ହରମୋନ୍ ଅସନ୍ତୁଳନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏହି ୫ଟି ଖାଦ୍ୟ ପଦାର୍ଥ

ବର୍ତ୍ତମାନ ଅଧିକାଂଶ ଲୋକଙ୍କଠାରେ ହରମୋନ୍ ଅସନ୍ତୁଳନ ସମସ୍ୟା ଦେଖିବାକୁ ମିଳୁଛି। ହରମୋନ୍ର ମାତ୍ରା ଠିକ୍ ନ ରହିଲେ ଶରୀରରେ ଥାଇରଏଡ୍, ମୋଟାପଣ, ମଧୁମେହ, ପାଚନରେ ସମସ୍ୟା ଆଦି ବେମାରି ଦେଖାଯାଇଥାଏ। କେବଳ ସେତିକି ନୁହେଁ ହରମୋନ୍ର ସ୍ତର ଅସନ୍ତୁଳିତ ରହିଲେ ହୃଦ ସମସ୍ୟା ମଧ୍ୟ ଦେଖାଯାଏ। ହରମୋନାଲ ଇମ୍ବାଲାନ୍ସକୁ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ବଜାରରେ ବିଭିନ୍ନ ଔଷଧ ମିଳୁଛି। କିନ୍ତୁ ଏହି ମେଡିସିନ୍ ଖାଇବା ଛାଡ଼ିଦେବା ପରେ ପୁଣିଥରେ ଶରୀରରେ ଏହି ସମସ୍ୟା ଦେଖାଦେଇଥାଏ। ତେବେ କେତେକ ପନିପରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର କରିହେବ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିଭଳି ହରମୋନ୍ର ସ୍ତରକୁ ସନ୍ତୁଳିତ ରଖିବେ…
କଦଳୀ ଫୁଲ:

କଦଳୀ ଫୁଲ ଖାଇବା ଦ୍ୱାରା ହରମୋନ୍ର ସ୍ତର ନିୟନ୍ତ୍ରଣରେ ରହିଥାଏ। ସାଧାରଣତଃ ଗାଁଗହଳିରେ ମିଳୁଥିବା ଏହି ଖାଦ୍ୟରେ ବାୟୋଆକ୍ଟିଭ୍ ତତ୍ତ୍ୱ, ଆଣ୍ଟି ମାଇକ୍ରୋବିୟଲ, ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ଭାଇରସ୍ ଓ କ୍ୟାନସରକୁ ମାତ୍ ଦେବା ଭଳି ପୋଷକ ତତ୍ତ୍ୱ ରହିଛି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଘୋଳଦହି କିମ୍ବା ବସା ଦହିରେ ପାଚିଲା କଦଳୀ ଫୁଲ ମିଶା ଖାଇବା ଦ୍ୱାରା ହରମୋନ୍ ସ୍ତର ନିୟନ୍ତ୍ରଣରେ ରହେ। ମହିଳାଙ୍କ ଠାରେ ମାସିକ ଧର୍ମ ବେଳେ ଅଧିକ ରକ୍ତସ୍ରାବ ହେଉଥିଲେ କଦଳୀ ଫୁଲ ଖାଇବା ଦ୍ୱାରା ଏହା କମିଥାଏ।
ଆଭୋକାର୍ଡୋ:

ଶରୀରରେ ହରମୋନ୍କୁ ସନ୍ତୁଳିତ ରଖିବାରେ ଆଭୋକାର୍ଡୋ ମଧ୍ୟ ସାହାଯ୍ୟ କରେ। ଏଥିରେ ୨୮.୮ ପ୍ରତିଶତ ଉତ୍ତମ ଫ୍ୟାଟ୍ ରହିଥାଏ। ଏହା ମନୋଅନ୍ସାଚ୍ୟୁରେଟେଡ୍ ଫ୍ୟାଟ୍ର ଏକ ମୁଖ୍ୟସ୍ରୋତ। ଏଥିରେ ଫାଇବର, ଭିଟାମିନ୍ ଏ, ଇ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଛି। ହରମୋନ୍କୁ ନିୟନ୍ତ୍ରଣରେ ରଖିବାରେ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ।
ମାଛ:

ଉତ୍ତମ ଫ୍ୟାଟ୍ ଶରୀରରେ ଇନ୍ସୁଲିନ୍ର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଖାସ୍ କରି ମଧୁମେହ ରୋଗୀଙ୍କ ଶରୀରରେ ଏହି ହରମୋନ୍ର ପରିମାଣ ଅସନ୍ତୁଳିତ ରହୁଥିବାରୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଫ୍ୟାଟି ଫିସ୍ ବା ଉତ୍ତମ ଫ୍ୟାଟ୍ଯୁକ୍ତ ମାଛ ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ୍ର ମାତ୍ରା ନିୟନ୍ତ୍ରିତ ରହିଥାଏ। ଏଥିରେ ଓମେଗା ୩ର ପରିମାଣ ଅଧିକ ଥାଏ, ଯାହା ଗର୍ଭବତୀଙ୍କୁ ମଧୁମେହରୁ ରକ୍ଷା କରିଥାଏ।
ହଳଦୀ:

ହଳଦୀରେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଅକ୍ସିଡେଣ୍ଟ ଭଳି ପୋଷକ ତତ୍ତ୍ୱ ଭରି ରହିଛି। ଏଣୁ ଶରୀରର ବାହାର ବା ଭିତରର କ୍ଷତକୁ ଭଲ କରିବାକୁ ହଳଦୀ ବ୍ୟବହାର କରାଯାଏ। କେବଳ କ୍ଷତ ଭଲ କରେନି ହଳଦୀ ହରମୋନ୍ର ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏହା ଯକୃତକୁ ଡିଟକ୍ସିିଫାଏ କରି ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ ନିଷ୍କାସିତ କରିବାରେ ସାହାଯ୍ୟ କରେ।
ସୋୟା:

କୋଲୋଷ୍ଟ୍ରୋଲର ସ୍ତରକୁ କମାଇବାରେ ସୋୟା ସାହାଯ୍ୟ କରେ। ଏକ ରିସର୍ଚ୍ଚ ମୁତାବକ ସୋୟା ସେବନ କରିବା ଦ୍ୱାରା ମଧୁମେହ ଓ କିଡ୍ନୀ ରୋଗର ଆଶଙ୍କା କମ୍ ରହିଥାଏ। ମାସିକଧର୍ମ ଶେଷ ହୋଇଥିବା ମହିଳାଙ୍କ ପାଇଁ ସୋୟା ଔଷଧ ଭଳି କାମ କରିଥାଏ। ୬୦ ବର୍ଷ ପରେ ଶରୀରରେ ଇଷ୍ଟ୍ରୋଜେନ୍ର ସ୍ତର କମିଯାଉଥିବାରୁ ମହିଳାଙ୍କ ଠାରେ ସ୍ତନ କର୍କଟର ଆଶଙ୍କା ପ୍ରକାଶ ପାଏ। ଏହି ସମୟରେ ସୋୟା ଇଷ୍ଟ୍ରୋଜେନ୍ର ମାତ୍ରାକୁ ନିୟନ୍ତ୍ରଣରେ ରଖେ।



