ଦେଶ ବିଦେଶ

ମୋଦୀଙ୍କ ଆମେରିକା ଗସ୍ତକୁ ସଫଳ ଦର୍ଶାଇଲେ ଥରୁର୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତକୁ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଜୟରାମ ରମେଶ  ବିଫଳ ଦର୍ଶାଇଥିବା ବେଳେ ଦଳୀୟ ସାଂସଦ ଶଶି ଥରୁର ଏହାକୁ ପ୍ରଶଂସା କରି ଦଳକୁ ଅଡ଼ୁଆରେ ପକାଇଛନ୍ତି। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ସମର୍ଥକମାନେ ସବୁଠାରୁ ବଡ ବୁଝାମଣାକାରୀ ଭାବରେ ବିବେଚନା କରୁଥିବା ବେଳେ ଏ କ୍ଷେତ୍ରରେ ଭାରତର ବୁଝାମଣା ଅତ୍ୟନ୍ତ ସଫଳ ରହିବା ପ୍ରଶଂସନୀୟ   ଟ୍ରମ୍ପ ଏକ  ବିବୃତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ବୁଝାମଣା କରିବାରେ ତାଙ୍କଠାରୁ ଅଧିକ ଦକ୍ଷ।  ତେଣୁ ମୋଦୀଙ୍କ ଏହି ଗସ୍ତ ବହୁତ ଭଲ ହୋଇଛି। ଭାରତକୁ ଏଫ୍-୩୫ ଲଢୁଆ ବିମାନ ବିକ୍ରି କରିବାକୁ ଆମେରିକା ରାଜି ହୋଇଛି। ଏହା ଦ୍ୱାରା ଭାରତକୁ ବହୁତ ଫାଇଦା ମିଳିବ  ବୋଲି ଥରୁର୍‌ କହିଛନ୍ତି।

ସେ କହିଛନ୍ତି ଯେ ଭାରତ ପାଖରେ ରାଫେଲ ଭଳି ଲଢୁଆ ବିମାନ ରହିଛି। ଏବେ ଏଫ୍‌-୩୫ ଯୋଡ଼ିବା ପରେ ଶକ୍ତି ଆହୁରି ବୃଦ୍ଧି ପାଇଛି। ଡୋନାଲ୍ଡ ଟ୍ରମ୍ପ ନିଜକୁ ଜଣେ କଠୋର ‘ବାର୍ଗେନର’ ବୋଲି ଭାବୁଛନ୍ତି ଏବଂ ଏଥିପାଇଁ ଗର୍ବିତ। ଏବେ ଯଦି ସେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଠାରୁ ଭଲ ନେଗୋସିଏଟର୍‌ (ବୁଝାମଣାକାରୀ), ତା’ହେଲେ ଏହା ଆମର ସଫଳତା। ଡୋନାଲ୍ଡ ଟ୍ରମ୍ପ ଏମିତି ଜଣେ ବ୍ୟକ୍ତି ଯିଏ କାହାକୁ ଖୁବ୍ କମ୍ ପ୍ରଶଂସା କରନ୍ତି। ଯଦି ଏଭଳି ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି, ତେବେ ଏହା ଏକ ଭଲ କଥା ବୋଲି ଥରୁର୍‌ କହିଛନ୍ତି। ଶଶି ଥରୁର୍‌ଙ୍କ ଏହି ଆଭିମୁଖ୍ୟ ଦଳର ମତାମତଠାରୁ ସମ୍ପୂର୍ଣ୍ଣ ଭିନ୍ନ। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେ ବିଦେଶରେ ମଧ୍ୟ ଗୌତମ ଆଦାନୀଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି।   ପ୍ରଧାନମନ୍ତ୍ରୀ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବ୍ୟକ୍ତିଗତ ବୋଲି ଦର୍ଶାଇ ଏଡ଼ାଇ ଯାଇପାରିବେ ନାହିଁ ବୋଲି ରାହୁଲ କହିଛନ୍ତି। ଜୟରାମ ରମେଶ ମଧ୍ୟ ଅନୁରୂପ ଭାବେ ମୋଦୀଙ୍କୁ କଡ଼ା ସମାଲୋଚା କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button