ଅଙ୍ଗୁର ସାଇତିବାର ଆଫଗାନୀ ପଦ୍ଧତି – Utkal Mail
ଅଙ୍ଗୁର କୋଳି ଆଫଗାନିସ୍ତାନ ଲୋକମାନଙ୍କର ଭୋଜନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଭାରତରେ ବିଭିନ୍ନ ପ୍ରକାର ଆମ୍ବ ମିଳିଲା ପରି ସେଠାରେ ହୁସୈନି, ତୈଫି, କାସେଣ୍ଡ୍ରା, ଲାଲ୍, ଖଟା, ଘୋଲାଫାଁ, ଲାଲ୍ କାନ୍ଦାହାରୀ, ରୌଚା, ସୋନ୍ଦାଖାନାଇ, କିସମିସ, କଳା କିସମିସ ଏବଂ ମେହେର ଆମାଲ୍ଦି ଆଦି ପ୍ରଜାତିର ଅଙ୍ଗୁର ମିଳେ। ଆଫଗାନିସ୍ତାନ ଅଙ୍ଗୁର ଚାଷ ହେଉଥିବା ପୃଥିବୀର ପ୍ରାଚୀନତମ ଅଞ୍ଚଳର ମାନ୍ୟତା ବହନ କରୁଛି। ପ୍ରାୟ ୪ ହଜାର ବର୍ଷ ତଳୁ ସେଠାରେ ଅଙ୍ଗୁର କୋଳି ଚାଷ କରାଯାଇଆସୁଛି। ଅଙ୍ଗୁର ଏକ ଖରାଦିନିଆ ଫଳ ହୋଇଥିବାରୁ ଶୀତଦିନେ ତାହାର ଉପଲବ୍ଧତା ଲାଗି ଉପଯୁକ୍ତ ସଂରକ୍ଷଣ ଜରୁରୀ। ଆଫଗାନୀମାନେ ସେଥିପାଇଁ ଶହ ଶହ ବର୍ଷ ହେଲା ‘କାଙ୍ଗିନା’ ନାମକ ପାରମ୍ପରିକ ପଦ୍ଧତି ଅନୁସରଣ କରୁଛନ୍ତି।
କାଙ୍ଗିନା ପାତ୍ରଟି ଦେଖିବାକୁ ଏକ ଫୁଲା ରୁଟି ପରି। ତାକୁ ନିର୍ମାଣ କରିବାକୁ କେବଳ ନଡ଼ା ଓ ମାଟି ବ୍ୟବହାର କରାଯାଏ। ପ୍ରଥମେ କାଦୁଅରେ ଏକ ଘୋଡ଼ଣୀବିହୀନ ଗଭୀର ଥାଳିଆ ଗଢ଼ି ତାହାକୁ ଖରାରେ ଶୁଖାଯାଇଥାଏ। ଶୁଖିଗଲା ପରେ ସେଥିରେ ଅଙ୍ଗୁର କୋଳି ଭରି ଦିଆଯାଏ। ତା’ପରେ ଦୁଇଟି ଥାଳିଆକୁ କାଦୁଅ ସାହାଯ୍ୟରେ ଯୋଡ଼ି ଦିଆଯାଇଥାଏ। ସେହି କ୍ରମରେ ତାହା ଏକ ନିବୁଜ ପାତ୍ରରେ ପରିଣତ ହୋଇଯାଏ। ତାହାକୁ ସୂର୍ଯ୍ୟାଲୋକ ପଡୁନଥିବା ଶୀତଳ ସ୍ଥାନରେ ସଂରକ୍ଷିତ କରି ରଖାଯାଏ। କେହି କେହି ଏହି ଅଙ୍ଗୁରପାତ୍ରକୁ ଗାତ ଖୋଳି ଭୂଇଁ ତଳେ ରଖିଥାନ୍ତି। ଏପରି ଭାବେ ଦୀର୍ଘ ୬ ମାସ ଯାଏ ଅଙ୍ଗୁର କୋଳିକୁ ସଂରକ୍ଷିତ ରଖିହୁଏ।