ନୀତି

ପ୍ଲାଷ୍ଟିକ୍‌ରୁ ଭାନିଲା ଆଇସ୍‌କ୍ରିମ୍ – Utkal Mail


ୟୁନାଇଟେଡ୍‌ କିଙ୍ଗଡମ୍‌ର ଜଣେ ଡିଜାଇନର୍‌ ଛାତ୍ରୀ ପ୍ରଥମ ଥର ପାଇଁ ପ୍ରକ୍ରିୟାକୃତ ପ୍ଲାଷ୍ଟିକ୍‌ରୁ ଭାନିଲା ସ୍ବାଦଯୁକ୍ତ ଆଇସ୍‌କ୍ରିମ୍‌ ସୃଷ୍ଟି କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏଯାଏ କେହି ଉକ୍ତ ଆଇସ୍‌କ୍ରିମ୍‌ର ସ୍ବାଦ ଚାଖି ନାହାନ୍ତି, କିନ୍ତୁ ତାହା ଅବିକଳ ନିୟମିତ ଭ୍ୟାନିଲା ସ୍ବାଦ ପ୍ରଦାନ କରିବ ବୋଲି ଏହାର ପ୍ରସ୍ତୁତକର୍ତ୍ତ୍ରୀ ଦାବି କରିଛନ୍ତି। ୟୁକେର ସେଣ୍ଟ୍ରାଲ୍‌ ସେଣ୍ଟ୍‌ ମାର୍ଟିନ୍‌ସ ଡିଜାଇନ୍‌ ସ୍କୁଲର ଶେଷବର୍ଷର ଛାତ୍ରୀ ଇଲିଓନୋରା ଓର୍ଟୋଲାନି ତାଙ୍କର ଚୂଡ଼ାନ୍ତ ପ୍ରକଳ୍ପ କ୍ରମରେ ଏପରି ଅଭିନବ ପ୍ରୟାସ କରିଛନ୍ତି। ‘ଗିଲ୍‌ଟି ଫ୍ଲେଭର୍ସ’ ନାମକ ତାଙ୍କର ଏହି ପ୍ରକଳ୍ପଟି ପ୍ଳାଷ୍ଟିକ୍‌ ପ୍ରକ୍ରିୟାକରଣରୁ ସୃଷ୍ଟ ବିଭିନ୍ନ ସାମଗ୍ରୀକୁ ଭିତ୍ତି କରି ରୂପରେଖ ନେଇଛି। କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ ଏକପ୍ରକାର ଅଣୁଜୀବ ପ୍ଳାଷ୍ଟିକ ମୁଣିକୁ ହଜମ କରିପାରୁଛି।

ତେଣୁ କୌଣସି ପ୍ରକାରେ ମନୁଷ୍ୟ ମଧ୍ୟ ପ୍ଳାଷ୍ଟିକ୍‌କୁ ଜୀର୍ଣ୍ଣ କରିପାରିବାର ସମ୍ଭାବନାକୁ ଗ୍ରହଣ କରି ସେ ତାଙ୍କର ପ୍ରକଳ୍ପକୁ ଆଗେଇଥିଲେ। ତେବେ ଏଥିପାଇଁ ସେ ଲଣ୍ଡନ ମେଟ୍ରୋପଲିଟାନ ବିଶ୍ବବିଦ୍ୟାଳୟର ଖାଦ୍ୟ ବିଜ୍ଞାନୀ ତଥା ଗବେଷକ ଜୋଆନା ସାଡଲରଙ୍କ ସହାୟତା ଲୋଡ଼ିଥିଲେ। ପରିଶେଷରେ ସେମାନେ ପ୍ଳାଷ୍ଟିକ୍‌କୁ ରାସାୟନିକ ପଦ୍ଧତିରେ ଭାଙ୍ଗି ସେଥିରୁ ସିନ୍ଥେଟିକ୍‌ ଭ୍ୟାନିଲିନ୍‌ ନାମକ ମନୁଷ୍ୟ ହଜମଶୀଳ ପଦାର୍ଥ ବାହାର କରିଥିଲେ ଯାହାର ବାସ୍ନା ଅବିକଳ ଭ୍ୟାନିଲା ପରି। ତେବେ ନିରାପତ୍ତା ଦୃଷ୍ଟିରୁ ତାହାର ସ୍ବାଦ କେହି ଏଯାଏ ବାରିନାହାନ୍ତି। ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ଦ୍ବାରା ଏହାର ପୁଙ୍ଖାନୁପୁଙ୍ଖ ପରୀକ୍ଷା ପରେ ତାହାକୁ ଖାଦ୍ୟ ଉପଯୋଗୀ ଭାବେ ଘୋଷଣା କରାଯିବ ବୋଲି ଜଣାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button