ଟ୍ରାଇ ରିପୋର୍ଟ: ଓଡ଼ିଶାରେ ୫୨% ଇଣ୍ଟରନେଟ୍ ବ୍ୟବହାରକାରୀ – Utkal Mail
ମାସକୁ ୧୬ ଘଣ୍ଟା ମୋବାଇଲରେ କଥା ହେଉଛନ୍ତି ଭାରତୀୟ
ଭୁବନେଶ୍ବର: ରାଜ୍ୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶା ପଛରେ ଅଛି। ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରୁ ଏହା ଜଣାଯାଇଛି। ଜୁନ ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ପ୍ରତି ୧୦୦ ଜଣରେ ହାରାହାରି ପ୍ରାୟ ୫୨ ଜଣ (୫୧.୫୬) ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ରାଜ୍ୟର ସହରାଞ୍ଚଳରେ ପ୍ରତି ୧୦୦ ଲୋକରେ ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା ୯୩ ଜଣ (୯୨.୭୫) ଥିବାବେଳେ ଗ୍ରାମାଞ୍ଚଳରେ ଏହା ୪୨ (୪୧.୯୩) ରହିଛି।
ରାଜ୍ୟରେ ମୋଟ ୨ କୋଟି ୨୮ ଲକ୍ଷ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ଦେଢ଼ କୋଟି ଏବଂ ସହରାଞ୍ଚଳରେ ୭୮ ଲକ୍ଷ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଓଡ଼ିଶା ଏକ ଗ୍ରାମ ବହୁଳ ରାଜ୍ୟ ହୋଇଥିବାରୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀ ସାମଗ୍ରିକ ସଂଖ୍ୟା ଦୃଷ୍ଟିରୁ ଅଧିକ ହୋଇଥିଲେ ମଧ୍ୟ ସାନ୍ଦ୍ରତା କମ୍ ରହିଛି। ଜାତୀୟ ସ୍ତରରେ କିନ୍ତୁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସାନ୍ଦ୍ରତା ୬୪.୪୩ ରହିଛି। ଦେଶରେ ମଧ୍ୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାରୀଙ୍କ ସାନ୍ଦ୍ରତାରେ ବଡ଼ ପାର୍ଥକ୍ୟ ରହିଛି। ଦେଶର ସହରାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସାନ୍ଦ୍ରତା ୧୦୮ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୪୦.୬୬ ରହିଛି। ଦେଶର ୨୮ଟି ରାଜ୍ୟର ତଥ୍ୟକୁ ବିଚାରକୁ ନେଲେ ଜଣାଯାଇଛି ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି।
ସବାତଳେ ବିହାର ରହିଛି। ସେଠାରେ ୩୮.୬୭ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସେହିଭଳି ଝାଡ଼ଖଣ୍ଡରେ ୪୬.୨୫ ପ୍ରତିଶତ, ତ୍ରିପୁରାରେ ୪୮.୪୮ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୪୯.୭୮ ପ୍ରତିଶତ ଏବଂ ଆସାମରେ ୫୦.୦୮ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଓଡ଼ିଶାର ପଡ଼ୋଶୀ ରାଜ୍ୟଙ୍କ କଥା ବିଚାରକୁ ନେଲେ ଝାଡ଼ଖଣ୍ଡ ବ୍ୟତୀତ ଅନ୍ୟ ସବୁ ରାଜ୍ୟ ଆମଠାରୁ ଆଗରେ ଅଛନ୍ତି। ଆନ୍ଧ୍ର ପ୍ରଦେଶରେ ୬୨ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ପଶ୍ଚିମବଙ୍ଗରେ ୬୦.୨୭ ପ୍ରତିଶତ ଏବଂ ଛତିଶଗଡ଼ରେ ୫୨.୨୫ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଓଡ଼ିଶା ତଳଆଡ଼ୁ ଷଷ୍ଠ ସ୍ଥାନରେ ରହିଛି। ଦେଶ ଭିତରେ ଗୋଆରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସାନ୍ଦ୍ରତା ସର୍ବାଧିକ ୧୪୧.୪୦ ରହିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ସିକ୍କିମ (୧୦୨.୯୩ ପ୍ରତିଶତ) ରହିଛି। ତେବେ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଦେଖିଲେ ଦିଲ୍ଲୀରେ ଏହା ୧୨୯.୫୮ ପ୍ରତିଶତ, ଲଦାଖରେ ୧୨୫.୯୦ ପ୍ରତିଶତ, ଚଣ୍ଡୀଗଡ଼ରେ ୧୦୬.୭୩ ପ୍ରତିଶତ, ଆଣ୍ଡାମାନ ଓ ନିକୋବରରେ ୧୦୩.୮୮ ପ୍ରତିଶତ ରହିଛି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଆଜିକାଲି ଡିଜିଟାଲ କାରବାର ଠାରୁ ଆରମ୍ଭ କରି ଭିଡିଓ, ଇ-ମେଲ୍ ଆଦି ବ୍ୟବହାର ହେଉଛି। ତେଣୁ ଡାଟା ବା ଇଣ୍ଟରନେଟ୍ ହେଉଛି ଏହାର ମୁଖ୍ୟ । ଡିଜିଟାଲ କ୍ଷେତ୍ରରେ ହେଉଥିବା ବିପ୍ଳବର ସୁବିଧା ସୁଯୋଗକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଇଣ୍ଟରନେଟ୍ ବ୍ୟବହାର କରିବା ଆବଶ୍ୟକ। ତେଣୁ ଇଣ୍ଟରନେଟ୍ ବ୍ୟବହାରକୁ ଆହୁରି ବ୍ୟାପକ କରିବାକୁ ହେବ। ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଓ ସମସ୍ୟାକୁ ଦୂର କରାଯାଇ ପାରିଲେ ଲୋକମାନେ ବିଭିନ୍ନ ଦିଗରୁ ଅଧିକ ସଶକ୍ତ ହୋଇପାରିବେ।
ମାସକୁ ୧୬ ଘଣ୍ଟା ମୋବାଇଲରେ କଥା ହେଉଛନ୍ତି ଭାରତୀୟ, ୧୮.୩୯ ଜିବି ଡାଟା ବ୍ୟବହାର କରୁଛନ୍ତି
ଟ୍ରାଇ ପକ୍ଷରୁ ଚଳିତମାସରେ ପ୍ରକାଶିତ ଭାରତୀୟ ଦୂରସଂଚାର ସେବାର ପ୍ରଦର୍ଶନ ସୂଚୀ ରିପୋର୍ଟ (୨୦୨୩ ଏପ୍ରିଲ-ଜୁନ)ରୁ ଏହା ଜଣାଯାଇଛି ଯେ ମାସକୁ ଜଣେ ମୋବାଇଲ ଫୋନ ବ୍ୟବହାରକାରୀ ହାରାହାରି ୯୬୦ ମିନିଟ୍ ବା ୧୬ ଘଣ୍ଟା କଥା ହେଉଛନ୍ତି। ସେହିଭଳି ମୋବାଇଲ ଫୋନ ବ୍ୟବହାରକାରୀ ମାସିକ ହାରାହାରି ୧୮.୩୯ ଜିବି ଡାଟା ବ୍ୟବହାର କରୁଛନ୍ତି।