ପରିବା ବିକ୍ରି ଭଳି ଚାକିରି ବିକ୍ରି କରୁଥିଲେ ଶିକ୍ଷକ, ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିବା ଅଭିଯୋଗରେ ୩ ଗିରଫ

ଉଦଳା: ବିକୁଥିଲେ ଚାକିରି, ଧରାପଡ଼ିଲେ ମାଣ୍ଡରମାଇଣ୍ଡ ଶିକ୍ଷକ । ଟଙ୍କା ଦେଲେ ମିଳୁଛି ସରକାରୀ ଚାକିରି । ପରିବା ବିକ୍ରି ଭଳି ଚାକିରି ବିକ୍ରି କରୁଥିଲେ ଶିକ୍ଷକ । ମିଥ୍ୟା ଚାକିରିର ପ୍ରତିଶ୍ରୁତି ଦେଇ ଟଙ୍କା ଠକିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଖୁଣ୍ଟା ପୋଲିସ । ଏଭଳି ସାଂଘାତିକ ଘଟଣା ସାମନାକୁ ଆସିଛି ଉଦଳା ଥାନା ଅଞ୍ଚଳରୁ । ବୈରାଟପୁର ସ୍କୁଲର ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟ ସରକାରୀ ଚାକିରୀ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ।
ଏନେଇ ଗତ ଡିସେମ୍ବରରେ ଅଭିଯୋଗ ଆଣିଥିଲେ ଖୁଣ୍ଟା ବ୍ଲକର କାର୍ଯ୍ୟରତ ଏବିଇଓଙ୍କ ପୁତୁରା । ଜିଆରଏସ ଚାକିରି କରାଇଦେବା ନାଁରେ ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ ଏବଂ ଚାକିରି ପରେ ବାକି ୪୦ ହଜାର ଟଙ୍କା ନେଇଥାନ୍ତେ । କିନ୍ତୁ ଚାକିରି ହେଲାନାହିଁ । ଆଉ ଟଙ୍କା ଫେରସ୍ତ ପାଇଁ ଧରାଛୁଆଁ ଦେଲେ ନାହିଁ ଶିକ୍ଷକ ମନୋଜ ଆଚାର୍ଯ୍ୟ । ଏନେଇ ଥାନାରେ ଏବିଇଓ ଅଭିଯୋଗ କରିବା ପରେ ଗତକାଲି ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୁ ପ୍ରାୟ ୧୫ ରୁ ଅଧିକ ଯୁବକ ଠକାମୀର ଶିକାର ହୋଇଥିବା ସୂଚନା ।