କ୍ରାଇମ

ସାବଧାନ! ମାତିଛି ତଣ୍ଟିକଟା ଗ୍ୟାଙ୍ଗ – Utkal Mail


ସମାନ ଶୈଳୀରେ ସପ୍ତାହକ ଭିତରେ ମଧ୍ୟରେ ୨ ମାମଲା

ଭୁବନେଶ୍ବର: ରାତିରେ ରାଜଧାନୀ ରାଜରାସ୍ତାରେ ଏକଟୁଆ ଯାଉଛନ୍ତି କି? ତା’ହେଲେ ସାବଧାନତାର ସହ ଯାଆନ୍ତୁ! ଅଚିହ୍ନା ଲୋକ ଅଟକାଇଲେ ଛିଡ଼ା ହୁଅନ୍ତୁ ନାହିଁ,  ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ! ନଚେତ୍ ଆପଣ ହୋଇ ପାରନ୍ତି ଲୁଟ୍‌ର ଶିକାର। ଏବେ ହଠାତ୍ ସକ୍ରିୟ ହୋଇ ପଡ଼ିଥିବା ଲୁଟେରାମାନେ ତଣ୍ଟି କାଟି ପ୍ରାଣାନ୍ତକ ଆକ୍ରମଣ କରିବା ପରେ ଲୁଟୁଛନ୍ତି। ଗତ ସପ୍ତାହକ ମଧ୍ୟରେ ରାଜଧାନୀରେ ଦୁଇଟି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଲୁଟ୍‌ର ଶୈଳୀ ପ୍ରାୟ ସମାନ ଥିବାରୁ ଏ ଦୁଇଟି ଯାକରେ ଗୋଟିଏ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ଏହି ଗ୍ୟାଙ୍ଗ ଏବେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। କିନ୍ତୁ ଗ୍ୟାଙ୍ଗ ସମ୍ପର୍କରେ ପୁଲିସ ପତ୍ତା ପାଇ ପାରିନାହିଁ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତ ୧୨ ତାରିଖରେ ଜଣେ ହସ୍ପିଟାଲ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଲୁଟର ଶିକାର କର୍ମଚାରୀ ହେଲେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ରହୁଥିବା ସନ୍ତୋଷ ମହାପାତ୍ର। ସେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ। ଗତ ୧୨ ତାରିଖରେ ରାତି ପ୍ରାୟ ୧୦ଟାରେ ଡ୍ୟୁଟି ସାରି ଘରକୁ ଯିବା ପାଇଁ କଳିଙ୍ଗ ହସ୍ପିଟାଲ ଛକରେ ଏକ ଅଟୋରେ ବସିଥିଲେ। ସେହି ଅଟୋରେ ପୂର୍ବରୁ ଦୁଇ ଜଣ ଯାତ୍ରୀ ଥିଲେ। ହାଉସିଂ ବୋର୍ଡ ଛକକୁ ଯିବା ପରିବର୍ତ୍ତେ ଅଟୋ ଡ୍ରାଇଭର ଗାଡ଼ିକୁ ଓମଫେଡ ରାସ୍ତାକୁ ନେଇ ଯାଇଥିଲେ।

ନିଛାଟିଆ ରାସ୍ତାରେ ଯାତ୍ରୀ ଓ ଡ୍ରାଇଭର୍‌ ମିଶି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ସନ୍ତୋଷ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ତଣ୍ଟି କାଟି ଦେଇଥିଲେ। ସେ ୩ ଦୁର୍ବୃତ୍ତ ସନ୍ତୋଷଙ୍କ ପାଖରେ ଥିବା ୬୫୦୦ ଟଙ୍କା ଲୁଟି ନେଇଥିଲେ। ସନ୍ତୋଷ ଅଚେତ୍‌ ଅବସ୍ଥାରେ ପଡ଼ି ରହିଥିଲେ। ରାତିରେ ପରିବାର ଲୋକ ଖୋଜାଖୋଜି କରିବା ସହ ଫୋନ୍ କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ପରଦିନ ଅର୍ଥାତ୍ ୧୩ ତାରିଖ ସକାଳେ ସନ୍ତୋଷ ପତ୍ନୀଙ୍କ ପାଖକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକ ପହଞ୍ଚି ସନ୍ତୋଷଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ-୪୨୭ ଓ ଆଇପିସି ଦଫା-୩୯୪,୩୯୭ରେ ମାମଲା ରୁଜୁ କରିଛି। ସେହିପରି ଏୟାରପୋର୍ଟ ଥାନା ଅଧୀନ ଲିଙ୍ଗରାଜ ଷ୍ଟେସନ-ପୋଖରୀପୁଟ ରାସ୍ତାର ହୋମିଓପାଥି ମେଡିକାଲ ସାମ୍ନାରେ ଶାକ୍ୟସିଂ ପାଲ ନାମକ ଜଣେ ଯୁବକ ଲୁଟର ଶିକାର ହୋଇଥିଲେ। ସେଠାରେ ମଧ୍ୟ ୩ ଜଣ ଦୁର୍ବୃତ୍ତ ଶାକ୍ୟସିଂଙ୍କ ତଣ୍ଟି କାଟି ୯୦୦୦ ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିବା ନେଇ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଛି। ସମାନ ତରିକାରେ ଘଟିଥିବା ଏହି ମାମଲାରେ ମଧ୍ୟ କେହି ଅଭିଯୁକ୍ତ ଧରାପଡ଼ି ନାହାନ୍ତି।

