ଶ୍ବଶୁର ଘରେ ଜ୍ବାଇଁକୁ ଛୁରି ଭୁସି ହତ୍ୟା: ପରକୀୟା ପ୍ରୀତିର କୁପରିଣତି, ପତ୍ନୀ, ପ୍ରେମିକ ଓ ଶାଶୂ ଗିରଫ

ପାଇକମାଳ: ପରକୀୟ ପ୍ରୀତିକୁ କେନ୍ଦ୍ର କରି ଶ୍ବଶୁରଘରେ ଜ୍ବାଇଁଙ୍କୁ ଛୁରି ଭୁସି ହତ୍ୟା କରାଯିବା ଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ପାଇକମାଳ ଥାନା ନରସିଂହପଡ଼ାରେ ଘଟିଛି। ମୃତକ ହେଲେ ସୋହେଲା ବ୍ଲକ୍ ବୁଡ଼ାମାଲ ଗ୍ରାମର ଗୋବିନ୍ଦ ପ୍ରଧାନ। ପୁଲିସ୍ ମୃତ ଗୋବିନ୍ଦଙ୍କ ପତ୍ନୀ, ତାର ପ୍ରେମିକ ଓ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ମୃତ ଗୋବିନ୍ଦ ଶ୍ବଶୁରଘର ପାଇକମାଳ ଥାନା ନରସିଂହପଡ଼ାରେ ସପରିବାର ରହୁଥିଲେ। ସେ ନୃସିଂହନାଥରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତକାଲି ରାତିରେ ଗୋବିନ୍ଦ ଶୋଇପଡ଼ିବା ପରେ ପତ୍ନୀ ବେବି ପ୍ରଧାନ, ଶାଶୂ ଗୋଲାପ ପ୍ରଧାନ ଓ ଶାଶୂଘରେ ଭଡ଼ାରେ ରହୁଥିବା ରାୟଗଡ଼ା କ୍ଷେତରାଜପୁର ଅଞ୍ଚଳର ତ୍ରିଲୋଚନ ଦଳପତି ମିଶି ଛୁରିଭୁସି ହତ୍ୟା କରିଥିବା ଗୋବିନ୍ଦଙ୍କ ବାପା ନିରଞ୍ଜନ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଗୋବିନ୍ଦଙ୍କୁ ହତ୍ୟା ପରେ ଡାକ୍ତରଖାନାକୁ ଅଣାଯାଇଥିବା ଓ ପରେ ତାଙ୍କୁ ଖବର ଦେଇଥିବା ସେ ଅଭିଯୋଗ କରିଛନ୍ତି। ପଦ୍ମପୁରରେ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଏ ନେଇ ପାଇକମାଳ ଥାନାରେ ନଂ ୧୨ରେ ଏକ ମାମଲା ରୁଜୁ ହୋଇଛି।