ଦେଶ ବିଦେଶ

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ: ଏଡିସି ଅଧ୍ୟକ୍ଷଙ୍କୁ ଦେଲେ ୫୧୫.୩୧ କୋଟି ଟଙ୍କା

ନୂଆଦିଲ୍ଲୀ: ‌ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ବୈଧ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ  ଆଜି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆସେଟସ୍ ଡିସ୍‌ପୋଜାଲ୍‌ କମିଟି(ଏଡିସି)ର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଡିକେ ସେଠ୍‌ଙ୍କୁ ୫୧୫.୩୧ କୋଟି ଟଙ୍କାର ଡିମାଣ୍ଡ୍‌ ଡ୍ରାଫ୍ଟ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଏଡିସିଙ୍କ ନିକଟରେ ଏ ପର୍ଯ୍ୟନ୍ତ ଦାଖଲ ହୋଇଥିବା ୩୧ ଲକ୍ଷ ଦାବି ମଧ୍ୟରୁ ପ୍ରାୟ ୭.୫ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ବ୍ୟବହାର କରାଯିବ ବୋଲି ଆକଳନ କରାଯାଉଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି ) ଏଡିସିଙ୍କ ନିକଟରେ ୩୨ ହଜାର ୩୧୯ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ୨୨ କୋଟି ଟଙ୍କା  ହସ୍ତାନ୍ତର କରିଥିଲା। ଟଙ୍କା ଫେରାଇବା ପ୍ରକ୍ରିୟା ଜାରି ରହିଛି। ଓଡ଼ିଶା ସମେତ ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗର ‌ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌  କ୍ଷତିଗ୍ରସ୍ତଙ୍କୁ ଏହି ଟଙ୍କା ଫେରସ୍ତ କରାଯିବ।

ସୂଚନାଯୋଗ୍ୟ, ୨୦୧୫-୧୭ରେ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାରେ ଇଡି  ମନି ଟ୍ରେଲ୍‌ର ତଦନ୍ତ କରି ୨,୯୮୭ ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଖୋଜି ୫୧୫. ୩୧ କୋଟି ଟଙ୍କା ଆଟାଚ୍‌ କରିଥିଲା। ଏହାପରେ ଇଡି ଦ୍ବାରା ୧,୧୭୨ କୋଟି ଟଙ୍କାର ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମତ୍ତିକୁ ମଧ୍ୟ ଆଟାଚ୍‌ କରାଯାଇଥିଲା। ସମ୍ପତ୍ତିର ବର୍ତ୍ତମାନ ବଜାର ମୂଲ୍ୟ ୨୦୦୦ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି ଯାହା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପରିଶୋଧ ଏବଂ ଫେରସ୍ତ ପ୍ରକ୍ରିୟାରେ ରହିଛି। ଇଡି ପଶ୍ଚିମବଙ୍ଗ,ଓଡ଼ିଶା,ଆସାମ ଏବଂ ତ୍ରିପୁରା ରାଜ୍ୟରେ ରୋଜ୍‌ଭ୍ୟାଲି ଗ୍ରୁପ୍‌ ବିରୋଧରେ ୫ଟି ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ମାମଲାର ତଦନ୍ତ କରୁଛି। ଗତ ମାସରେ ଭୁବନେଶ୍ବରର ସ୍ପେସାଲ ପିଏମ୍‌ଏଲ୍‌ଏ କୋର୍ଟ ଇଡିର ଆବେଦନକୁ ବିଚାର କରି ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥାର ବିଭିନ୍ନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ୍‌ ଆକାରରେ  ଜମା ଥିବା ୪୫୦ କୋଟି ଟଙ୍କାକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ସାରା ଦେଶରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପଥ ପ୍ରଶସ୍ତ ହୋଇଥିଲା। ଆଜି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଏଡିସିର ଅଧ୍ୟକ୍ଷ ଜଷ୍ଟିସ୍‌ ସେଠ୍‌ଙ୍କୁ କ୍ଷତିଗ୍ରସ୍ତ ବୈଧ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ୫୧୫.୩୧ କୋଟି ଟଙ୍କାର ଡିମାଣ୍ଡ୍‌ ଡ୍ରାଫ୍ଟ ହସ୍ତାନ୍ତର କରିବା ଅବସରରେ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ ଓ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button