ଧର୍ମ

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, କିସ୍କିନ୍ଧ୍ୟାପତି ବାଳୀ

‘ବ୍ରହ୍ମାପୁତ୍ର ଋକ୍ଷରାଜଙ୍କର ଜ୍ୟେଷ୍ଠପୁତ୍ର ବାଳୀ। ଅପ୍‌ସରା ତାରା ତାଙ୍କର ପତ୍ନୀ। ସୁଗ୍ରୀବଙ୍କର ସେ ଜ୍ୟେଷ୍ଠଭ୍ରାତା ଏବଂ ମହାବଳୀ ଅଙ୍ଗଦଙ୍କର ପିତା। ଏହି ଇନ୍ଦ୍ରପୁତ୍ର ବାଳୀଙ୍କର ଦେହର ବର୍ଣ୍ଣ ସ୍ୱର୍ଣ୍ଣାଭ ତଥା ବିଶାଳ। ମୁଖଶ୍ରୀ ସୂର୍ଯ୍ୟ ସଦୃଶ ଅରୁଣବର୍ଣ୍ଣ ଓ ଦୀପ୍ତିମାନ। ନେତ୍ର ଦୁଇଟି ପିଙ୍ଗଳବର୍ଣ୍ଣ। ସେ ଦୀର୍ଘ ବାହୁ ଓ ବିଶାଳ ବକ୍ଷସ୍ଥଳ ସଂପନ୍ନ।

