ପ୍ରେରଣାଦାୟୀ ପ୍ରାଞ୍ଜଳି : ଚଳାଉଛନ୍ତି ୧୦୦ କୋଟିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ – Utkal Mail
ନାମ ତାଙ୍କର ପ୍ରାଞ୍ଜଳି ଅବସ୍ତି। ଭାରତରେ ଜନ୍ମ। କିନ୍ତୁ ରହୁଛନ୍ତି ଆମେରିକାରେ। ୧୬ ବର୍ଷ ବୟସ୍କା ଏହି କିଶୋରୀଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା। ୧୦୦ କୋଟିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ ଚଳାଉଥିବା ପ୍ରାଞ୍ଜଳି ଏବେ ବିଶ୍ବର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। ସେ ୨୦୨୨ ମସିହା ଜାନୁଆରି ମାସରେ ‘ଡେଲ୍ଭ ଡଟ୍ ଏଆଇ’ ନାମକ ନିଜର କମ୍ପାନି ଆରମ୍ଭ କରିଥିବା ବେଳେ ମାତ୍ର ୬୦୦ ଦିନରେ ବଡ଼ ସଫଳତା ହାସଲ କରିପାରିଛନ୍ତି। ଉଦ୍ୟୋଗ କ୍ଷେତ୍ରରେ ପ୍ରାଞ୍ଜଳିଙ୍କର ପ୍ରେରଣାଦାୟୀ ଉଦ୍ୟମକୁ ଦେଖି ଭାରତ ତଥା ଓଡ଼ିଶାର ମହିଳା ଉଦ୍ୟୋଗୀମାନେ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେହିପରି ଅନେକ ମହିଳା ନିଜର ଉଦ୍ୟୋଗ ପ୍ରତିଷ୍ଠା ନେଇ ସ୍ବପ୍ନ ଦେଖୁଥିବା ପ୍ରକାଶ କରିଛନ୍ତି। ଯାହା ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶୁଭସଂକେତ। ହେଲେ ଚିନ୍ତାର କଥା; ଦେଶ ଓ ରାଜ୍ୟରେ ମୋଟ ଉଦ୍ୟୋଗୀଙ୍କ ତୁଳନାରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ସନ୍ତୋଷଜନକ ନୁହେଁ। ଏପରି ସମୟରେ ଅନେକ ମହିଳାଙ୍କର ଉଦ୍ୟୋଗୀ ହେବା ସ୍ବପ୍ନ କେମିତି ପୂରା ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଅର୍ଥନୀତିରେ ମହିଳା ଉଦ୍ୟୋଗୀଙ୍କ ଅବଦାନକୁ ଉପଯୁକ୍ତ ସ୍ବୀକୃତି ନମିଳିବା ବି ଦୁଃଖର କଥା।
୨୦୧୫ ମସିହାରେ ବିଶ୍ବର ୭୭ଟି ଦେଶକୁ ନେଇ ଏକ ସର୍ବେକ୍ଷଣ ହୋଇଥିଲା। ଯେଉଁ ଆଧାରରେ ଗ୍ଲୋବାଲ୍ ‘ଏଣ୍ଟରପ୍ରିନିଓରସିପ୍ ଡେଭ୍ଲପ୍ମେଣ୍ଟ ଇଷ୍ଟିଚ୍ୟୁଟ୍’ ଦ୍ବାରା ‘ଫିମେଲ୍ ଏଣ୍ଟରପ୍ରିନିଓରସିପ୍ ଇଣ୍ଡେକ୍ସ ରିପୋର୍ଟ’ ପ୍ରକାଶ ପାଇଥିଲା। ରିପୋର୍ଟ କହୁଛି; ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ଭିତ୍ତିରେ ଭାରତ ୭୦ତମ ସ୍ଥାନରେ ରହିଛି। ସବୁଠାରୁ ବଡ଼କଥା ହେଲା; ଏ କ୍ଷେତ୍ରରେ ଭାରତ ଆଫ୍ରିକୀୟ ଦେଶଗୁଡ଼ିକଠାରୁ ମଧ୍ୟ ପଛରେ ପଡ଼ିଛି। ସର୍ବଭାରତୀୟ ଷଷ୍ଠ ଅର୍ଥନୈତିକ ଜନଗଣନା ରିପୋର୍ଟ ଅନୁସାରେ, ଭାରତରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ନିରାଶ କଲା ପରି। ଏଠାରେ ପ୍ରାୟ ୮ କୋଟିରୁ ଅଧିକ ଉଦ୍ୟୋଗୀ ଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରାୟ ୯୫ ଲକ୍ଷ ମହିଳା ଉଦ୍ୟୋଗୀ ଅଛନ୍ତି। ଯେଉଁ ମହିଳା ଉଦ୍ୟୋଗୀଙ୍କ ମଧ୍ୟରୁ ୬୫.୧୨ ପ୍ରତିଶତ ଗ୍ରାମାଞ୍ଚଳରେ ଏବଂ ୩୪.