ମନୋରଞ୍ଜନ

ସାତ୍ ସୱାଲ୍: ମୋ ‘କର୍ମ’ର ଫଳ ମୋତେ ମିଳିଲା

ସୋସିଆଲ୍ ମିଡିଆରେ ମ୍ୟୁଜିକ୍ ଭିଡିଓ, କ୍ଷୁଦ୍ର ସିନେମା ଓ ରିଲ୍ସ୍ ଜରିଆରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ଏବେ ନୂଆ ନୂଆ ସିନେମାରେ ପାଦ ଥାପିଛନ୍ତି ମନ୍ମୟ ଦେ। ‘କର୍ମ’ ଫିଲ୍ମରେ ରବିନ୍ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୁବ ଅଭିନେତା ମନ୍ମୟଙ୍କ ସହ ଅଳ୍ପ-ଆଳାପ।

ବନ୍ଦନା ମିଶ୍ର୍ର

ସୋସିଆଲ୍ ମିଡିଆ ଷ୍ଟାର୍ ଥିଲେ, ଏବେ ସିନେ ଷ୍ଟାର୍ ବି ହୋଇଗଲେ। କେଉଁଟି ଆପଣଙ୍କୁ ବେଶି ଉପଲବ୍ଧି ଦେଇଛି?
ସୋସିଆଲ୍ ମିଡିଆରୁ କ୍ୟାରିୟର୍ ଆରମ୍ଭ କରିଥିଲି। ଧୀରେ ଧୀରେ ଲୋକଙ୍କର ଭଲପାଇବା ସାଉଁଟିଲି। ତେଣୁ ସେଥିରେ ଉପଲବ୍ଧି ତ ଅନେକ। ତାକୁ ହିଁ ସମ୍ବଳ କରି ଗାଡ଼ି ଗଡୁଥିଲା। ସିନେମା ଶିଳ୍ପର ଅନୁଭବ ଓ ଅନୁଭୂତି ଖୁବ୍ କମ୍ ଦିନର। ତଥାପି ବି କିଛି କମ୍ ନୁହେଁ।

ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ସହ କାମ କଲା ବେଳେ ମନରେ ଭୟ ଥିଲା କି ? ଦର୍ଶକଙ୍କ ସଂପୂର୍ଣ୍ଣ ଧ୍ୟାନ ତାଙ୍କ ଆଡ଼େ ପଳେଇବ ବୋଲି ଆଶଙ୍କା ଥିଲା ?
ଭୟ ତ ନିଶ୍ଚୟ ଥିଲା। ସେ ଓଲିଉଡ୍ର ସୁପର୍ଷ୍ଟାର୍, ପୁଣି ଅନୁଭବ ମହାନ୍ତି! କେମିତି କଥାବାର୍ତ୍ତା ହେବି, ସେ ମିଶିବେ କି ନାହିଁ। ଏସବୁ ଭୟ ଥିଲା। ମାତ୍ର ପ୍ରଥମ ଦିନରୁ ହିଁ ଭୟ ଦୂର ହୋଇଗଲା। ଅନୁଭବ ଭାଇଙ୍କର ମେଳାପୀ ଗୁଣ ମୋତେ କାମ କରିବାରେ ବେଶ୍ ସହାୟକ ହେଲା। ଆଉ ଯେଉଁ ଦର୍ଶକଙ୍କ ଧ୍ୟାନ କଥା ପଚାରୁଛନ୍ତି; ତା’ର ଉତ୍ତର ହେଉଛି, ଦର୍ଶକଙ୍କ ଧ୍ୟାନ ତ ନିଶ୍ଚୟ ଭାଇଙ୍କ ଆଡ଼େ ଯିବ। ମୋ ଆଡ଼େ ଆସିବ ବୋଲି ମୁଁ କେବେ ଭାବିନାହିଁ। ମୁଁ କେବଳ ଚରିତ୍ରକୁ ଠିକ୍ ଭାବେ ନିଭାଇବାକୁ ଚେଷ୍ଟା କରିଛି।

‘କର୍ମ’ରେ ଅଭିନୟ ସୁଯୋଗ ପାଇବା ପୂର୍ବରୁ ଆପଣ ଅନ୍ୟ କେଉଁଠି ଅଭିନୟ କରିଥିଲେ?
ଅଭିନୟ ତ ଆଗରୁ ବହୁତ କରିଛି; ହେଲେ ବଡ଼ ପରଦାରେ ନୁହେଁ। ମୋର ପୂର୍ବ କର୍ମ ପାଇଁ ବୋଧହୁଏ ‘କର୍ମ’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଲି। ଏହା ମୋର ପ୍ରଥମ ସିନେମା।

