ଦେଶ ବିଦେଶ

ଭାରତ ବିରୋଧରେ ପାକ୍‌ର ଧର୍ମ କାର୍ଡ ଫ୍ଲପ୍: ‘ଆମେ ଦୁହେଁ ଇସଲାମିକ୍ ରାଷ୍ଟ୍ର’

ନୂଆଦିଲ୍ଲୀ: ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଥିବା ଦର୍ଶାଇ ସମସ୍ତ ‘ଅପରେସନ ସିନ୍ଦୂର ଆଉଟ୍‌ରିିଚ୍‌’ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପାକିସ୍ତାନର ଅନୁରୋଧକୁ ମାଲେସିଆ ପ୍ରତ୍ୟାଖ୍ୟାନ କରିଛି। ଧର୍ମ କାର୍ଡ ଖେଳିବାକୁ ଚେଷ୍ଟା କରି ପାକିସ୍ତାନୀ ଦୂତାବାସ ମାଲେସିଆ ସରକାରୀ ଅଧିକାରୀମାନଙ୍କୁ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳର ସମସ୍ତ ୧୦ଟି କାର୍ଯ୍ୟକ୍ରମ ବାତିଲ କରିବାକୁ ଅନୁରୋଧ କରି କହିଥିଲା, ଆମେ ଏକ ଇସଲାମିକ ଦେଶ, ତୁମେ ବି ଏକ ଇସଲାମିକ ଦେଶ। ଭାରତୀୟ ପ୍ରତିନିଧିଦଳର କଥା ଶୁଣନ୍ତୁ ନାହିଁ, ମାଲେସିଆରେ ସେମାନଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରନ୍ତୁ। କିନ୍ତୁ ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମାଲେସିଆ ସରକାର ଭାରତର ୯ ଜଣିଆ ପ୍ରତିନିଧି ଦଳକୁ ସମସ୍ତ ୧୦ଟି ପ୍ରସ୍ତାବିତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଞ୍ଜୁରି ଦେଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଥିଲା। ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ ପରେ ଏହି ପ୍ରତିନିଧି ଦଳର ମାଲେସିଆ ଅନ୍ତିମ ରହଣିସ୍ଥଳ ଥିଲା।

ଧର୍ମ ଆଧାରିତ କୂଟନୀତିକୁ ମାଲେସିଆର ପ୍ରତ୍ୟାଖ୍ୟାନ

ଶନିବାର ଏହି ପ୍ରତିନିଧି ଦଳ କ୍ୱାଲାଲୁମ୍ପୁରରେ ପହଞ୍ଚିଥିଲେ। ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ମାଲେସିଆ ଗସ୍ତରେ ଆସିଥିବା ଭାରତୀୟ ପ୍ରତିନିଧି ଦଳରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବ୍ରିଜ ଲାଲ, ପ୍ରଦାନ ବରୁଆ ଓ ହେମାଙ୍ଗ ଯୋଶୀ, ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ, ସିପିଏମ୍‌ର ଜନ୍ ବ୍ରିଟାସ୍, କଂଗ୍ରେସର ସଲମାନ ଖୁର୍ସିଦ ଓ ପୂର୍ବତନ ରାଷ୍ଟ୍ରଦୂତ ମୋହନ କୁମାର ସାମିଲ ଥିଲେ। ଭାରତୀୟ ପ୍ରତିନିଧି ଦଳ ମାଲେସିଆର ପିପୁଲ୍ସ ଜଷ୍ଟିସ୍ ପାର୍ଟି (ପିକେଆର୍)ର ନେତାଙ୍କୁ ଭେଟି ଆତଙ୍କବାଦ ଉପରେ ଶୂନ୍ୟ ସହନଶୀଳତା ଓ ଅପରେସନ ସିନ୍ଦୂର ଅଧୀନରେ ଭାରତର ଦୃଢ଼ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ରବିବାର କ୍ୱାଲାଲୁମ୍ପୁରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ତୃଣମୂଳ ସାଂସଦ ଅଭିଷେକ ବାନାର୍ଜୀ କହିଥିଲେ ଯେ ଭାରତ କେବଳ ପାକିସ୍ତାନ ସହ ପିଓକେ ଫେରାଇବା ଉପରେ କଥାବାର୍ତ୍ତା କରିବ। ଆଜି ପାଞ୍ଚ ରାଷ୍ଟ୍ର ଗସ୍ତରୁ ଫେରିବା ପରେ ସଞ୍ଜୟ ଝା  କହିଛନ୍ତି, ପହଲଗାମ ଘଟଣାରେ ପୀଡ଼ିତଙ୍କ ପାଇଁ ସମସ୍ତ ରାଷ୍ଟ୍ର ସମବେଦନା ଜଣାଇଛନ୍ତି ଏବଂ  ଭାରତର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button