ଓଡିଶା

ମିରିଗିଣୀ ପଥର ଖାଦାନକୁ ନେଇ ପୂର୍ବତନ ବିଧାୟକ ଓ ଟ୍ରକ୍ ମାଲିକ ସଙ୍ଘ କଳି, ଥାନାରେ ପହଁଚିଲା ଘଟଣା

ନୀଳଗିରି, ୨୦/୯ : ନୀଳଗିରି ଏନଏସି ଅଧିନ ମିରିଗିଣୀ ଠାରେ ଥିବା ଖଣ୍ଡିଆ ହୁଡ଼ିକୁ ନେଇ ରାଜନୀତି ଜୋରଦାର। ପୂର୍ବରୁ ଏହି ପାହାଡ଼ ଜୀବନ ଜୀବିକା ନେଇ ଚାଲିଥିବା ବେଳେ ଏବେ ପାହାଡ଼ ନିଲାମକୁ ନେଇ ପରିବେଶ ମଞ୍ଜୁରୀ କଣ୍ଟା ସାଜିଛି। ଗୋଟିଏ ପଟେ ଟ୍ରକ୍ ମାଲିକ ସଙ୍ଘ ଜୀବନ ଜୀବିକାକୁ ନେଇ ଏହା ଚାଲିବା ଜରୁରୀ ବୋଲି ଦାବି କରୁଥିବା ବେଳେ ଅନ୍ୟପଟେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ପରିବେଶ ମଞ୍ଜୁରୀକୁ ଚ୍ୟାଲେଞ୍ଜ କରି ଜାତୀୟ ଗ୍ରୀନ୍ ଟ୍ରିବୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏବେ ଖଣ୍ଡିଆ ହୁଡ଼ିକୁ ନେଇ ଟ୍ରକ୍ ମାଲିକ ସଙ୍ଘର ସଭାପତି ଓ ପୂର୍ବତନ ବିଧାୟକଙ୍କ ମଧ୍ୟରେ ତୁମ୍ବିତୋଫାନ ଉଠି ମାମଲା ଯାଇ ଥାନାରେ ପହଁଚିଛି।

ସୂଚନାଯୋଗ୍ୟ, ନୀଳଗିରି ଏନଏସି ଅଧିନ ମିରିଗିଣୀ ନିକଟରେ ରହିଛି ଖଣ୍ଡିଆ ହୁଡ଼ି। କୂଳଡ଼ିହା ସୀମାନ୍ତରେ ଥିବା ଏହି ପାହାଡ଼ ସୀମାକୁ ନେଇ ସର୍ବଦା ବିବାଦ ଲାଗି ରହୁଛି। ପୂର୍ବରୁ ଏହି ପାହାଡ଼ ନିଲାମ ହୋଇଥିବା ବେଳେ ଅନେକ ବଡ଼ ବଡ଼ କମ୍ପାନୀ ଆସି ପଥର ଉତ୍ତୋଳନ କରିଥିଲେ। ପରେ ଉତ୍ତୋଳନ ବନ୍ଦ ହେବାପରେ ପୁଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ମଧ୍ୟ ବହୁ ବ୍ୟବସାୟୀ ଆବେଦନ କରିଥିଲେ। ପରେ କୌଣସି କାରଣରୁ ଏହା ବାତିଲ ପରେ ପୁଣି ନିଲାମ ପ୍ରକ୍ରିୟା ହୋଇ ଟାଟା ସଂସ୍ଥା ଏହାକୁ ନେଇଥିଲା। ଖଣି ଚାଲିଲେ ଟ୍ରକ ମାଲିକମାନେ ନିଜର ବ୍ୟବସାୟ କରିବା ଆଶା ଉଜ୍ଜ୍ୱଳ ହୋଇଥିବା ବେଳେ ମିରିଗିଣୀ ପାହାଡ଼କୁ ନେଇ ଏବେ ପୂର୍ବତନ ବିଧାୟକ ସୁକାନ୍ତ ନାୟକ ବିରୋଧ କରିଛନ୍ତି।

ସୁକାନ୍ତ ନାୟକ ଏହାକୁ ଚ୍ୟାଲେଞ୍ଜ କରି ଏନଜିଟିର ଦ୍ୱାରସ୍ଥ ହୋଇଥିଲେ। ଯାହାଫଳରେ ଏନଜିଟି ରାଜ୍ୟ ସରକାର, ଜିଲ୍ଲାପାଳ, ଡିଏଫଓ, ପ୍ରଦୂଷଣ ବିଭାଗ, ତହସିଲଦାରଙ୍କୁ ନୋଟିସ ପ୍ରଦାନ କରି ଏହାର ଜବାବ ମାଗିଛନ୍ତି। ତେବେ ନଭେମ୍ବର ମାସରେ ପରବର୍ତ୍ତୀ ଶୁଣାଣି ଥିବାବେଳେ ଏହାକୁ ନେଇ ଟ୍ରକ୍ ମାଲିକ ସଙ୍ଘ ଅସନ୍ତୋଷ ପ୍ରକାଶ କରିଥିଲେ। ସଙ୍ଘର ସଭାପତି ଶିଶିର ରାଉତ ଅଞ୍ଚଳର ବିକାଶ ସାଙ୍ଗକୁ ଜୀବନ ଜୀବିକାକୁ ପୂର୍ବତନ ବିଧାୟକ ବିରୋଧ କରୁଥିବା ଅଭିଯୋଗ ଆଣିଥିଲେ। ଏପରିକି ନିଜର ଅସନ୍ତୋଷ ଜାହିର ମଧ୍ୟ କରିଥିଲେ। ସେପଟେ ସୁକାନ୍ତ ନାୟକ ଗତକାଲି ଏକ ବୈଠକ କରି ଏହି ଖଣି ଚାଲିଲେ ଆଖପାଖ ଅଞ୍ଚଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାସହ ବାସଗୃହର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଖଣିକୁ ବିରୋଧ କରିବା ସହ ଆଗାମୀ ଦିନରେ ଦରକାର ପଡ଼ିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ।

ଏତଦ୍ ବ୍ୟତୀତ ଶିଶିର ରାଉତ ତାଙ୍କୁ ସୋସିଆଲ ମିଡିଆରେ ଦୁର୍ବ୍ୟବହାର କରିବାଥିବା ନେଇ ସୁକାନ୍ତ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଟ୍ରକ୍ ମାଲିକ ସଙ୍ଘ ଶିଶିର ରାଉତ ତାଙ୍କ ପ୍ରତିକ୍ରିୟାରେ ଟ୍ରକ୍ ମାଲିକମାନଙ୍କର ଦାବି ପ୍ରକାଶ କରିବା ମୋର କର୍ତ୍ତବ୍ୟ ବୋଲି କହିଛନ୍ତି। ଯେତେବେଳେ ପୂର୍ବରୁ ଖାଦାନ ନିଲାମ ପ୍ରକ୍ରିୟା ହୋଇଥିଲା ସୁକାନ୍ତ ନାୟକଙ୍କର ଏକାନ୍ତ ଆନୁଗତ୍ୟମାନେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେତେବେଳେ ଖଣ୍ଡିଆ ହୁଡ଼ିକୁ ରାସ୍ତା ଓ ପରିବେଶ ଘଟଣା ତାଙ୍କର ମନେ ପଡୁନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button