ଦେଶ ବିଦେଶ

ହାଇକୋର୍ଟ ବିଚ‌ାରପତିଙ୍କୁ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ବିଶ୍ବ ହିନ୍ଦୁ ପରିଷଦର ଏକ ସମ୍ମିଳନୀରେ ଯୋଗ ଦେଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର ଯାଦବ କହିଥିଲେ, ଭାରତରେ ସଂଖ୍ୟାଗରିଷ୍ଠଙ୍କ ମତାନୁସାରେ ଶାସନ ଚାଲିବା ଆବଶ୍ୟକ। ଏହା କହିବାରେ ତାଙ୍କର କୌଣସି ଦ୍ବିଧା ନାହିଁ। ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ତୀବ୍ର ପ୍ରତିବାଦ କରିଥିଲେ। ସଂସଦରେ ଇଣ୍ଡି-ମେଣ୍ଟ ମହାଭିଯୋଗ ଆଗତ ନୋଟିସ୍‌ ଦାଖଲ କରିଛି। ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଚାରପତି ଶ୍ରୀଯାଦବଙ୍କୁ ସମର୍ଥନ ଦେଇଛନ୍ତି। ଆଜି ମୁମ୍ବାଇ ଠାରେ ବିଶ୍ବ ହିନ୍ଦୁ ଆର୍ଥନୈତିକ ଫୋରମ୍‌ ସମ୍ମିଳନୀରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‌ଯିଏ ମଧ୍ୟ ସତ କହୁଛି, ଏହି ଲୋକମାନେ (କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ) ସେମାନଙ୍କ ଉପରେ ମହାଭିଯୋଗ ଦ୍ବାରା ଚାପ ପକାଇବାକୁ ଚାହାନ୍ତି। ତଥାପି ସେମାନେ ସମ୍ବିଧାନ ସମ୍ପର୍କରେ କହନ୍ତି। ସେମାନଙ୍କ ଦ୍ବୈତ ଆଭିମୁଖ୍ୟକୁ ଦେଖନ୍ତୁ। ଆହ୍ଲାବାଦର ହାଇକୋର୍ଟର ଜଣେ ବିଚାରପତି କହିଲେଯେ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବା ଆବଶ୍ୟକ। ସମଗ୍ର ବିଶ୍ବରେ ସଂଖ୍ୟାଗରିଷ୍ଠଙ୍କ ମତକୁ ସମ୍ମାନ ଦିଆଯାଏ। ଯଦି ସେ ତାଙ୍କର ମତ ରଖିଲେ ଏଥିରେ ତାଙ୍କର ଅପରାଧ କ’ଣ? ସେହିଭଳି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀଙ୍କ ମହାଭିଯୋଗକୁ ଉଲ୍ଲେଖ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଜଣେ ଚାଷୀର ସନ୍ତାନ ସେହି ଭଳି ଉଚ୍ଚାସନରେ ବସୁ ବୋଲି ବିରୋଧୀ ଚାହାନ୍ତି ନାହିଁ।

ସୁପ୍ରିମକୋର୍ଟ କଲେଜିୟମ୍‌ ସମ୍ମୁଖରେ ହାଜର ହୋଇପାରନ୍ତି
ନୂଆଦିଲ୍ଳୀ: ବିଶ୍ବ ହିନ୍ଦୁ ପରିଷଦର ଏକ ସଭାରେ ‘ଭାରତରେ ସଂଖ୍ୟାଗରିଷ୍ଠ ମତକୁ ପ୍ରାଧାନ୍ୟ ଦେବା ଉଚିତ’ ବୋଲି ମତ ଦେଇ ବିବାଦୀୟ ହୋଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର ଯାଦବ ସ୍ପଷ୍ଟୀକରଣ ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‌ ସମ୍ମୁଖରେ ହାଜର ହୋଇପାରନ୍ତି। ଏନେଇ ସୁପ୍ରିମକୋର୍ଟର କେତେକ ବରିଷ୍ଠ ଓକିଲ ଅଭିଯୋଗ କରିଥିଲେ। ଡିସେମ୍ବର ୧୦ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହାକୁ ସଂଜ୍ଞାନକୁ ନେଇଥିଲେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ରେଜିଷ୍ଟାର୍‌ କାର୍ଯ୍ୟାଳୟରୁ ଜାରି ସୂଚନାନୁସାରେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ଅଭିଭାଷଣ ସମ୍ପର୍କରେ ଖବରକାଗଜରେ ପ୍ରକାଶିତ ଖବରକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଏନେଇ ସବିଶେଷ ବିବରଣୀ ଦାଖଲ କରିବାକୁ ଆହ୍ଲାବାଦ ହାଇକୋର୍ଟକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗ ସଂପ୍ରତି ବିଚାରାଧୀନ ରହିଛି। ନିୟମାନୁସାରେ, ଯଦି କୌଣସି ବିଚାରପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କଲେଜିୟମ୍‌ ରିପୋର୍ଟ ମାଗନ୍ତି, ତେବେ ଉକ୍ତ ବିଚାରପତିଙ୍କୁ ତାଙ୍କ ମତ ରଖିବାକୁ ମଧ୍ୟ ସୁଯୋଗ ଦିଆଯାଇଥାଏ। ଏହି ନିୟମାନୁସାରେ, ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର କଲେଜିୟମ୍‌ ସମ୍ମୁଖରେ ବିଚାରପତି ଯାଦବ ହାଜର ହେବା ସମ୍ଭାବନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button