ବିଚାର

ଅଦିନରେ ଝାମୁଯାତ୍ରା, ହରିବୋଲ ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ସମଗ୍ର ପରିବେଶ

ଏବେ ଚାରି ଆଡ଼େ ରଜ ମାହୋଲ । ଦୋଳି ଖେଳ ସାଙ୍ଗକୁ ପୋଡ଼ ପିଠାର ମହକରେ ମହକି ଯାଉଛି ଗାଁ ଠୁ ସହର । ସବୁଆଡ଼େ ଉତ୍ସବର ମାହୋଲ । ତେବେ ଏହି ରଜ ଅବସରରେ ଏକ ନିଆରା ପର୍ବ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଡ଼େଲାଙ୍ଗ ନିକଟ ଖଣ୍ଡିଗାଁରେ । ରଜ ସମୟରେ ଚାଲିଥିଲା ଝାମୁଯାତ୍ରାର ଆସର । ମାନସିକଧାରୀମାନେ ଗ୍ରାମଦେବତୀ ମା’ କ୍ଷେତ୍ରପାଳୀଙ୍କ ନିକଟରେ ହୋମ ଯଜ୍ଞ କରି କାଳେସୀ ସହିତ ଯାଇଥାନ୍ତି ଯମୁନା ଗାଧୋଇବାକୁ । ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ପାଣି ତୋଳି ଗ୍ରାମ ଦେବତୀଙ୍କ ନିକଟକୁ ଆସିଥାନ୍ତି ।

କିଏ ସାତ ଦିନ ତ ପୁଣି କିଏ ପନ୍ଦର ଦିନ ଧରି ନିଷ୍ଠାର ସହିତ ରହିଥାନ୍ତି । ଅରୁଆ ସହିତ ଫଳମୂଳ ଖାଇବା ସହିତ ଭିକ୍ଷା ବୃତି କରି ସମୟ ବିତାଇଥାନ୍ତି ମାନସିକଧାରୀ । ନୂଆ ବସ୍ତ୍ର ପିନ୍ଧି କାଳେସୀ ସହିତ ଗାଁର ଶେଷ ଭାଗରେ ଥିବା ପୋଖରୀ ନିକଟରୁ ଆସିବା ପରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସୃଷ୍ଟି ହୋଇଥିଲା ଏକ ଭଗବତମୟ ପରିବେଶ । ଏହା ପରେ ମାନସିକ ଧାରୀମାନେ କାଳେସୀ ସହିତ ଗାଁ ପରିକ୍ରମା କରିଥାନ୍ତି । ଗାଁରେ ମହିଳାମାନେ ନୂଆ ବସ୍ତ୍ରକୁ ପାହାଡ଼ା ପକାଇବା ସହିତ ଦୁବ ବରକୋଳି ପତ୍ର ଏବଂ ଅରୁଆ ଚାଉଳରେ ବନ୍ଦାପନା କରିଥାନ୍ତି ।

କାଳେସୀ ଆସିବା ସମୟରେ ମାନସିକଧାରୀମାନେ ତଳେ ପଡ଼ି ଆଶୀର୍ବାଦ ପାଇଁ ଅପେକ୍ଷା କରିଥାନ୍ତି । ପାଟୁଆମାନେ ଆସିବାବେଳେ କାଳେସୀ ସେମାନଙ୍କୁ ପାଦୁକା ପାଣି ପିଆଇ ଦେଇ ଉଠାଇଥାନ୍ତି । ଏହାପରେ ପାହାଡ଼ା ପଡ଼ିଥିବା ନୂଆ ଲୁଗା ଉପରେ ପାଟୁଆମାନେ ନାଚି ନାଚି ଖାଇ ନିକଟକୁ ଯାଇଥାନ୍ତି । ସେଠାରେ ପହଞ୍ଚିବା ପରେ ଜଣକ ପରେ ଜଣେ ଦଶ ରୁ ପନ୍ଦର ଥର ପର୍ଯ୍ୟନ୍ତ ନିଆଁ ଖାଇରେ ଚାଲିଥାନ୍ତି ।

ତେବେ ଏହି ଅଗ୍ନୀରେ ଚାଲିବା ସମୟରେ ସେମାନଙ୍କୁ କୌଣସି ପ୍ରକାର କଷ୍ଟ ଲାଗି ନଥାଏ ବୋଲି କହିଛନ୍ତି ମାନସିକଧାରୀମାନେ । ସେପଟେ ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ବେଶ ଭିଡ଼ ଲାଗିଥିବାର ବେଖିବାକୁ ମିଳିଥାଏ । ପ୍ରଥା ପରମ୍ପରା ଯାହା ବି ଥାଉନା କାହିଁକି ସବୁରି ମୂଳରେ ଥାଏ ସେହି ଗୋଟିଏ କଥା । ତାହା ହେଲା ଭକ୍ତି ଓ ସାଧନା ବଳରେ କିପରି ଭଗବତ୍ ଚେତନାକୁ ଉପଲବ୍ଧି କରିବା । ଯାହା ଏହି ଝାମୁଯାତ୍ରାରୁ ଦେଖିବାକୁ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button