ବାଚସ୍ପତିଙ୍କୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ସମୟସୀମା ଧାର୍ଯ୍ୟ କର – Utkal Mail
ମହାରାଷ୍ଟ୍ରରେ ସେନା ବନାମ ସେନା
ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୫୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଆବେଦନର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ବାଚସ୍ପତି ରାହୁଲ ନରୱେକରଙ୍କୁ କହିଲେ କି ଏ ବାବଦରେ ନିଷ୍ପତ୍ତି ନେବା ପାଇଁ କୋର୍ଟ ଚାରିମାସ ହେଲା ତାଙ୍କୁ କହି ଆସୁଛନ୍ତି। କିନ୍ତୁ ସେ ଚୁପ୍ ବସିଛନ୍ତି। ଏହାକୁ ଆଉ ଅଧିକ ଦିନ ଯାଏ ପକାଇ ରଖିହେବ ନାହିଁ।
ଏହି ଅଯୋଗ୍ୟତା ଆବେଦନ ଶିବସେନାର ଉଭୟ ଦଳ – ଏକନାଥ ସିନ୍ଦେଙ୍କ ଦଳ ଏବଂ ଉଦ୍ଧବ ଠାକରେଙ୍କ ଶିବିର ଦ୍ବାରା ପରସ୍ପର ବିରୋଧରେ କରାଯାଇଥିଲା। ବେଞ୍ଚ କହିଛନ୍ତି ଯେ, ୫୬ ଜଣ ବିଧାୟକଙ୍କ ଅଯୋଗ୍ୟତା ଦାବିରେ ପରସ୍ପର ବିରୋଧରେ ମୋଟ ୩୪ଟି ଆବେଦନ କରାଯାଇଛି। ଏକନାଥ ସିନ୍ଦେ ଅନ୍ୟ ବିଧାୟକଙ୍କ ସହ ଜୁନ୍ ୨୦୨୨ରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଘାଡି ସରକାର ବିରୋଧରେ ବିଦ୍ରୋହ କରିବା ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇଥିଲା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଠାକରେ ଇସ୍ତଫା ଦେଇଥିଲେ ଏବଂ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
ସୋମବାର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଅଯୋଗ୍ୟତା ଆବେଦନ ଉପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବାକୁ ଚାହୁଥିବା ଶିବସେନା (ୟୁବିଟି) ବିଧାୟକ ସୁନୀଲ ପ୍ରଭୁଙ୍କ ଦ୍ବାରା ଦାଖଲ ଆବେଦନ ଉପରେ ଶୁଣାଣି କରିଥିଲେ। ଅଦାଲତ କହିଛନ୍ତି ଯେ, ଅଯୋଗ୍ୟତା ଆବେଦନ ଉପରେ ଯୁକ୍ତିଯୁକ୍ତ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ମେ ୧୧ରେ କୁହାଯାଇଥିଲା ଏବଂ ସେବେଠାରୁ ସେ ଜୁଲାଇରେ ବିଧାୟକମାନଙ୍କୁ ନୋଟିସ୍ ଜାରି କରିବା ବ୍ୟତୀତ ଅଧିକ କିଛି କରିନାହାନ୍ତି। ବେଞ୍ଚ କହିଛନ୍ତି ଯେ, ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତି ହେଉଛନ୍ତି ଟ୍ରିବ୍ୟୁନାଲ (ଦଳବଦଳ ବିରୋଧୀ ଆଇନ) ଏବଂ ଟ୍ରିବ୍ୟୁନାଲ ଭାବରେ ସେ କୋର୍ଟଙ୍କ ଅଧୀନ। ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ ବାଚସ୍ପତି ରାହୁଲ ନରୱେକର ଜାଣିଶୁଣି ବିଚାରରେ ବିଳମ୍ବ କରୁଥିବା ସୁନୀଲ ପ୍ରଭୁ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି।