ତେଲେଙ୍ଗାନା ଟନେଲ୍ରେ ଉଦ୍ଧାର ଅଭିଯାନ: ସୁଡ଼ଙ୍ଗ ଭିତରକୁ ପଶିଲେ ୩ ଟିମ୍, ବାଧା ସୃଷ୍ଟି କଲା ଭଗ୍ନାବଶେଷ

ନୂଆଦିଲ୍ଲୀ: ତେଲେଙ୍ଗାନାର ନାଗରକୁର୍ଣ୍ଣୁଲରେ ଥିବା ଶ୍ରୀଶୈଲମ କେନାଲ (ଏସ୍ଏଲ୍ବିସି) ଟନେଲ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୮ ଜଣ ଶ୍ରମିକ ଦୁଇ ଦିନ ହେଲା ଫସି ରହିଛନ୍ତି। ଆଜି ସେନା ଇଞ୍ଜିନିୟର ଏବଂ ବିଶେଷଜ୍ଞ ଦଳ ସ୍ଥିତି ଆକଳନ କରିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍ଡିଆରଏଫ), ଅଗ୍ନିଶମ ସେବା ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ) ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତକାଲି ମଧ୍ୟରାତ୍ରୀରୁ ଆଜି ସନ୍ଧ୍ୟା ମଧ୍ୟରେ ୩ଟି ଟିମ୍ ସୁଡ଼ଙ୍ଗ ଭିତରକୁ ପଶିଛନ୍ତି।
ଶନିବାର ରାତିରେ ଉଦ୍ଧାରକାରୀ ଦଳ ଏସ୍ଏଲ୍ବିସି ଟନେଲ୍ ଭିତରେ ଭୁଶୁଡ଼ି ପଡ଼ିଥିବା ସ୍ଥାନରେ ପହଞ୍ଚି ଭିତରେ ଫସି ରହିଥିବା ୮ ଜଣଙ୍କୁ ଡାକିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା। ୨୦୦ ମିଟର ଭଗ୍ନାବଶେଷ ପଛରେ ସେମାନେ ରହିଥିବାରୁ ସେମାନଙ୍କୁ କିଛି ଶୁଣାଯାଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଆବର୍ଜନା ଏବଂ କାଦୁଅର ଏକ ବିରାଟ ପ୍ରତିବନ୍ଧକ ରହିଛି ଏବଂ କିଛି ଦୃଶ୍ୟମାନ ହେଉନାହିଁ। ଉଦ୍ଧାରକାରୀ କର୍ମଚାରୀମାନେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଆବର୍ଜନା ନିଷ୍କାସନ କାର୍ଯ୍ୟ ଯୁଦ୍ଧସ୍ତରରେ ଚାଲିଛି ଏବଂ ବିଶେଷଜ୍ଞମାନେ ଅହରହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯେଉଁ ସ୍ଥାନରେ ସୁଡ଼ଙ୍ଗ ଭୁଶୁଡ଼ିଛି ସେଠାରେ ପାଣିଥିବାରୁ ଉଦ୍ଧାର କରିବା ପୂର୍ବରୁ ଏହି ଜଳ ନିଷ୍କାସିତ ହେବା ଆବଶ୍ୟକ ବୋଲି କୁହାଯାଇଛି।
ଜଣେ ବିଶେଷଜ୍ଞ କହିଛନ୍ତି ଯେ ଅନ୍ୟତମ ନିର୍ମାଣ କମ୍ପାନି ଜୟପ୍ରକାଶ ଆସୋସିଏଟ୍ସ (ଯାହାର ଶ୍ରମିକମାନେ ଟନେଲରେ ଫସି ରହିଛନ୍ତି) ପାଣି ବାହାର କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି। ତେଲେଙ୍ଗାନା ଜଳସେଚନ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀ କହିଛନ୍ତି, ଫସି ରହିଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଯେଉଁ ସୁଡ଼ଙ୍ଗ ଅତିକ୍ରମ କରିବାକୁ ପଡ଼ିବ ତାହାର ଶେଷ ୨୦୦ ମିଟର କାଦୁଅରେ ଭର୍ତ୍ତି ହୋଇଛି, ଯାହା ଫଳରେ ଉଦ୍ଧାରକାରୀ ଦଳ ପାଇଁ ଏହା ଅତିକ୍ରମ କରିବା ଅସମ୍ଭବ ହୋଇପଡ଼ିଛି। ଉପରୁ ଖନନ କରିବା ବିକଳ୍ପ ମଧ୍ୟ ରହିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ସକାଳେ ସୁଡ଼ଙ୍ଗର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୮ ଶ୍ରମିକ ଫସି ଯାଇଥିଲେ।