ସେହି ବିଶାଳ ବକ୍ଷଦେଶ ଇନ୍ଦ୍ରପ୍ରଦତ୍ତ ସୁବର୍ଣ୍ଣମାଳାରେ ବିଭୂଷିତ। ‘ରାମାୟଣ’ର ‘କିସ୍କିନ୍ଧ୍ୟାକାଣ୍ଡ’ରେ କିସ୍କିନ୍ଧ୍ୟାପତି ବାଳୀଙ୍କର ବଳ ଓ ବିକ୍ରମ ସଂପର୍କରେ ବହୁଳ ବର୍ଣ୍ଣନା ଦେଖାଯାଏ। ବଳ ଓ ବିକ୍ରମ କାରଣରୁ ଦେବତାମାନଙ୍କ ସହିତ ସମୁଦ୍ର ମନ୍ଥନରେ ଯୋଗ ଦେଇଥିବାରୁ ଇନ୍ଦ୍ର ପ୍ରୀତ ହୋଇ ସମୁଦ୍ରମନ୍ଥନରୁ ଜାତ ଅପ୍‌ସରା ତାରାଙ୍କୁ ବାଳୀଙ୍କୁ ପ୍ରଦାନ କରିଥିଲେ। ବାଳୀ ଥିଲେ ଅବିଶ୍ରାନ୍ତ। ତେଣୁ ପ୍ରତ୍ୟହ ସୂର୍ଯ୍ୟ ଉଦୟ ହେଲା ମାତ୍ରେ ସେ ପୂର୍ବ ସମୁଦ୍ରରୁ ପଶ୍ଚିମ ସମୁଦ୍ର ତଥା ଉତ୍ତର ସମୁଦ୍ରରୁ ଦକ୍ଷିଣ ସମୁଦ୍ର ପର୍ଯ୍ୟନ୍ତ ପରିକ୍ରମା କରି ସୂର୍ଯ୍ୟବନ୍ଦନା କରୁଥିଲେ। ବାଳୀଙ୍କର ବଳବିକ୍ରମରେ ଈର୍ଷାନ୍ୱିତ ହୋଇ ରାବଣ ବାଳୀଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହରାଇବା ଉଦ୍ଦେଶ୍ୟରେ ଆସି କିସ୍କିନ୍ଧ୍ୟାରେ ପହଞ୍ଚିଲା। ସେତେବେଳେ ବାଳୀ ଦକ୍ଷିଣ ସମୁଦ୍ରରେ ଆହ୍ନିକରେ ବ୍ୟସ୍ତ ଥିଲେ। ରାବଣ ଜାଣିଥିଲା, ସମ୍ମୁଖଯୁଦ୍ଧରେ ବାଳୀଙ୍କୁ ହରାଇବା ସମ୍ଭବ ନୁହେଁ। ତେଣୁ ସେ ତାଙ୍କୁ ପଛପଟରୁ ଆକ୍ରମଣ କରିବା ପାଇଁ ଉଦ୍ୟତ ହେଲାବେଳେ ବାଳୀ ରାବଣର ଉଦ୍ଦେଶ୍ୟ ବୁଝି ତାହାକୁ କାଖରେ ଜାକି ବେଦପାଠ କରିବାକୁ ଲାଗିଲେ। ପୀଡ଼ିତ ରାବଣ ବାଳୀଙ୍କୁ କ୍ଷମାମାଗି ମୁକ୍ତ ହୋଇଥିଲା।
ସେହିପରି ଦୁନ୍ଦୁଭି ନାମକ ରାକ୍ଷସ ନିଜକୁ ଅପରାଜେୟ ମନେକରି ବାଳୀ ସହିତ ଯୁଦ୍ଧ କରିବାକୁ ଆହ୍ୱାନ କରିବାରୁ ବାଳୀ ତାକୁ କଚାଡ଼ି ମାରି ଦେଇଥିଲେ ଏବଂ ତାହାକୁ ଏକଯୋଜନ ଦୂରକୁ ଫିଙ୍ଗି ଦେଇଥିଲେ। ଦୁନ୍ଦୁଭିର ରକ୍ତଛିଟା ମତଙ୍ଗ ମୁନିଙ୍କ ଆଶ୍ରମରେ ପଡ଼ିବାରୁ ସେ ବାଳୀଙ୍କୁ ଅଭିଶାପ ଦେଇଥିଲେ- ଯଦି କେବେ ବି ବାଳୀ ଋଷ୍ୟମୁକରେ ପାଦ ପକାନ୍ତି ତାଙ୍କର ମୃତ୍ୟୁ ହେବ। ଏକବର୍ଷ ଧରି ପର୍ବତ ଗହ୍ୱର ମଧ୍ୟରେ ମାୟାବୀ ସହିତ ବାଳୀ ଯୁଦ୍ଧରତ ଥିବା ସମୟରେ, ତାଙ୍କର ମୃତ୍ୟୁ ହେବ ଭାବି, ସୁଗ୍ରୀବ ମନ୍ତ୍ରୀମାନଙ୍କ ସହଯୋଗରେ କିସ୍କିନ୍ଧ୍ୟାରେ ରାଜତ୍ୱ କଲେ। ଏକଥା ବାଳି ଜାଣିପାରି କିସ୍କିନ୍ଧ୍ୟା ଫେରିଆସିଲେ। ସେ ଯେତିକି ବଳବାନ ଥିଲେ, ତା’ଠାରୁ ଅଧିକ ଥିଲେ ଅହଂକାରୀ ଓ କ୍ରୋଧୀ। ସୁଗ୍ରୀବଙ୍କ ଭୁଲ୍ ବୁଝାମଣାକୁ କୌଣସି ଭାବରେ ସେ କ୍ଷମା କରି ନ ପାରି କ୍ରୋଧବଶତଃ ତାଙ୍କୁ ମାରିପକାଇବାକୁ ଉଦ୍ୟତ ହେଲେ। ଶାନ୍ତ ଓ ଭୟାଳୁ ସୁଗ୍ରୀବ କୌଣସି ଉପାୟ ନପାଇ ଋଷ୍ୟମୁକ ପର୍ବତରେ ଆଶ୍ରୟ ନେଲେ। ସୁଗ୍ରୀବଙ୍କ ପ୍ରତି କ୍ରୋଧ ଏପରି ଅଣାୟତ୍ତ ଥିଲା ଯେ ବାଳୀ ହିତାହିତ ଜ୍ଞାନ ହରାଇ ସୁଗ୍ରୀବଙ୍କ ପତ୍ନୀଙ୍କୁ ନିଜର ଅଙ୍କଶାୟିନୀ କଲେ। ତାହାହିଁ ବାଳୀବଧର ପ୍ରଧାନ କାରଣ ହେଲା।
ଅହଂକାରୀ, କ୍ରୋଧୀ ଓ ଅତ୍ୟାଚାରୀ ହେଲେ ମଧ୍ୟ ବାଳୀ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ। ସେ ଜାଣିଥିଲେ ତାଙ୍କର ପତ୍ନୀ ତାରା ଅତ୍ୟନ୍ତ ବୁଦ୍ଧିମତୀ ଏବଂ ତାଙ୍କର ସୁଗ୍ରୀବଙ୍କ ପ୍ରତି ଥିଲା ଏକ ପ୍ରଚ୍ଛନ୍ନ ଆକର୍ଷଣ। ତେଣୁ ପରୋକ୍ଷରେ ସେ ସୁଗ୍ରୀବଙ୍କୁ ଉପଦେଶ ଦେଇଥିଲେ, ବୁଦ୍ଧିମତୀ ତାରାଙ୍କର ପରାମର୍ଶ ନେଇ ରାଜକାର୍ଯ୍ୟ କରିବାକୁ। ସେହିପରି ବାଳକ ଅଙ୍ଗଦଙ୍କୁ ମଧ୍ୟ ରାମଚନ୍ଦ୍ରଙ୍କ ପ୍ରତି ଆନୁଗତ୍ୟ ତଥା ସୁଗ୍ରୀବଙ୍କ ପ୍ରତି ଶ୍ରଦ୍ଧା ରଖିବାକୁ ସେ କହିଥିଲେ। ଏହା ଅଙ୍ଗଦଙ୍କ ଭବିଷ୍ୟତ ସୁରକ୍ଷିତ କରିବ ବୋଲି ସେ ଜାଣିଥିଲେ। ଏଥିରୁ ବାଳୀ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଓ ଦୂରଦ୍ରଷ୍ଟା ଥିଲେ ବୋଲି ଜଣାଯାଏ। ରାମଙ୍କ ଦ୍ୱାରା ନିହତ ହୋଇଥିବାରୁ ମୃତ୍ୟୁ ତାଙ୍କୁ ଅମୃତମୟ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button