ନୀତି

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ମନୋବଳକୁ ବଢ଼ାଇଥିଲେ ଗବ୍ଦର ସିଂହ – Utkal Mail


ଉତ୍ତରକାଶୀ: ସହରର ଲାଲପାଣି ଅଞ୍ଚଳରେ ଥିବା ଗବ୍ଦର ସିଂ ନେଗିଙ୍କ ଘର ମଙ୍ଗଳବାର ରାତିରେ ହଠାତ୍‌ ଜୀବନ୍ତ ହୋଇ ଉଠିଥିଲା; ଯେତେବେଳେ ସିଲ୍କୟାରା ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ତାଙ୍କ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚିଥିଲା। ଯେଉଁମାନେ ଏହି ଖୁସି ଖବର ପାଇବା ପାଇଁ ଦିନ ତମାମ୍‌ ଟିଭି ସେଟ ସମ୍ମୁଖରେ ଅଠାକାଠି ସଦୃଶ ଲାଖି ରହିଥିଲେ।

ଦୀର୍ଘ ୧୭ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ନିଜ ସାଥୀ ଶ୍ରମିକଙ୍କ ମନୋବଳ ବଜାୟ ରଖିଥିବାରୁ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ ଥିବା ଗବ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରଶଂସା କରିଥିଲେ। କାରଣ, ନିଜେ ସୁଡ଼ଙ୍ଗ ଭିତରେ ଫସି ଯାଇଥିଲେ ବି ଗବ୍ଦର ସିଂହ ନିଜ ଉଦ୍ଧାର ପାଇଁ ଚିନ୍ତିତ ନହୋଇ ଫସି ଯାଇଥିବା ଅନ୍ୟ ଶ୍ରମିକମାନଙ୍କ ମନୋବଳକୁ ବଢ଼ାଇ ରଖିବାରେ ଫୁଲ୍‌ଦମ୍‌ରେ ଲାଗି ଯାଇଥିଲେ। ଅପରେସନ ସମୟରେ ମୁଖ୍ୟମନ୍ତ୍ରୀ ଧାମୀ ଫସି ରହିଥିବା ଶ୍ରମିକଙ୍କ ସହ କଥା ହେବା ବେଳେ ସେମାନଙ୍କ ତରଫରୁ ଗବ୍ଦର ସିଂହ ଲାଇନରେ ଆସି ତାଙ୍କ ସହ କଥା ହେଉଥିଲେ ଓ ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ ସୂଚନା ଦେଉଥିଲେ।

ଟିଭିରେ ଶ୍ରମିକମାନଙ୍କର ସୁରକ୍ଷିତ ଉଦ୍ଧାର ସଂପର୍କିତ ଖବର ପ୍ରସାରିତ ହେବା ପରେ ପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କ ପାଇଁ ତାଳି ମାରିଥିଲେ, ଦୀପ ଜାଳିଥିଲେ ଏବଂ ବାଣ ଫୁଟାଇଥିଲେ। ଆଲୋକର ପର୍ବ ସକାଳେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ଚଳିତ ବର୍ଷ ତାଙ୍କ ଘରେ ଦୀପାବଳି ଉତ୍ସବ ପାଳିତ ହୋଇ ନଥିଲା। ସୁଡ଼ଙ୍ଗ ଭିତରୁ ତାଙ୍କର ସୁରକ୍ଷିତ ଉଦ୍ଧାର ଖବର ଶୁଣିବା ପରେ ମଙ୍ଗଳବାର ରାତିରେ ଦୀପାବଳି ପାଳିତ ହୋଇଥିଲା।

ସେ ଆମ ପାଇଁ ଯାହା କରିଛନ୍ତି ସେଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋ ସ୍ୱାମୀ ଜୀବନ ଯୁଦ୍ଧ ଜିତି ଯାଇଛନ୍ତି। ଫସିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଥିବା ଅପରେସନରେ ସମସ୍ତ ଶକ୍ତି ନିୟୋଜିତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଗବ୍ଦର ସିଂହଙ୍କ ପତ୍ନୀ ଯଶୋଦା ଦେବୀ କହିଛନ୍ତି।

ଲୁହଭରା ଆଖିରେ ସେ କହିଛନ୍ତି, ଯେତେବେଳେ ସେ ଆମକୁ ଫୋନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇଥିଲେ ସେତେବେଳେ ଆମକୁ ବହୁତ ଆଶ୍ୱସ୍ତି ମିଳିଥିଲା। ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ତାଙ୍କ ବଡ଼ ପୁଅ ବିକାଶ ନେଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ବାପାଙ୍କୁ ସୁରକ୍ଷିତ ଭାବେ ଫେରାଇ ପରିବାରକୁ ଏକ ବଡ଼ ଉପହାର ଦେଇଛନ୍ତି ବୋଲି କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button