ଦେଶ ବିଦେଶ

ମହାକୁମ୍ଭ-୨୦୨୫ ସମାପନ: ବିଶ୍ବର ସର୍ବବୃହତ୍‌ ଆଧ୍ୟାତ୍ମିକ ମେଳା, ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ବୁଡ଼

ପ୍ରୟାଗରାଜ: ମହାଶିବରାତ୍ରୀ ସହିତ ଭବ୍ୟ ଓ ଦିବ୍ୟ ମହାକୁମ୍ଭ ମେଳା-୨୦୨୫ ସମାପନ ହୋଇଛି।  ୪୫ ଦିନ ଧରି ଚାଲିଥିବା ଏହି ପବିତ୍ର ପର୍ବରେ ରେକର୍ଡ  ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି।  ଆଜି ଅପରାହ୍ନ ୪ଟା ସୁଦ୍ଧା ୧ କୋଟି ୫୦ ଲକ୍ଷ ଲୋକ ସ୍ନାନ କରିଥିଲେ। ହେଲିକପ୍ଟରରୁ ଶ୍ରଦ୍ଧାଳୁଙ୍କ ଉପରକୁ ଫୁଲ ବର୍ଷା କରାଯାଇଥିଲା।  ମହାକୁମ୍ଭର ଶେଷ ଦିନରେ ଭାରତୀୟ ବାୟୁସେନା  ମେଳା ଅଞ୍ଚଳରେ ଏକ ଏୟାର ସୋ’ର ଆୟୋଜନ କରିଥିଲା। ଆଜି ମହାକୁମ୍ଭ ମେଳାର ପ୍ରତ୍ୟେକ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମେଳା ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଥିଲା।  ଅନ୍ତିମ ଦିବସ ଅବସରରେ ଶେଷ ସ୍ୱତନ୍ତ୍ର ସ୍ନାନ ପାଇଁ ପ୍ରୟାଗରାଜ ଜନସମୁଦ୍ର ପାଲଟି ଯାଇଥିଲା ଏବଂ ସୁରୁଖୁରୁରେ ସ୍ନାନ ସଂପାଦନ ସହ ବିଶ୍ୱର ଏହି ସର୍ବବୃହତ୍ ଆଧ୍ୟାତ୍ମିକ ମେଳା ଶେଷ ହୋଇଛି।

ମହାଶିବରାତ୍ରୀ ହିନ୍ଦୁମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର, କାରଣ ଏହା ଭଗବାନ ଶିବଙ୍କ ଜନ୍ମଦିନ।  ହିନ୍ଦୁ ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନରେ ଭଗବାନ ଶିବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଅମୃତ କୁମ୍ଭରୁ ଏକ ବିନ୍ଦୁ ପଡ଼ିଥିବାରୁ ଏଠାରେ କୁମ୍ଭମେଳା ପାଳନ କରାଯାଉଛି। ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ୩ଟି ଅମୃତ ସ୍ନାନ ସମେତ ୬ଟି ସ୍ୱତନ୍ତ୍ର ସ୍ନାନ ଦେଖିବାକୁ ମିଳିଥିଲା। ପ୍ରଥମଟି ଜାନୁଆରି ୧୩ ପୌଷ ପୂର୍ଣ୍ଣିମା, ଜାନୁଆରି ୧୪ ମକର ସଂକ୍ରାନ୍ତି, ଜାନୁଆରି ୨୯ ମୌନୀ ଅମାବାସ୍ୟା, ଫେବ୍ରୁଆରି ୩ ବସନ୍ତ ପଞ୍ଚମୀ, ଫେବ୍ରୁଆରି ୧୨ ମାଘୀ ପୂର୍ଣ୍ଣିମା ଏବଂ ଶେଷରେ ଫେବ୍ରୁଆରି ୨୬ ମହାଶିବରାତ୍ରି। ଆଜି ମହାଶିବରାତ୍ରି ଅବସରରେ ମହାକୁମ୍ଭ ମେଳାର ଅନ୍ତିମ ସ୍ନାନ ପାଇଁ ବୁଧବାର ଭୋର ସମୟରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ ଆଡ଼କୁ ଶୃଙ୍ଖଳିତ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା।

