ଦେଶ ବିଦେଶ

Election 2024: ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ; ନିୟମ କଣ ଜାଣନ୍ତୁ…

Elections 2024: ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଥିବା ବେଳେ ପୋଲ୍ ପୋଜିସନକୁ ଆସିଛି ସାରା ଦେଶ । ଅର୍ଥାତ, ସାରା ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି ।

ନିର୍ବାଚନୀ ଫଳାଫଳ ଘୋଷଣା ସରିବା ପର୍ଯ୍ୟନ୍ତ ଏହା ପୂରା ଦେଶରେ ବଳବତ୍ତର ରହିବ । କଣ ଏହି ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ବା ଆଦର୍ଶ ଆଚରଣ ବିଧି ଏବଂ କାହିଁକି ଏହାର ଆବଶ୍ୟକତା ରହିଛି ?

ନିୟମ କହୁଛି, ନେତା ଓ ରାଜନୈତିକ ଦଳ ଏହି ଆଦର୍ଶ ଆଚରଣ ବିଧି ମାନିବାକୁ ବାଧ୍ୟ । ପ୍ରଚାର ସମୟରେ ନେତାଙ୍କ ମୁହଁରେ ନିୟନ୍ତ୍ରଣ ରଖିବାକୁ ଏହା ଉଦ୍ଦିଷ୍ଟ । ଯାହାର ଏକମାତ୍ର ଉଦ୍ଦେଶ୍ୟ ନିର୍ବାଚନକୁ ନିରପେକ୍ଷ ଏବଂ ସୁରୁଖୁରୁରେ ସମ୍ପନ୍ନ କରାଇବା ।

ଏହି ସମୟ ମଧ୍ୟରେ ସରକାର, କୌଣସି ପ୍ରକାର ଜନମଙ୍ଗଳକାରୀ ଘୋଷଣା କରିପାରିବେ ନାହିଁ । ଅର୍ଥାତ, ଭୋଟରଙ୍କୁ ପ୍ରଭାବିତ କଲା ଭଳି କିଛି ବି ଘୋଷଣା କରିପାରିବେ ନାହିଁ । ପ୍ରଚାର ବେଳେ ନେତାଏ କିଛି ବି ଆର୍ଥିକ ଯୋଜନା ଘୋଷଣା କରିପାରିବେ ନାହିଁ ।

ସରକାର ମଧ୍ୟ କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା କୌଣସି ପ୍ରକଳ୍ପ ବାବଦରେ ଘୋଷଣା କରିପାରିବେ ନାହିଁ । ଯାହା ବି ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଛି, ତାକୁ ନେଇ କିଛି ଅତିରିକ୍ତ ଘୋଷଣା କରାଯାଇ ପାରିବ ନାହିଁ । ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ଘୋଷଣା ହୋଇପାରିବ ନାହିଁ । ପାନୀୟ ଜଳକୁ ନେଇ ମଧ୍ୟ କିଛି ଘୋଷଣା ହେବନି ।

ଆଦର୍ଶ ଆଚରଣ ବିଧି ସମୟରେ ସମସ୍ତ ପ୍ରକାର ସରକାରୀ ଏବଂ ପବ୍ଲିକ୍ ସେକ୍ଟର କ୍ଷେତ୍ରରେ ନିଯୁକ୍ତି ବନ୍ଦ ରହିବ । ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଥାଇ ନିର୍ବାଚନ ଲଢୁଥିବା ନେତାଏ ସେମାନଙ୍କ ଅନୁଦାନ ପାଣ୍ଠିରୁ ଟଙ୍କାଟେ ଘୋଷଣା କରିପାରିବେ ନାହିଁ ।

ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ବଳବତ୍ତର ଥିବା ବେଳେ ସରକାରୀ ସମ୍ପଦ, ସରକାରୀ ପରିବହନ, ସରକାରୀ କଳ ଏପରିକି ମିଳିଥିବା ସରକାରୀ ସୁରକ୍ଷା ବ୍ୟବହାର କରାଯାଇ ପାରିବ ନାହିଁ । ପୌରପାଳିକା ଏବଂ ପଞ୍ଚାୟତ ଅଧୀନରେ ଥିବା ପବ୍ଲିକ୍ ଜାଗାକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯିବ ।

ସମସ୍ତ ରାଜନୈତିକ ଦଳଙ୍କ ପାଇଁ ଏହା ଉପଲବ୍ଧ ହେବ । ସରକାରୀ ଗେଷ୍ଟ ହାଉସ, ଡାକ ବଙ୍ଗଳା ଏବଂ ଅନ୍ୟ ସରକାରୀ ଫାସିଲିଟି ଆଦୌ ବ୍ୟବହାର କରାଯାଇ ପାରିବ ନାହିଁ । ସରକାରଙ୍କ ଅଧୀନରେ ଥିବା ଗଣମାଧ୍ୟମ ସଂସ୍ଥା, ସରକାରଙ୍କୁ ସୁହାଇଲା ଭଳି ଖବର ପରିବେଷଣ କରିପାରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button