ବ୍ୟବସାୟ

ଦେବାଳିଆ ହେଲା ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି: ୨ ବର୍ଷରେ କରିଛି ୮୦ ବିଲିଅନ ଡଲାର କ୍ଷତି – Utkal Mail


୩୦୦ ବିଲିଅନ ଡଲାରର ଋଣବୋଝ, ୨୮୦ ସହରରେ ୧୩୦୦ରୁ ଅଧିକ ପ୍ରକଳ୍ପ

ନ୍ୟୁୟର୍କ: ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି ଏଭରଗ୍ରାଣ୍ଡ୍‌ ଦେବାଳିଆ ହୋଇଯାଇଛି। ଏହାଦ୍ବାରା ଚୀନର ରିଅଲ ଇଷ୍ଟେଟ ବଜାରରେ ବଡ଼ ସଂକଟ ସୃଷ୍ଟି ହୋଇଛି। ୨୦୨୧ ମସିହାରେ ଉକ୍ତ କମ୍ପାନି ଏହାର ବିପୁଳ ପରିମାଣର ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲା। ଏହାର ପ୍ରଭାବ ବିଶ୍ବର ଆର୍ଥିକ ବଜାର ଉପରେ ପଡ଼ିଥିଲା।

ଏଭରଗ୍ରାଣ୍ଡ୍‌ ଏହାର ସଂପତ୍ତିକୁ ସୁରକ୍ଷା ଦେବା ପାଇଁ ଏବେ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା ପାଇଁ ଆବେଦନ କରିଛି। ଗୁରୁବାର ନ୍ୟୁୟର୍କ ସିଟି କୋର୍ଟରେ ଚୀନ ଏଭରଗ୍ରାଣ୍ଡ୍ ଗ୍ରୁପ୍ ଦେବାଳିଆ ସୁରକ୍ଷା ଆଇନର ଚାପ୍ଟର ୧୫ ଅଧୀନରେ ଏହି ଆବେଦନ କରିଛି। ଉକ୍ତ ଗ୍ରୁପର ରିଅଲ ଇଷ୍ଟେଟ ୟୁନିଟର ଚୀନର ୨୮୦ଟି ସହରରେ ୧୩୦୦ରୁ ଅଧିକ ପ୍ରକଳ୍ପ ରହିଛି ବୋଲି ଏହାର ୱେବସାଇଟ୍‌ରୁ ଜଣାଯାଇଛି। ଏଥିସହିତ ଉକ୍ତ ଗ୍ରୁପ୍ ଇଲେକ୍ଟ୍ରିକ କାର ନିର୍ମାଣ ମଧ୍ୟ କରିଥାଏ। ଫୁଟବଲ କ୍ଲବ ମଧ୍ୟ ଉକ୍ତ କମ୍ପାନିର ରହିଛି। ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ଏଭରଗ୍ରାଣ୍ଡ୍‌ ଏହାର ଋଣ ପ୍ରଦାନକାରୀ ସଂସ୍ଥାଙ୍କ ସହିତ ରାଜିନାମାରେ ପରିବର୍ତ୍ତନ ପାଇଁ ଆଲୋଚନା ଚଳାଇଛି। ଉକ୍ତ କମ୍ପାନି ଉପରେ ୩୦୦ ବିଲିଅନ ଡଲାରରୁ ଅଧିକ ଋଣବୋଝ ରହିଛି।

ଫଳରେ ଏହା ବିଶ୍ବର ସବୁଠୁ ଅଧିକ ଋଣ ଥିବା ରିଅଲ ଇଷ୍ଟେଟ କମ୍ପାନି ଭାବେ ପରିଗଣିତ ହୋଇଥିଲା। ଗତମାସରେ ଏହି କମ୍ପାନି ଘୋଷଣା କରିଥିଲା ଯେ ଗତ ଦୁଇବର୍ଷ ମଧ୍ୟରେ ଏହାର ମୋଟ କ୍ଷତି ୮୦ ବିଲିଅନ ଡଲାରରେ ପହଞ୍ଚିଛି। ୨୦୨୧ ଏବଂ ୨୦୨୨ରେ କମ୍ପାନି ଏହି କ୍ଷତି ସହିଛି। କେବଳ ଏଭରଗ୍ରାଣ୍ଡ୍‌ ନୁହେଁ ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତି ଭାବେ ପରିଗଣିତ ଚୀନର ଅନେକ ବଡ଼ ରିଅଲ ଇଷ୍ଟେଟ କମ୍ପାନି ସୋମନଙ୍କ ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ପାଣ୍ଠି ସଂଗ୍ରହରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭରଗ୍ରାଣ୍ଡର ଏକ ସହଯୋଗୀ କମ୍ପାନି ଟିଆନଜି ହୋଲଡିଙ୍ଗସ ମଧ୍ୟ ମାନହଟ୍ଟନ ବ୍ୟାଙ୍କରପସି କୋର୍ଟରେ ଦେବାଳିଆ ଆଇନର ଚାପ୍ଟର ୧୫ ଅଧୀନରେ ନିଜର ସୁରକ୍ଷା ଦାବି କରିଛି। ଚୀନ ଅର୍ଥନୀତିର ଅଭିବୃଦ୍ଧି ମନ୍ଥର ହୋଇଥଇବାରୁ ଏଭରଗ୍ରାଣ୍ଡ୍ ଦେବାଳିଆ ‌ଆଇନରେ ନିଜର ସୁରକ୍ଷା ପାଇଁ ଆବେଦନ କରିବା ପରେ ଏହାର ପ୍ରଭାବ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button