ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍, ପୀଡ଼ିତାଙ୍କ ସାଙ୍ଗର ବାପା ଆସାମୀ – Utkal Mail
ଭୁବନେଶ୍ବର: ୨୦୧୮ ମସିହାରେ ଜଟଣୀରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ସ୍ପେସାଲ୍ ଫାଷ୍ଟଟ୍ରାକ୍ କୋର୍ଟ(୨) ବିଚାରପତି ଦୁର୍ଗାଚରଣ ମିଶ୍ର ଆସାମୀ ଶୁଭଙ୍କର ପଲ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିବା ଶୁଣାଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଶୁଭଙ୍କରକୁ ଅଧିକ ୧ ବର୍ଷ ଜେଲ୍ରେ ରହିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।
ପଶ୍ଚିମବଙ୍ଗ ବାସୁଦେବପୁର ଥାନା ତ୍ରିବେଣୀ ଗାଁର ଶୁଭଙ୍କର ପଲ୍(୪୪) ଜଣେ ରେଳବାଇ କର୍ମଚାରୀ ଥିଲେ ଏବଂ ଜଟଣୀରେ ରହୁଥିଲେ। ୨୦୧୮ ମସିହା ଦୁର୍ଗାପୂଜା ସମୟରେ ଶୁଭଙ୍କରଙ୍କ ପତ୍ନୀ ଓ ଝିଅ ଗାଁକୁ ଯାଇଥିଲେ। ଶୁଭଙ୍କର ଘରେ ଏକାକୀ ଥିଲେ। ଏହି ସୁଯୋଗରେ ଶୁଭଙ୍କର ନିଜ ଝିଅର ନାବାଳିକା ସାଙ୍ଗକୁ ଆଇସ୍କ୍ରିମ୍ ଦେବା ବାହାନାରେ ଘରକୁ ଡାକିଥିଲା। ସାଙ୍ଗର ବାପା ଡାକୁଥିବାରୁ ବିଚାରି ନାବାଳିକା କିଛି ନ ଭାବି ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଶୁଭଙ୍କରର ଲୋଲୁପଦୃଷ୍ଟିରୁ ବିଚାରି ବର୍ତ୍ତିନଥିଲା। ସେ ନାବାଳିକାଙ୍କୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ଏ ନେଇ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ସେବେଠୁ ଅଭିଯୁକ୍ତ ଶୁଭଙ୍କର ଝାରପଡ଼ା ବିଚାର ବିଭାଗୀୟ ହାଜତରେ ଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ଏହି ମାମଲା ପରିଚାଳନା କରୁଥିଲେ।