ଆଗକୁ ଯଦି ସିନେମା ଶିଳ୍ପ ଆପଣଙ୍କୁ ଗ୍ରହଣ କରିନେଲା ଆପଣ କାହାକୁ ଗୁରୁତ୍ବ ଦେବେ? ସିନେମା ନା ସୋସିଆଲ୍ ମିଡିଆକୁ?
ଏ ପ୍ରଶ୍ନର ଉତ୍ତର ଦେବା ମୋ ପାଇଁ ଖୁବ୍ କଠିନ। ସୋସିଆଲ୍ ମିଡିଆରେ ଦର୍ଶକଙ୍କ ଭଲପାଇବା ମୋତେ ଛିଡ଼ା ହେବାରେ ସାହାଯ୍ୟ କରିଛି। ତା’ର ଗୁରୁତ୍ବ କେମିତି ଭୁଲିବି? ହେଲେ ବଡ଼ ପରଦାକୁ ଆସିବାର ସ୍ବପ୍ନ ବି ମନରେ ଥିଲା। ଏଣୁ ସିନେ ଇଣ୍ଡଷ୍ଟ୍ରି ଯଦି ମୋତେ ଗ୍ରହଣ କରୁଛି ତ ସେଇଟା ମୋ ପାଇଁ ଗୋଟିଏ କମ୍ ଗୁରୁତ୍ବପୂର୍ଣ୍ଣ କଥା ନୁହେଁ।

କେବେ କାହାକୁ ପ୍ରେମ କରିଛନ୍ତି? ଯଦି ହଁ, ତେବେ ତାଙ୍କ ସହ କେବେ ବିବାହ କରିବେ?
ପ୍ରେମ କିମ୍ବା ବିବାହ ବିଷୟରେ ମୁଁ କେବେ ଭାବିନାହିଁ। କାହିଁକି ନା, ମୋ ବଡ଼ ଭାଇ ଅବିବାହିତ ଅଛନ୍ତି। ତେଣୁ ମୋର ଏବେ ବିବାହ କରିବାର ପ୍ରଶ୍ନ ଉଠୁନାହିଁ।

ଆପଣଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ବା ଚ୍ୟାନେଲ୍ରେ ଯେଉଁ ଭିଡିଓ ସବୁ ପୋଷ୍ଟ୍ ହୁଏ, ତାହାକୁ ଆପଣ ଲେଖନ୍ତି ନା ସେଥିପାଇଁ କଣ୍ଟେଣ୍ଟ୍ କ୍ରିଏଟର୍ସଙ୍କ ସହାୟତା ନିଅନ୍ତି?
ମୋ ଚ୍ୟାନେଲ୍ରେ ଯେଉଁ ଭିଡିଓ ସବୁ ପଡ଼େ ତାହାକୁ ମୋ କଣ୍ଟେଣ୍ଟ୍ ଟିମ୍ ତିଆରି କରନ୍ତି। ମୋର ଜଣେ ବଡ଼ଭାଇ ଅମୃତାଂଶୁ ମହାପାତ୍ର ଓ ଅନ୍ୟ କର୍ମକର୍ତ୍ତାଙ୍କ ସହାୟତାରେ ଏହା ସୃଷ୍ଟି ହୁଏ। ମୋ ବାପା ଡ. ବିଜୟ କୁମାର ଦେ ମଧ୍ୟ ଆମ ଚ୍ୟାନେଲ୍ ପାଇଁ ଅନେକ ଭଲ କାହାଣୀ ଯୋଗାଇ ଦିଅନ୍ତି। ଏହାର ଶ୍ରେୟ ମୁଁ ସମସ୍ତଙ୍କୁ ଦେବି।

ଭବିଷ୍ୟତ ପାଇଁ ଯୋଜନା କ’ଣ ରହିଛି?
ଭବିଷ୍ୟତକୁ ନେଇ ମୋର ସେମିତି କିଛି ବି ଯୋଜନା ନାହିଁ। ସମୟକ୍ରମେ ଯାହା ଘଟିବ, ସେଇଟା ହିଁ ମୋ ଭବିଷ୍ୟତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button