ମଣିପୁରରେ ପୁଣି ହିଂସା; ଥାନା,କୋର୍ଟ ଉପରେ ଆକ୍ରମଣ – Utkal Mail
ଇମ୍ଫାଲ : ମଣିପୁରରେ ଜାତିଗତ ହିଂସା ଥମିବାର ନାଁ ନେଉନାହିଁ। ଗୁରୁବାର ପୁଲିସ ୫ ଜଣ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯୁବକମାନଙ୍କୁ ନିଃସର୍ତ୍ତ ମୁକ୍ତ କରିବା ଦାବିରେ ଉତ୍ତ୍ୟକ୍ତ ଜନତା ଇମ୍ଫାଲ ପୂର୍ବର ପୋରୋମପାଟ ପୋଲିସ ଷ୍ଟେସନ ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସିଂଜାମେଇ ପୋଲିସ ଷ୍ଟେସନ ଏବଂ କ୍ୱାକିଥେଲ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସେପ୍ଟେମ୍ବର ୧୬ରେ ୫ ଜଣ ବାଳକଙ୍କୁ ଗିରଫ କରାଯିବା ପରଠାରୁ ଇମ୍ଫାଲରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ସୁରକ୍ଷା ବାହିନୀ ଜନତାଙ୍କ ଉପରକୁ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲେ, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ପୁଲିସ ସହ ସଂଘର୍ଷ ଘଟଣା ପରେ ରାଜ୍ୟ ସରକାର ଇମ୍ଫାଲର ଦୁଇ ଜିଲ୍ଲାରେ କର୍ଫ୍ୟୁ କୋହଳ କୁ ପ୍ରତ୍ୟାହାର କରିଛନ୍ତି।
ଇମ୍ଫାଲ ପଶ୍ଚିମର ଜିଲ୍ଲାପାଳ ମଧ୍ୟ ଏ ନେଇ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେପ୍ଟେମ୍ବର ୨୧ ତାରିଖ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ହୋଇଥିବା କର୍ଫ୍ୟୁକୁ ଅପରାହ୍ନ ୫ଟାରୁ ପ୍ରତ୍ୟାହାର କରାଯାଇଛି। ଏଭଳି ସ୍ଥିତିରେ ପୂର୍ବରୁ ଜାରି ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବ। ପୂର୍ବ ଇମ୍ଫାଲରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।