ଏହି ଘଟଣାର ମାତ୍ର ଅଳ୍ପଦିନ ପରେ ଗତ ରବିବାର ପୋଖରୀପୁଟ ସିଏନଜି ପେଟ୍ରୋଲ ପମ୍ପ ନିକଟରେ ଦିଲ୍ଲୀରୁ ଫେରି ଘରକୁ ଯାଉଥିବା ଜଣେ ଯୁବକଙ୍କୁ ନିଶାଦେଇ ଲୁଟ୍ କରିବା ପରେ ଫିଙ୍ଗି ଦେଇଥିଲେ। ଏ ନେଇ ଲୁଟର ଶିକାର ଯୁବକଙ୍କ ବାପା ରାଘବାନନ୍ଦ ମହାପାତ୍ର ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ସପ୍ତାହକ ମଧ୍ୟରେ ଗୋଟିଏ ଅଞ୍ଚଳରେ ତଣ୍ଟି କାଟି ଓ ନିଶା ଦେଇ ଲୁଟିଲେ। ଏୟାରପୋର୍ଟ ଥାନା ଅଞ୍ଚଳରେ ଦୁଇଟି ଯାକ ଘଟଣା ଘଟିଥିଲେ ମଧ୍ୟ ପୁଲିସ ଗୋଟିଏ ମାମଲାରେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇପାରି ନାହିଁ।

ଲାଗିଲାନି ଅପହରଣ ଦଫା

ସନ୍ତୋଷ ଡ୍ୟୁଟି ସାରି ଘରକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ଅନ୍ୟ ରୁଟ୍‌ରେ ନେଇ ଯାଇଥିଲା। ଏହା ଅପହରଣ ଅପରାଧ ଅନ୍ତର୍ଭୂକ୍ତ ହୋଇଥିଲେ ମଧ୍ୟ ପୁଲିସ କିନ୍ତୁ ଅପହରଣ ଦଫା ଲଗାଇ ନାହିଁ। ଯାହା ଦୁର୍ବୃତ୍ତଙ୍କୁ ସୁହାଇବ ବୋଲି କୁହାଯାଉଛି।

ବ୍ଲାକ୍ ଜ୍ୟାକେଟ୍ ପରେ ତଣ୍ଟି କଟା ଗ୍ୟାଙ୍ଗ

ବ୍ଲାକ୍ ଜ୍ୟାକେଟ ପରେ ତଣ୍ଟି କଟା ଗ୍ୟାଙ୍ଗ ଏବେ ଆତଙ୍କ ଖେଳାଇଛନ୍ତି। ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗ ରାଜଧାନୀରେ ପ୍ରାୟ ୩୦ରୁ ଅଧିକ ଲୁଟ୍ ଘଟାଇ ପୁଲିସର ନିଦ ହଜାଇ ଦେଇଥିଲା। ତଣ୍ଟି କଟା ଗ୍ୟାଙ୍ଗ ଏବେ ୨ଟି ଘଟଣା ଘଟାଇଛି। ଏହି ଗ୍ୟାଙ୍ଗ ଧରା ନ ପଡ଼ିଲେ ଆଗକୁ ଆହୁରି ଅପରାଧ ଘଟାଇବାର ଆଶଙ୍କା ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button