ବ୍ୟବସାୟ

ଖାଦ୍ୟ, ସାର, ଏଲ୍‌ପିଜିରେ ଅଧିକ ବ୍ୟୟ: ୧.୨୯ ଲକ୍ଷ କୋଟିର ଅତିରିକ୍ତ ଖର୍ଚ୍ଚ ଦାବି – Utkal Mail


ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ। ଏଣୁ ହାତଖୋଲା ବ୍ୟୟରେ କୌଣସି ଅବହେଳା ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଚାଳିତ କେନ୍ଦ୍ର ସରକାର ଚାହାନ୍ତି। ୨୦୨୪ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ୍‌ ବ୍ୟୟବରାଦ ବାହାରେ ଆଉ ୧.୨୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଚାହୁଛନ୍ତି। ସେଥିପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରି ସଂସଦର ଅନୁମୋଦନ ଲୋଡ଼ାଯାଇଥିବା ଜଣାପଡ଼ିଛି। ମୋଟ ୧.୨୯ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବିରୁ ନିଟ୍ ଖର୍ଚ୍ଚ ଦାବି ହେଉଛି ୫୮,୩୭୮ କୋଟି ଟଙ୍କା। ସେଥିରୁ ସାର ସବ୍‌ସିଡି ବାବଦରେ ୧୩,୩୫୦ କୋଟି ଟଙ୍କା, ଏଲ୍‌ପିଜି ସବ୍‌ସିଡି ପାଇଁ ୯,୨୨୦ କୋଟି ଟଙ୍କା ଏବଂ ଖାଦ୍ୟ ସବ୍‌ସିଡି ବାବଦରେ ୭୦୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତିରକ୍ଷା କ୍ଷେତ୍ରରେ ଅତିରିକ୍ତ ୧୫,୦୦୦ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ସଂସଦର ଅନୁମୋଦନ ଲୋଡ଼ିଛନ୍ତି। ମୋଟ ଅତିରିକ୍ତ ବ୍ୟୟବରାଦରୁ ୭୧,୦୦୦ କୋଟି ଟଙ୍କାକୁ ସଞ୍ଚୟ ଓ ଅଧିକ ରାଜସ୍ବ ସଂଗ୍ରହ ଜରିଆରେ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌ରେ ସାର ସବ୍‌ସିଡି ଲାଗି ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିରୁ ୫୫ ପ୍ରତିଶତ ଅର୍ଥ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଖର୍ଚ୍ଚ ହୋଇଥିଲା। ୨୦୨୨-୨୩ରେ ସରକାର ରେକର୍ଡ ୨.୫୫ ଲକ୍ଷ କୋଟି ଟଙ୍କାର ସାର ସବ୍‌ସିଡି ବାବଦରେ ବ୍ୟୟ କରିଥିଲେ। ସେହିପରି, ଏଥର ବଜେଟ୍‌ରେ ସରକାର ଖାଦ୍ୟ ସବ୍‌ସିଡିରେ ବଡ଼ ଧରଣର ହ୍ରାସ କରିଥିଲେ। ୨୦୨୨-୨୩ରେ ଖାଦ୍ୟ ସବ୍‌ସିଡି ପାଇଁ ୧,୯୭,୩୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ୨୦୨୩-୨୪ରେ ତାହାକୁ ୮୯,୮୪୪ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ‌ତେବେ ଦେଶର ୮୧.୩୫ କୋଟି ଲୋକଙ୍କୁ ଆଉ ୫ ବର୍ଷ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ଲାଗି ‌ସରକାର ଘୋଷଣା କରିଛନ୍ତି। ସେଥିପାଇଁ ୫ ବର୍ଷରେ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଲ୍‌ପିଜି ସବ୍‌ସିଡି ପାଇଁ ବଜେଟ୍‌ରେ ୨,୨୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କିଛି ମାସ ପୂର୍ବେ ଘରେ ରୋଷେଇ କାମରେ ବ୍ୟବହାର ହେଉଥିବା ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦାମ୍ ୧୧୨୯ ଟଙ୍କା ଭଳି ଉଚ୍ଚ ସ୍ତର‌ରେ ଥିଲା। ନିକଟରେ ସେଥିରେ ୨୦୦ ଟଙ୍କାର ହ୍ରାସ ଘୋଷଣା କରାଯାଇଥିଲା। କଂପାନିମାନଙ୍କ ସେହି କ୍ଷତିକୁ ସବ୍‌ସିଡି ଜରିଆରେ ସରକାର ଭରଣା କରିବାକୁ ଲକ୍ଷ୍ୟ ରଖିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button