ଦେଶ ବିଦେଶ

ଆଇଏଏସ ଅଧିକାରୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିବାରୁ ପୁଲିସ ଉପରେ ବର୍ଷିଲେ ହାଇକୋର୍ଟ

ମାଜ ଡିଜିଟାଲ ଡେସ୍କ: ପୁଣି ବିବାଦ ଘେରକୁ ଆସିଛି କଲକାତା ପୁଲିସ। ଜଣେ ଆଇଏଏସ ଅଧିକାରୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ କୋହଳ ଦଫା ଲଗାଇବାରୁ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଯାଇଛି, ଯାହାକୁ ନେଇ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି କଲକାତା ହାଇକୋର୍ଟ। ଅଭିଯୁକ୍ତଙ୍କୁ ତଳକୋର୍ଟରୁ ମିଳିଥିବା ଜାମିନକୁ ପ୍ରତ୍ୟାହାର କରିବା ସହିତ ପୁନର୍ବାର ତଦନ୍ତ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

 

ଗତ ଜୁଲାଇ ୧୪ ଏବଂ ୧୫ ତାରିଖ ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିଲା। ଜୁଲାଇ ୧୪ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରେ ପଶିଥିଲା। ସ୍ଵାମୀ ଘରେ ନ ଥିବାବେଳେ ଅଭିଯୁକ୍ତ ଜଣକ ବନ୍ଧୁକ ଦେଖାଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ ପୀଡ଼ିତା ଲେକ୍‌ ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତୁରନ୍ତ ପଦକ୍ଷେପ ନେଇ ନ ଥିଲା। ଅନେକ ଘଣ୍ଟା ପୀଡ଼ିତା ଥାନାରେ ବସିବା ପରେ ପୁଲିସ ଏତଲା ରଖିବା ସହିତ ମାମଲା ରୁଜୁ କରିଥିଲା। ମାମଲାରେ ଅତି କୋହଳ ଦଫା ଲାଗୁ କରାଯାଇଥିଲା, ଯେଉଁଥିପାଇଁ ଅଭିଯୁକ୍ତ ଗିରଫ ହେବା ପରେ କୋର୍ଟରୁ ସଙ୍ଗେ ସଙ୍ଗେ ଜାମିନ ପାଇଯାଇଥିଲେ।

ହାଇକୋର୍ଟଙ୍କ ନଜରକୁ ଏହି ମାମଲା ଆସିବା ପରେ ସେ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଛନ୍ତି। ଘଟଣାର ତଦନ୍ତ ପ୍ରକ୍ରିୟା ଉପରେ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଘଟଣା ପରେ ପୀଡ଼ିତାଙ୍କର ତୁରନ୍ତ ଡାକ୍ତରୀମାଇନା କରାଯାଇ ନ ଥିଲା। ଫଳରେ ପୀଡ଼ିତା ନିଜେ ଡାକ୍ତରଖାନା ଯାଇ ପରୀକ୍ଷା କରାଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ପୁଲିସ ପକ୍ଷରୁ ତାଙ୍କୁ ଅଗଷ୍ଟ ୨୦ରେ ଡାକ୍ତରୀ ପରୀକ୍ଷା କରାଯିବ ବୋଲି କୁହାଯାଇଥିଲା। ଅଭିଯୋଗଫର୍ଦ୍ଦକୁ ଜାଲିଆତି କରାଯାଇଥିଲା। ଦୁଷ୍କର୍ମ ଅଭିଯୋଗ ସତ୍ବେ ଦଫା କୋହଳ କରାଯାଇଥିଲା। ତେଣୁ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନକୁ ଖାରଜ କରିଦେଇଛନ୍ତି। ମାମଲାର ସାନି ତଦନ୍ତ ପାଇଁ ହାଇକୋର୍ଟ ଡିସିପି ରାଙ୍କର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଦାୟିତ୍ଵ ଦେଇଛନ୍ତି। ଏହା ସହିତ ମାମଲାର ତଦନ୍ତ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କଲକାତା ଆର.ଜି. କର ମେଡିକାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ କଲକାତା ପୁଲିସର ଭୂମିକା ସନ୍ଦେହ ଘେରରେ ରହିଆସିଛି। ଏହି ଘଟଣାରେ ରାଜ୍ୟ ଏବଂ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିବାବେଳେ ପୁଲିସର ଆଭିମୁଖ୍ୟ ଏଯାଏ ବଦଳି ନ ଥିବା ଜଣାପଡ଼ୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button