ଶେଷ ଦିବସ ସୁରକ୍ଷା ଦାୟିତ୍ବରେ ୩୭ ହଜାର ପୁଲିସ କର୍ମୀ

ଆଜି ଅନ୍ତିମ ପବିତ୍ର ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମଗ୍ର କୁମ୍ଭମେଳା ଅଞ୍ଚଳକୁ ‘ନୋ ଭେଇକିଲ ଜୋନ୍’ରେ ପରିଣତ କରାଯାଇଥିଲା।  ଆଜି କୌଣସି ବ୍ୟକ୍ତିଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଇନଥିଲା। ଉତ୍ତରପ୍ରଦେଶ ସରକାର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ସୁରକ୍ଷା ପରାମର୍ଶାବଳୀ ଜାରି କରିଥିଲେ।  ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମହାଶିବରାତ୍ରିରେ ସୁରକ୍ଷା ବ୍ୟବସ୍ଥା ପାଇଁ ମହାକୁମ୍ଭରେ ୩୭ ହଜାର ପୁଲିସ କର୍ମଚାରୀ ଓ ୧୪ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି।  ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୨୭୫୦ଟି ଏଆଇ ଭିତ୍ତିକ ସିସିଟିଭି କ୍ୟାମେରା, ୩ଟି ଜଳ ଥାନା, ୧୮ଟି ଜଳ ପୁଲିସ କଣ୍ଟ୍ରୋଲ ରୁମ୍ ଓ ୫୦ଟି ୱାଚ୍ ଟାୱାର ଅହରହ ନଜର ରଖାଯାଇଥିଲା। ମହାକୁମ୍ଭକୁ ନେଇ କୌଣସି ଭୁଲ ତଥ୍ୟ ପ୍ରସାରକୁ ରୋକିବା ପାଇଁ ସୋସିଆଲ ମିଡିଆ ଉପରେ ମଧ୍ୟ ୨୪ ଘଣ୍ଟିଆ ନଜର ରଖାଯାଇଥିଲା।

କୁମ୍ଭମେଳାର ଅନ୍ତିମ ‘ଅମୃତ ସ୍ନାନ’ ପରେ ଶ୍ରଦ୍ଧାଳୁଙ୍କ ପ୍ରତ୍ୟାବର୍ତ୍ତନ ସୁବିଧା ପାଇଁ ପ୍ରୟାଗରାଜରୁ ୩୫୦ରୁ ଅଧିକ ଅତିରିକ୍ତ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା ସହ ମହାଶିବରାତ୍ରି ପାଇଁ ମଧ୍ୟ ଭାରତୀୟ ରେଳବାଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହା ପୂର୍ବରୁ ମୌନୀ ଅମାବାସ୍ୟା ସମୟରେ ୨୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ୩୬୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଥିଲା। ମହାଶିବରାତ୍ରି ପାଇଁ ମଧ୍ୟ ସମାନ ଯୋଜନା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାର ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ଯାତ୍ରୀଙ୍କ ସଂଖ୍ୟାବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ତିନୋଟି ପୃଥକ୍ ରେଳ ଜୋନର ଜେନେରାଲ ମ୍ୟାନେଜର ସମନ୍ୱୟ ରକ୍ଷା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ   ମହାକୁମ୍ଭରେ ‘ଅମୃତ ସ୍ନାନ’ ପାଇଁ  ସମଗ୍ର ବିଶ୍ୱକୁ ଶୁଭେଚ୍ଛା ଜଣାଇଛନ୍ତି। ପର୍ବପର୍ବାଣୀ ଓ ଉତ୍ସବ ଆମ ପରମ୍ପରା ଓ ଜାତୀୟ ଏକତାକୁ ସୁଦୃଢ଼ କରିଥାଏ। ସମଗ୍ର ଭାରତବର୍ଷରେ ଜ୍ୟୋତିର୍ଲିଙ୍ଗମାନେ ଜାତୀୟ ଏକତାର ପ୍ରତୀକ ଭାବେ ଠିଆ ହୋଇଛନ୍ତି ବୋଲି ଆଦିତ୍ୟନାଥ କହିଛନ୍ତି।

ବାରାଣସୀରେ ନାଗା ସାଧୁଙ୍କ ବିଶାଳ ସମାଗମ 
ବାରାଣସୀ: ମହାଶିବରାତ୍ରୀ ଅବସରରେ ଆଜି ବାରାଣସୀର  କାଶୀ ବିଶ୍ୱନାଥ ମନ୍ଦିରରେ ୧୦ ହଜାରରୁ ଅଧିକ ନାଗା ସାଧୁ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହି ପ୍ରାଚୀନ ସହରରେ ନାଗା ସାଧୁଙ୍କ ଭବ୍ୟ ଶୋଭାଯାତ୍ରା ଓ ଭକ୍ତିପୂତ ମନ୍ତ୍ରପାଠ ସବୁଠି ଆଧ୍ୟାତ୍ମିକ ଉତ୍ସାହ ସୃଷ୍ଟି କରିଛି। ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପାଖାପାଖି ୨ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭିଡ଼ ଉପରେ ନଜର ରଖିବା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଇଛି। କାଶୀ ବିଶ୍ୱନାଥ ମନ୍ଦିରରେ ବିଭିନ୍ନ ଆଖଡାର ସନ୍ନ୍ୟାସୀଙ୍କ ଆଗମନକୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ନାଗା ସାଧୁ ଓ ସେମାନଙ୍କ ଅନୁଗାମୀମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା। ନାଗା ସାଧୁମାନେ  ଆଜି ବାରାଣସୀର ମୁଖ୍ୟ ମାର୍ଗରେ ନିଜର ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button