ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ଝାରମୁଣ୍ଡା – ବୌଦ୍ଧ ରେଳ ସେକ୍ସନ ନିରୀକ୍ଷଣ

ଭୁବନେଶ୍ୱର, ୭।୧୧ : ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଝାରମୁଣ୍ଡା ଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ ୧୬.୨୭୦ କିଲୋମିଟର ଦୈର୍ଘ୍ୟ ନୂତନ ଭାବେ ନିର୍ମିତ ଟ୍ରେନ୍ ଲାଇନରେ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ ସହ ରେଳ ନିରାପତ୍ତା ଆୟୁକ୍ତଙ୍କ ନିରୀକ୍ଷଣ ଶେଷ ହୋଇଛି |
ଏହା ବ୍ୟତୀତ, ନୂତନ ଭାବେ ନିର୍ମିତ ବୌଦ୍ଧ-ଚମ୍ପାପୁର ୧୩.୭୦୧ କି.ମି ଦୈର୍ଘ୍ୟ ରେଳ ସେକ୍ସନ ଓ ଚମ୍ପାପୁର-ପୁରୁଣାକଟକ ୧୩.୪୩୭ କି.ମି. ଦୈର୍ଘ୍ୟ ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନର ସର୍ବମୋଟ ୩୦୧ କିଲୋମିଟର ଦୈର୍ଘ୍ୟ ରେଳପଥ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୯୯ କିଲୋମିଟର ଦୈର୍ଘ୍ୟ ରେଳ ଲାଇନର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀର ପାର୍ଶ୍ୱରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ ୯୩ କି.ମି.ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି । ଏହା ସହିତ ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ ୨୭ କିଲୋମିଟର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ନିର୍ମାଣାଧୀନ ଅଛି ଯାହାକି ଶୀଘ୍ର ଶେଷ ହେବାକୁ ଯାଉଛି । ପୁରୁଣାକଟକରୁ ଦଶପଲ୍ଲା ପର୍ଯ୍ୟନ୍ତ ଅବଶିଷ୍ଟ ୭୫ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଯାହା ଟନେଲ ନିର୍ମାଣ ସହିତ ଜଡିତ ତଥା ଜଙ୍ଗଲ ଏବଂ ଅଭୟାରଣ୍ୟ ଅଞ୍ଚଳ ଦେଇ ଗତି କରୁଛି, ତାହା ଏହାର ନିର୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବେ।
ସୁଦୂର ଉପାନ୍ତ ଅଞ୍ଚଳରେ ପରିବହନ ଏବଂ ଅର୍ଥନୈତିକ ବିକାଶ ପାଇଁ ଏହି ରେଳ ପ୍ରକଳ୍ପର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ରେଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକଳ୍ପର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖାଯାଇ ସମୀକ୍ଷା କରାଯାଉଥିବାବେଳେ ସଠିକ ସମୟରେ ନିର୍ମାଣ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଅଛି। ଇଞ୍ଜିନିୟରିଂ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ୱେ, ଉପାନ୍ତ ଦୁର୍ଗମ, ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳ ଦେଇ ଟନେଲ୍ ନିର୍ମାଣ କ୍ଷେତ୍ରରେ ଏହି ପ୍ରକଳ୍ପ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବାରେ ସଫଳତା ହାସଲ କରିଚାଲିଛି ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ କେବଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ରେଳ ମାର୍ଗ ନିର୍ମାଣରେ ସମ୍ମୁଖୀନ ହୋଇଥିବା କେତେକ ଜଟିଳ ଇଞ୍ଜିନିୟରିଂ ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଭାରତୀୟ ରେଳବାଇର ଦକ୍ଷତା ପ୍ରମାଣ ଅଟେ ।ଟନେଲଗୁଡିକର ସଫଳ ସମାପ୍ତି ଏକ ପ୍ରମୁଖ ସଫଳତା ହେବ, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିତରଣ ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଇବ ।
ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ସଫଳ ଯାଞ୍ଚ ଏବଂ ତାଙ୍କର ଅନୁମତି ପରେ ନୂତନ ଝାରମୁଣ୍ଡା-ବୌଦ୍ଧ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଛି | ଏଥିପାଇଁ ଟ୍ରାକର ସମ୍ଭାବ୍ୟତାକୁ ଆକଳନ କରିବା ପାଇଁ ଏକ ଟ୍ରେନ ଇଞ୍ଜିନ୍ ର ପରୀକ୍ଷାମୂଳକ ଚଳାଚଳ ଏହି ନିରୀକ୍ଷଣ ସମୟ ମଧ୍ୟରେ ହୋଇସାରିଛି | କିନ୍ତୁ, ଏହି ସେକ୍ସନରେ ଆନୁସଙ୍ଗିକ ଭିତ୍ତିଭୂମି ସହିତ ଯାତ୍ରୀ ସୁବିଧା ଉପଲବ୍ଧ ହେବା ପରେ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ।