି ଦେଇଥିଲା ।

