ଓଡିଶା

ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଅଭିଯୋଗ ନଶୁଣି ଜଣେ ଅଫିସରଙ୍କୁ ପଠାଇବା ଦୁର୍ଭାଗ୍ୟଜନକ: ମୁଖ୍ୟମନ୍ତ୍ରୀ

ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ବିକୃତ ବ୍ୟବସ୍ଥା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହାସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଖର୍ଚ୍ଚଦାବି ଆଲୋଚନାରେ ସରକାରଙ୍କୁ କିଛି ପ୍ରଶ୍ନ ପଚାରି ପଳାଇ ଯାଇଥିବାରୁ ଶ୍ରୀ ମାଝୀ ତାଙ୍କୁ କଟାକ୍ଷ କରି କହିଥିଲେ ଯେ, ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ବିରୋଧୀ ଦଳ ନେତା ଉପସ୍ଥିତ ଅଧିକ ଭଲ ହୋଇଥାନ୍ତା, ବୋଧହୁଏ ବିଧାନସଭାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କର ଥାଇପାରେ ବୋଲି କହି କଟାକ୍ଷ କରିବାକୁ ପଛାଇନଥିଲେ।

ଆଜି ବିଧାନସଭାରେ ଉଭୟ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ଦୁର୍ଭାଗ୍ୟଜନକ । ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା। ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ଲୋକଙ୍କ ଗୁହାରି ଶୁଣୁନଥିଲେ । ଏଭଳି ଏକ ବିକୃତ ବ୍ୟବସ୍ଥା ପୂର୍ବ ସରକାରରେ ଚାଲିଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଦମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ । ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ । ଖୋର୍ଦ୍ଧା ଘଟଣାକୁ ସାମ୍ପ୍ରଦାୟିକ କହିବା ବଡ଼ ନିନ୍ଦନୀୟ କଥା । ଦୁଇ ପରିବାରର କଳି କେବେ ସାମ୍ପ୍ରଦାୟିକ ହିଂସା ନୁହେଁ ବୋଲି ସେ ନବୀନଙ୍କୁ କଟାକ୍ଷ କରି କହିଥିଲେ ।

ମୁୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣିଥରେ ଚଳଚଂଚଳ କରିଛନ୍ତି । ସବୁଦିନେ ପ୍ରାୟ ରାତି ସାଢ଼େ ୧୨ଟାରେ ସେ ଲୋକସେବା ଭବନରୁ ଘରକୁ ଯାଉଛନ୍ତି । ରାତି ୩ଟାରେ ଶୋଇ ସକାଳୁ ଉଠିବାରେ ସମସ୍ୟା ହେଉଛି । ମାତ୍ର ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ବାହାର କରିପାରୁଥିବାରୁ ନିଜକୁ ଖୁସି ଲାଗୁଛି । ଏବେସୁଦ୍ଧା ୫୬୦୦ ଅଭିଯୋଗ ଶୁଣାଣି କରିଛି । ଏଥିରୁ ୨୩ପ୍ରତିଶତ ସମାଧାନ ହୋଇଛି ଓ ଏହି ହାରକୁ ୫୦ ପ୍ରତିଶତ କରିବା ପାଇଁ ପ୍ରୟାସ ଚାଲିଛି । ପ୍ରଥମଦିନ ଅଭିଯୋଗ ଶୁଣାଣିବେଳେ ଆମେ ସମସ୍ତେ ମଧ୍ୟାହ୍ନଭୋଜନକୁ ସନ୍ଧ୍ୟା ୫ଟାରେ କରିଥିଲୁ ।

ସେହିପରି ରାଜ୍ୟରେ ଖାଲି ପଡ଼ିଥିବା ସବୁ ପଦବୀକୁ ପୂରଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି । ୧ଲକ୍ଷ ୩୨ହଜାର ୩୬୫ଟି ସରକାରୀ ପଦବୀ ଆଗାମୀ ଦିନରେ ପୂରଣ କରାଯିବ । ଆମ ସରକାର ଆସିବା ପରେ ଭିଜିଲାନ୍ସ ବିଭାଗ ଇତିମଧ୍ୟରେ ୪୯କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ କରିଛି । ପୂର୍ବ ସରକାରବେଳେ ଭିଜିଲାନ୍ସ କେବଳ କେରାଣ୍ଡିକୁ ଧରୁଥିଲା । ଏବେ ଆମ ସରକାର ବାଳିଆ, ରୋହି ଓ ଭାକୁର ଧରୁଛନ୍ତି ।

ସେହିପରି ବିଧାୟକମାନଙ୍କ କ୍ୱାର୍ଟର୍ସ ଉନ୍ନତିକରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ଲକ୍ଷ ଟଙ୍କା ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ମାଝୀ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button