ଦଳିତ ପ୍ରେମିକ ସହିତ ପଳାଇଯାଇ ପୁଲିସଦ୍ବାରା ଉଦ୍ଧାର ହୋଇଥିବା ନାବାଳିକା ଝିଅକୁ ହତ୍ୟା କଲେ ବାପା – Utkal Mail
ବେଙ୍ଗାଲୁରୁ: ଦଳିତ ପ୍ରେମିକ ସହିତ ପଳାଇଯାଇ ପୁଲିସଦ୍ବାରା ଉଦ୍ଧାର ହୋଇଥିବା ଜଣେ ୧୭ ବର୍ଷୀୟ ଝିଅକୁ ତା’ର ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ଶନିବାର ଦିନ ପାରାପ୍ପନ୍ନା ଆଗ୍ରାହାରା ନିକଟ ନାଗାନାଥପୁର ଅନ୍ତର୍ଗତ ଡକ୍ଟର୍ସ ଲେଆଉଟ୍ରେ ଘଟିଛି। ଅଭିଯୁକ୍ତ ୫୦ ବର୍ଷିୟ ଗେଣେଶ ହେଉଛନ୍ତି ମହୀଶୂର ଅନ୍ତର୍ଗତ ଏଚ୍ଡି କୋଟେ ଅନ୍ତର୍ଗତ କାଲିହୁଣ୍ଡିର ବାସିନ୍ଦା। ସେଦିନ ସନ୍ଧ୍ୟାବେଳେ ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଗଣେଶ ତାଙ୍କ ସ୍ତ୍ରୀ ଓ ସଡୁଙ୍କୁ ଆକ୍ରମଣ କରିଥିଲେ।
ମୃତ ୧୭ ବର୍ଷୀୟ ଝିଅ ହେଉଛି ପଲ୍ଲବୀ ଏବଂ ଆହତମାନେ ହେଲେ ଗଣେଶଙ୍କ ସ୍ତ୍ରୀ ଶରଧା, ସଡୁ ଶାନ୍ତା କୁମାର।
ଏଚ୍. ଡି. କୋଟେରେ ‘ପ୍ରି-ୟୁନିଭର୍ସିଟି’ ପଢୁଥିବା ଗୌଡ଼ା ସମ୍ପ୍ରଦାୟର ପଲ୍ଲବୀ ସେ ଅଞ୍ଚଳର ଗୋଟାଏ ଦୋକାନରେ କାମ କରୁଥିବା ଅନୁସୂଚୀତ ଜାତିର ଜଣେ ପୁଅକୁ ପ୍ରେମ କରୁଥିଲେ। ସ୍କୁଲ୍ରେ ପଢ଼ିବା ବେଳୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିଲା।
୨ ମାସ ପୂର୍ବେ ପଲ୍ଲବୀ ତା’ ପ୍ରେମିକ ସହିତ ପଳାଇଯାଇଥିଲା। ପୁଲିସ ତାକୁ ଠାବ କରି ପରିବାରକୁ ହସ୍ତାନ୍ତର କରିଥିଲା। କୃଷିକାର୍ଯ୍ୟ କରୁଥିବା ବାପା ଗଣେଶ ପଲ୍ଲବୀକୁ ଡକ୍ଟର୍ସ ଲେଆଉଟ୍ରେ ଥିବା ତା’ ମାଉସୀ ଗୀତାଙ୍କ ତତ୍ତ୍ବାବଧାନରେ ଛାଡ଼ିଥିଲେ।
ଅକ୍ଟୋବର ୧୪ ତାରିଖ ଦିନ ପଲ୍ଲବୀ ଗୀତାଙ୍କ ଘରୁ ପଳାଇଯାଇଥିଲା। ଅକ୍ଟୋବର ୧୮ ତାରିଖରେ ଥାନାରେ ଅପହରଣ ମାମଲା ରୁଜୁ ହେଲା। ପୁଲିସ ପଲ୍ଲବୀକୁ ଅକ୍ଟୋବର ୨୦ରେ ଠାବ କରି ପୁଣି ନେଇ ଗୀତାଙ୍କ ଘରେ ଛାଡ଼ିଲା। ଶନିବାର ସକାଳେ ଗଣେଶ ସ୍ତ୍ରୀ ଶରଧାଙ୍କୁ ଧରି ଶାଳୀ ଗୀତାଙ୍କ ଘରକୁ ଆସିଲେ। ପ୍ରେମ ଓ ପଳାୟନ ଯୋଗୁଁ ଗାଁ’ରେ ତାଙ୍କର ମାନମହତ ଗଲାଣି ବୋଲି ଝିଅ ପଲ୍ଲବୀକୁ କହିଲେ।