କମ୍ ଜନସଂଖ୍ୟା ବୃଦ୍ଧି ସମାଜକୁ ଧ୍ବଂସ ଆଡ଼କୁ ନେବ: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ପରିବାରର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ ଯଦି ଜନସଂଖ୍ୟା ବୃଦ୍ଧି ହାର ୨.୧ ତଳକୁ ଖସିଯାଏ ତେବେ ସମାଜ ଧ୍ବଂସ ଆଡ଼କୁ ଯିବ। ଭାଗବତ ରବିବାର ନାଗପୁରରେ ଆର୍ଏସ୍ଏସ୍ର ଏକ କାର୍ଯ୍ୟକ୍ରମରେ କହିଛନ୍ତି, କୁଟୁମ୍ବ (ପରିବାର) ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପ୍ରତ୍ୟେକ ପରିବାର ଦେଶର ଏକ ୟୁନିଟ୍ ଭାବରେ କାର୍ଯ୍ୟ କରୁଛନ୍ତି। ଜନସଂଖ୍ୟା ହ୍ରାସ ହେବା ଏବେ ଚିନ୍ତାର ବିଷୟ ପାଲଟିଛି, ଯଦି ଜନସଂଖ୍ୟା ବୃଦ୍ଧି ହାର ୨.୧ ତଳକୁ ଯିବ, ତେବେ ସମାଜ ନଷ୍ଟ ହୋଇଯିବ।
ଏଭଳି ସ୍ଥିତିରେ ସମାଜ ଆପେ ଧ୍ବଂସ ଆଡ଼କୁ ଚାଲିଯିବ ବୋଲି ଭାଗବତ ସତର୍କ କରାଇ ଦେଇଛନ୍ତି।। ଆରଏସ୍ଏସ୍ ମୁଖ୍ୟ କହିଛନ୍ତି ଯେ ୧୯୯୮ କିମ୍ବା ୨୦୦୨ ମସିହାରେ ସ୍ଥିର ହୋଇଥିବା ଭାରତର ଜନସଂଖ୍ୟା ନୀତିରେ କୁହାଯାଇଛି ଯେ ଜନସଂଖ୍ୟା ବୃଦ୍ଧି ହାର ୨.୧ ରୁ କମ୍ ହେବା ଉଚିତ୍ ନୁହେଁ। ସେ ଦର୍ଶାଇଛନ୍ତି ଯେ ସମ୍ପ୍ରଦାୟ ମଧ୍ୟରେ ଜନସଂଖ୍ୟା ଅସନ୍ତୁଳନ ଭୌଗୋଳିକ ସୀମାକୁ ପ୍ରଭାବିତ କରିପାରେ ଏବଂ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଦେଶରେ ସମ୍ପ୍ରଦାୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।