କୃଷକ ଆନ୍ଦୋଳନ ସଂକ୍ରାନ୍ତ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ: ‘ଦିଲ୍ଲୀ ଚଲୋ’ ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ

ନୂ୍ଆଦିଲ୍ଲୀ: କୃଷକମାନେ ଆନ୍ଦୋଳନ କରୁଥିବା ପଞ୍ଜାବ ରାଜପଥକୁ ଅବରୋଧମୁକ୍ତ କରିବାପାଇଁ କେନ୍ଦ୍ର ସରକାର ଏବଂ ମାମଲାରେ ଅନ୍ୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲା ପୂର୍ବରୁ କୋର୍ଟରେ ପଡ଼ିରହିଛି ଏବଂ ସମାନ ପ୍ରସଙ୍ଗରେ କୋର୍ଟ ବାରମ୍ବାର ପିଟିସନ୍ ଗ୍ରହଣ କରିପାରିବେନି। ଖଣ୍ଡପୀଠ କହିଛନ୍ତି, ଆମେ ବୃହତ୍ତର ପ୍ରସଙ୍ଗକୁ ପରୀକ୍ଷା କରୁଛୁ। ଆପଣ କେବଳ ଏକାକୀ ସମାଜର ବିବେକ ରକ୍ଷାକାରୀ ନୁହନ୍ତି। ଗୋଟିଏ ପ୍ରସଙ୍ଗରେ ଲଗାତାର ପିଟିସନ୍ ଦାଖଲ କରନା। ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କିଛି ଲୋକ ପିଟିସନ୍ କରୁଛନ୍ତି। ଆମେ ସମାନ ପ୍ରସଙ୍ଗରେ ବାରମ୍ବାର ପିଟିସନ୍ ଗ୍ରହଣ କରିପାରିବୁନି। ପଞ୍ଜାବରେ ସାମାଜିକ କର୍ମୀ ଦାବି କରୁଥିବା ଗୌରବ ଲୁଥ୍ରା କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଲୁଥ୍ରା ତାଙ୍କ ପିଟିସନ୍କୁ ପୂର୍ବରୁ ପଡ଼ି ରହିଥିବା ପିଟିସନ୍ ସହ ଟ୍ୟାଗ୍ କରିବାପାଇଁ ଅନୁରୋଧ କରିଥିଲେ ସୁଦ୍ଧା କୋର୍ଟ ଏଥିପାଇଁ ଅନୁମତି ଦେଇନାହାନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ କୃଷକ ଏବଂ କୃଷି ସଂଗଠନ ପଞ୍ଜାବରେ ସମସ୍ତ ଜାତୀୟ ଏବଂ ରାଜ୍ୟ ରାଜପଥକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ରଖିଛନ୍ତି। ଆବେଦନକାରୀ କହିଛନ୍ତି ଯେ ରାଜପଥରେ ମୁକ୍ତ ଏବଂ ଅବାଧ ଯାତାୟତ କରିବା ଜଣେ ନାଗରିକର ମୌଳିକ ଅଧିକାର ଅଧୀନରେ ଆସୁଛି। କୃଷକମାନେ ଆନ୍ଦୋଳନ କରି ରାସ୍ତା ବନ୍ଦ କରିବାଦ୍ବାରା ମାନବ ଅଧିକାର ଉଲ୍ଲଂଘନ ହେଉଥିବା ସେ ଅଭିଯୋଗ କରିଛନ୍ତି।
‘ଦିଲ୍ଲୀ ଚଲୋ’ ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ
ନୂଆଦିଲ୍ଲୀ: ପଞ୍ଜାବର ଚାଷୀମାନେ ଗତ ଦୁଇଦିନ ଧରି ହରିୟାଣାରୁ ଦିଲ୍ଲୀ ସୀମା ମଧ୍ୟରେ ପ୍ରବେଶ ଉଦ୍ୟମ କରି ବିଫଳ ହୋଇଥିଲେ। ଆଜି ‘ସରକାର ଦ୍ବନ୍ଦ୍ବରେ ଅଛି’ ବୋଲି ଦର୍ଶାଇ ସେମାନେ ଦିଲ୍ଲୀ ଚଲୋ ଅଭିଯାନକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛନ୍ତି। ଆଜି ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇ ଚାଷୀ ନେତା ଶ୍ରବଣ ସିଂହ ପାନ୍ଧେର କହିଛନ୍ତି, ଚାଷୀଙ୍କ ଦିଲ୍ଳୀ ଚଲୋ ଅଭିଯାନକୁ କେଉଁ ରାସ୍ତାରେ ନେବେ ଓ କିଭଳି ଭାବେ ରାଜଧାନୀରେ ପରିଚାଳନା କରିବେ ସେନେଇ ଦ୍ବନ୍ଦ୍ବରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହୁଛନ୍ତି, ଚାଷୀମାନେ ଅନ୍ୟ ଯାନରେ ଆସନ୍ତୁ। କିନ୍ତୁ ଯେତେବେଳେ ଖଟ୍ଟର ହରିଆଣାର ମୁଖ୍ୟମନ୍ତ୍ରୀ ଥିଲେ ସେ କହୁଥିଲେ ଚାଷୀମାନେ ପାଦରେ ଚାଲି ଆସନ୍ତୁ। କିଛି ଦିନ ପୂର୍ବେ ସମଗ୍ର ବିଜେପି ନେତା ଚାଷୀଙ୍କ ଟ୍ରାକ୍ଟର ରାଲିକୁ ବିରୋଧ କରୁଥିଲେ। ସରକାର କ’ଣ କରିବ ସେନେଇ ଦ୍ବନ୍ଦ୍ବରେ ଅଛି। ଏହାଦ୍ବାରା ଲୋକଙ୍କ ମଧ୍ୟରେ ସରକାରଙ୍କ ଭାବମୂର୍ତ୍ତି ନଷ୍ଟ ହେଉଛି। ତେବେ ପଦଯାତ୍ରାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ମଙ୍ଗଳବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚାର ମିଳିତ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମଙ୍ଗଳବାର କୌଣସି ପଦଯାତ୍ରା ବାହାରିବ ନାହିଁ। ପଟିଆଲାର ଡିଆଇଜି ମନଦୀପ ସିଂହ ସିଦ୍ଧୁ କହିଛନ୍ତି, ତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଖାନାଉରି ଠାରେ ଚାଷୀ ନେତା ଜଗଜିତ ଦାଲେୱାଣଙ୍କୁ ଭେଟିଥିଲେ।



