ଜର୍ଜିଆ ରେସ୍ତୋରାଁରୁ ୧୨ ଭାରତୀୟଙ୍କ ମୃତଦେହ ଉଦ୍ଧାର

ତିବିଲିସି: ରାଜନୈତିକ ଅସ୍ଥିରତାଗ୍ରସ୍ତ ଜର୍ଜିଆ ଗୁଡ଼ାଉରିସ୍ଥିତ ମାଉଣ୍ଟେନ୍ ରିସୋର୍ଟର ଏକ ରେସ୍ତୋରାଁରୁ ୧୨ ଭାରତୀୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ପୁଲିସ ଏହି ଘଟଣାରେ ଜର୍ଜିଆର ଅପରାଧିକ ଆଇନର ଧାରା ୧୧୬ ଅନୁସାରେ ତଦନ୍ତ ଆରମ୍ଭ କରିଛି। ତଦନ୍ତରେ, ଶୁକ୍ରବାର ବିଦ୍ୟୁତ୍ ସରବରାହ ବ୍ୟାହତ ହେବାରୁ କର୍ମଚାରୀମାନେ ଘର ଭିତରେ ଥିବା ଏକ ଜେନେରେଟରକୁ ଚଳାଇଥିଲେ। ଶୀତ ହେତୁ କବାଟ ଝରକା ଦେଇ ଶୋଇଯାଇଥିଲେ। ଫଳରେ ଅମ୍ଳଜାନର ଅଭାବ ଓ ଜେନେରେଟରରୁ ନିର୍ଗତ ଅଙ୍ଗାରକାମ୍ଳ ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଛି। ଆଜି ଜର୍ଜିଆର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସୂଚନାନୁସାରେ, ୧୧ଜଣ ଭାରତୀୟ ଓ ଜଣେ ଜର୍ଜିଆ-ଭାରତୀୟ ନାଗରିକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।
ପ୍ରାଥମିକ ତଦନ୍ତରେ ମୃତ ଭାରତୀୟଙ୍କ ଶରୀରରେ କୌଣସି କ୍ଷତ କିମ୍ବା ହିଂସାର ଚିହ୍ନ ନାହିଁ। ବିଷାକ୍ତ କାର୍ବନ ମନୋକ୍ସାଇଡ୍ (ସିଓ) ଦ୍ବାରା ସମସ୍ତ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଜର୍ଜିଆ ଭାରତୀୟ ଦୂତାବାସ ପକ୍ଷରୁ ଘଟଣା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ୧୨ ମୃତବ୍ୟକ୍ତି ଭାରତୀୟ ବୋଲି ଦାବି କରାଯାଇଛି। ରେସ୍ତୋରାଁଟି ଜଣେ ଭାରତୀୟଙ୍କ ଦ୍ବାରା ପରିଚାଳିତ। ମୃତ ବ୍ୟକ୍ତିମାନେ ସେହି ରେସ୍ତୋରାଁର କର୍ମଚାରୀ ଥିଲେ। ସେମାନଙ୍କ ମୃତଦେହକୁ ରେସ୍ତୋରାଁର ଦ୍ବିତୀୟ ମହଲାରେ ଥିବା ସେମାନଙ୍କ ଶୟନ କକ୍ଷରୁ ଉଦ୍ଧାର କରାଯାଇଛି। ସେମାନଙ୍କ ଠିକଣା ସଂଗ୍ରହ ଉଦ୍ୟମ ଜାରି ରହିଛି।