୮୮ ପ୍ରତିଶତ ସହରାଞ୍ଚଳରେ ସେମାନଙ୍କ ଉଦ୍ୟୋଗ ଚଳାଉଛନ୍ତି। ଅନ୍ୟପଟେ ରାଜ୍ୟଗୁଡ଼ିକରେ ଯେତିକି ମହିଳା ଉଦ୍ୟୋଗୀ ରହିବା କଥା, ସେତିକି ନାହାନ୍ତି। ଅଧିକାଂଶ ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଅଭାବ ଦେଖାଦେଇଛି। ତାମିଲନାଡ଼ୁରେ ସର୍ବାଧିକ ୧୩.୫୧ ପ୍ରତିଶତ ମହିଳା ଉଦ୍ୟୋଗୀ ଥିବା ବେଳେ ତା’ ପଛକୁ କେରଳରେ ୧୧.୩୫ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୧୦.୫୬ ପ୍ରତିଶତ, ପଶ୍ଚିମବଙ୍ଗରେ ୧୦.୩୩ ପ୍ରତିଶତ ରହିଛନ୍ତି। ସେହିପରି ଲାକ୍ଷାଦ୍ବୀପ ଓ ଦାମନଡିଉରେ ସର୍ବନିମ୍ନ ୦.୦୧ ପ୍ରତିଶତ ମହିଳା ଉଦ୍ୟୋଗୀ ଥିବା ବେଳେ ତା’ ଉପରକୁ ଦାଦର ଓ ନଗର ହାବେଳୀରେ ୦.୦୨ ପ୍ରତିଶତ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୦.୦୩ ପ୍ରତିଶତ, ଚଣ୍ଡୀଗଡ଼ରେ ୦.୦୭ ପ୍ରତିଶତ, ସିକ୍କିମରେ ୦.୦୭ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୦.୦୮ ପ୍ରତିଶତ ରହିଛନ୍ତି।
ଏ ଦିଗରେ ଓଡ଼ିଶା ବାକି ରାଜ୍ୟଗୁଡ଼ିକ ତୁଳନାରେ କିଛିଟା ସମ୍ମାନଜନକ ସ୍ଥିତିରେ ଥିଲେ ବି ତାହା ଯଥେଷ୍ଟ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି। ଏଠାରେ ୩.୧ ପ୍ରତିଶତ ମହିଳା ଉଦ୍ୟୋଗୀ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ସ୍ଥିତିକୁ ଯଦି ଦେଖାଯାଏ; ପ୍ରାୟ ୧,୩୦୦ ଉଦ୍ୟୋଗ ମଧ୍ୟରୁ ୫୦୦ ଉଦ୍ୟୋଗ ମହିଳାମାନଙ୍କ ଦ୍ବାରା ପରିଚାଳିତ ହେଉଛି। ଯାହା ଜାତୀୟ ହାରଠାରୁ ପ୍ରାୟ ୩୫ ପ୍ରତିଶତ ଅଧିକ। ଅନ୍ୟପଟେ ରାଜ୍ୟରେ ପ୍ରାୟ ୬ ଲକ୍ଷରୁ ଅଧିକ ସ୍ବୟଂସହାୟକ ଗୋଷ୍ଠୀ ଥିବା ବେଳେ ୭୦ ଲକ୍ଷ ମହିଳା ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି ଅଥବା ବିଭିନ୍ନ ଉଦ୍ୟୋଗ ସହ ଯୋଡ଼ି ହୋଇପାରିଛନ୍ତି। ମୋଟାମୋଟି କହିବାକୁ ଗଲେ ଦେଶରେ ଥିବା ମହିଳା ଉଦ୍ୟୋଗୀଙ୍କୁ ନେଇ ଯେଉଁ ଅର୍ଥନୈତିକ ଅଭିବୃଦ୍ଧି ଆଶା କରାଯାଉଛି, ତାହା ପୂରଣ ହେବା କଷ୍ଟକର ବ୍ୟାପାର ନିଶ୍ଚୟ। ପ୍ରାଞ୍ଜଳି ଅବସ୍ଥିଙ୍କୁ ନେଇ ମହିଳାମାନେ କେବଳ ଉତ୍ସାହିତ ହେଲେ ଚଳିବ ନାହିଁ। ଲାଭ ଦୃଷ୍ଟିକୋଣରୁ ସେମାନେ ଗଢ଼ିବାକୁ ଚାହୁଥିବା ଉଦ୍ୟୋଗର ବ୍ୟବସାୟିକ ଦିଗଗୁଡ଼ିକ ଉପରେ ମଧ୍ୟ ସବିଶେଷ ଜ୍ଞାନ ଅର୍ଜନ କରିବାକୁ ହେବ। ଉନ୍ନତ ଜ୍ଞାନକୌଶଳ ଅପଣାଇ ଚାହିଦାସଂପନ୍ନ ଉତ୍ପାଦ ପ୍ରସ୍ତୁତ କରିବାକୁ ପଡ଼ିବ। ତେବେ ସବୁକଥା ମହିଳାମାନଙ୍କ ଉପରେ ଛାଡ଼ିଦେବା ଉଚିତ ନୁହେଁ। ଅଭିଜ୍ଞ ଉଦ୍ୟୋଗୀ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଉତ୍ସାହ ଓ ଆର୍ଥିକ ସହାୟତା ଯୋଗାଇଦେବାର ଆବଶ୍ୟକତା ଅଛି। ଏପରି ହେଲେ ଦିନେ ଆମେ ଗର୍ବର ସହ କହିପାରିବା ଯେ ଭାରତର ଅର୍ଥନୀତିକୁ ସୁଦୃଢ଼ ଓ ସୁନିଶ୍ଚିତ କରିବା ଦିଗରେ ଆମ ମହିଳା ଉଦ୍ୟୋଗୀମାନଙ୍କର ସିଂହଭାଗ ଅବଦାନ ରହିଛି।