ଚତୁର୍ଥ ଶ୍ରେଣୀ ଛାତ୍ରମାନଙ୍କ ବର୍ବରତା: ଜ୍ୟାମିତି ବକ୍ସର କମ୍ପାସରେ ସହପାଠୀକୁ ୧୦୮ଥର ଭୁସିଲେ – Utkal Mail
ଇନ୍ଦୋର: ଚତୁର୍ଥ ଶ୍ରେଣୀ ଛାତ୍ରମାନଙ୍କ ବର୍ବରତା। ଜ୍ୟାମିତି ବକ୍ସର କମ୍ପାସରେ ସହପାଠୀକୁ ଭୁସିଲେ ୧୦୮ଥର। ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। କୌଣସି କଥାକୁ ନେଇ ଝଗଡ଼ା ହେବାରୁ ଅଭିଯୁକ୍ତମାନେ ରାଗରେ ଜ୍ୟାମିତି ବକ୍ସର କମ୍ପାସ ସାହାଯ୍ୟରେ ନିଜ ସହପାଠୀକୁ ଆକ୍ରମଣ କରିଥିଲା। ଥରେ କି ୨ଥର ନୁହେଁ, ପ୍ରାୟ ୧୦୮ଥର ସେମାନେ ଜ୍ୟାମିତି ବକ୍ସର କମ୍ପାସ ଦ୍ବାରା ଆକ୍ରମଣ କରିଥିବା କୁହାଯାଉଛି। ଏବେ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁଡିସି) ଏହି ଘଟଣା ବିଷୟରେ ଜାଣିବା ପରେ ପୁଲିସଠାରୁ ତଦନ୍ତ ରିପୋର୍ଟ ମାଗିଛି।
ସିଡବ୍ଲ୍ୟୁଡିସିର ଅଧ୍ୟକ୍ଷ ପଲ୍ଲବୀ ପୋରୱାଲ କହିଛନ୍ତି ଯେ, ନଭେମ୍ବର ୨୪ରେ ଏରୋଡ୍ରୋମ ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏକ ଘରୋଇ ବିଦ୍ୟାଳୟରେ ଝଗଡା ବେଳେ ଅଭିଯୁକ୍ତ ଛାତ୍ରମାନେ ତାଙ୍କ ସହପାଠୀଙ୍କୁ ୧୦୮ଥର ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ଆଶ୍ଚର୍ଯ୍ୟଜନକ। ଏତେ କମ୍ ବୟସରୁ ପିଲାଟିର ଏଭଳି ହିଂସାତ୍ମକ ଆଚରଣ ପଛର କାରଣ ଜାଣିବା ପାଇଁ ଆମେ ପୁଲିସ ପକ୍ଷରୁ ତଦନ୍ତ ରିପୋର୍ଟ ମାଗିଛୁ।
ଅନ୍ୟପକ୍ଷରେ ପୀଡ଼ିତଙ୍କ ବାପା କହିଛନ୍ତି ଯେ, “ମୋ ପୁଅ ଘରକୁ ଫେରିବା ପରେ ତା’ ଉପରେ ହୋଇଥିବା ଆକ୍ରମଣ ବିଷୟରେ ବର୍ଣ୍ଣନା କରିଥିଲା। ତା’ର ସହପାଠୀମାନେ ତାଙ୍କୁ କାହିଁକି ଏଭଳି ଆକ୍ରମଣ କରିଥିଲେ ମୁଁ ଜାଣି ନାହିଁ। ବିଦ୍ୟାଳୟ ମୋତେ ଶ୍ରେଣୀଗୃହର ସିସିଟିଭି ଫୁଟେଜ୍ ପ୍ରଦାନ କରୁନାହିଁ। ଏରୋଡ୍ରୋମ ପୁଲିସ ଷ୍ଟେସନରେ ଆମେ ଏତଲା ଦେଇଛୁ। ଏହି ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତମାନଙ୍କ ବୟସ ୧୦ବର୍ଷରୁ କମ ଥିଲା।”