ଦେଶ ବିଦେଶ

ରୁଷ୍‌ ଉପରେ ୯/୧୧ ଭଳି ଆକ୍ରମଣ: କାଜାନ ସହରର ବିଶାଳ କୋଠା ଉପରେ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। କେତେକ ପ୍ରମୁଖ ନାଟୋ ରାଷ୍ଟ୍ର ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଣ ଜାରି ରହିବ ବୋଲି ଘୋଷଣା କରିବା ପରେ ୟୁକ୍ରେନ ରୁଷ୍‌ର କାଜାନ୍‌ ସହର ଉପରେ ଭୟାବହ ଆକ୍ରମଣ କରିଛି। କାଜାନ୍‌ରେ ଆଜି ସକାଳେ ଏକାଧିକ ଶକ୍ତିଶାଳୀ ବିସ୍ଫୋରକ ବାହକ ଡ୍ରୋନ୍ କେତେକ ବିଶାଳ କୋଠା ଉପରେ ଆକ୍ରମଣ କରିଥିଲା। ଏଥିରେ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୂଚନା ଅନୁଯାୟୀ, ରୁଷ୍‌ର ପ୍ରତିରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଇ କାଜାନ ସହରରେ ୩ଟି କାମିକାଜେ ଡ୍ରୋନ୍ ଆବାସିକ ଉଚ୍ଚ କୋଠା ଉପରେ ଆକ୍ରମଣ କରିଥିଲା ଓ ଅନ୍ୟ ୫ଟି ଡ୍ରୋନ୍‌ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିଥିଲା। ବିଶାଳ କୋଠାଗୁଡ଼ିକରେ ବିସ୍ଫୋରଣର ଦୃଶ୍ୟ ଆମେରିକାର ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ (୯/୧୧)ର ଭ୍ରମ ସୃଷ୍ଟି କରିଥିଲା। ଏହି ଆକ୍ରମଣ ପରେ କାଜାନ ବିମାନବନ୍ଦର ସାମୟିକ ଭାବେ ବନ୍ଦ ରଖାଯିବା ସହ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

କିଛି ମାସ ତଳେ ସଫଳ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିଥିବା ରୁଷୀୟ ସହର କାଜାନ ଉପରେ ୟୁକ୍ରେନ୍‌ ଏଭଳି ଆକ୍ରମଣ କରିବାକୁ କିଭଳି ସକ୍ଷମ ହେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ରୁଷୀୟ ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁଯାୟୀ, ଆକ୍ରମଣ ପରେ ଜରୁରୀକାଳୀନ ସେବା ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଭାବିତ କୋଠାରୁ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ରିପୋର୍ଟ ସାର୍ବଜନୀନ ହୋଇନାହିଁ। ତେବେ ୩ଟି ବିଶାଳ କୋଠା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନର କେତେକ ଡ୍ରୋନ୍‌କୁ ଖସାଇ ଦିଆଯାଇଛି ଏବଂ ବିଭିନ୍ନ ସହରର ସୁରକ୍ଷା ପାଇଁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ
ହାଇଆଲର୍ଟରେ ରଖାଯାଇଛି। ଫେବ୍ରୁଆରି ୨୦୨୨ରେ ରୁ‌ଷ୍‌-ୟୁକ୍ରେନ୍ ସଂଘର୍ଷ ଆରମ୍ଭ ହେବା ପରଠାରୁ ରୁଷ୍‌ ରାଜଧାନୀ ମସ୍କୋ ଏବଂ ଅନ୍ୟ ରୁଷୀୟ ଅଞ୍ଚଳରେ ୟୁକ୍ରେନ୍ ଡ୍ରୋନ୍‌କୁ ଅନେକ ଥର ଅଟକାଇ ଦିଆଯାଇଛି। ତେବେ କିଛି ୟୁଏଭି ଟାର୍ଗେଟ୍‌ରେ ପହଞ୍ଚିବାରେ ସଫଳ ହେଉଥିବାରୁ ଏହା ସାଧାରଣରେ ଆତଙ୍କ ସୃଷ୍ଟି କରୁଛି। ସୂଚନାଯୋଗ୍ୟ, ଗତକାଲି ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ରୁଷ୍‌ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ୩ଟି ଜିଲ୍ଲାରେ ଭୟାନକ କ୍ଷୟକ୍ଷତି ଘଟିଛି। ଆକ୍ରମଣରେ ୬୩୦ଟି ଆବାସିକ କୋଠା, ୧୬ଟି ମେଡିକାଲ ସେଣ୍ଟର ଓ ୩୦ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୋଷ୍ଟୋଭ୍ ସୀମାନ୍ତ ଅଞ୍ଚଳରେ ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button