ସନ୍ନି ବଙ୍ଗଳା ନିଲାମୀ ନୋଟିସ୍ ପ୍ରତ୍ୟାହାର ନେଇ ଜୟରାମଙ୍କ ପ୍ରଶ୍ନ – Utkal Mail
ମୁମ୍ବାଇ: ବଲିଉଡ୍ ସିନେମା ଗଦର-୨ର ନାୟକ ତଥା ଗୁରଦାସପୁରର ବିଜେପି ନେତା ସନ୍ନି ଦେଓଲଙ୍କ ଜୁହୁସ୍ଥିତ ବଙ୍ଗଳା ନିଲାମ ହେବନି। ସନ୍ନି ୫୬ କୋଟି ଟଙ୍କାର ଋଣ ଶୁଝିବାରେ ବିଫଳ ହୋଇଥିବାରୁ ସେପ୍ଟେମ୍ବର ୨୫ରେ ତାହାକୁ ନିଲାମ କରିବା ଲାଗି ବ୍ୟାଙ୍କ ଅଫ୍ ବରୋଦା ଏକ ନୋଟିସ୍ ଜାରି କରିଥିଲା। ଚବିଶ ଘଣ୍ଟା ଭିତରେ ସେହି ନୋଟିସ୍କୁ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି। ବୈଷୟିକ କାରଣ ଦୃଷ୍ଟିରୁ ନୋଟିସ୍ ପ୍ରତ୍ୟାହାର କରାଯାଇଛି ବୋଲି ବ୍ୟାଙ୍କ କହିବା ସହ ଋଣ ଶୁଝିବା ଲାଗି ସନ୍ନି ବ୍ୟାଙ୍କ ସହ ଯୋଗାଯୋଗ କରିଥିବା କୁହାଯାଇଛି।
ଶିଳ୍ପରେ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିକ୍ରି ନୋଟିସ୍ ପ୍ରତ୍ୟାହାର କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।ତେବେ ଯେଉଁ କ୍ଷୀପ୍ର ଗତିରେ ବ୍ୟାଙ୍କ ନୋଟିସ୍ ପ୍ରତ୍ୟାହାର କରିଛି ତାହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଗତକାଲି ସାରା ଦେଶ ଜାଣିଲା ଯେ ୫୬ କୋଟି ଟଙ୍କା ଶୁଝିନଥିବାରୁ ବ୍ୟାଙ୍କ ଅଫ୍ ବରୋଦା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ନିଲାମ କରିବ। ଚବିଶ ଘଣ୍ଟା ପୂରିନଥିବା ବେଳେ ଆଜି ସକାଳେ ଦେଶ ଜାଣିଲା ବ୍ୟାଙ୍କ ସେହି ନୋଟିସ୍ ପ୍ରତ୍ୟାହାର କରିନେଇଛି। ଏହା ପଛର ‘ବୈଷୟିକ କାରଣ’ କିଏ ବୋଲି ରମେଶ ପ୍ରଶ୍ନ କରିଛନ୍ତି।