କ୍ରାଇମ

ବସୁନ୍ଧରା କ‌ଲୋନି ଡକାୟତି ମାମଲାର ପର୍ଦ୍ଦାଫାସ: ଧରାପଡ଼ିଲେ ୫ ଡକାୟତ – Utkal Mail


ମୁଖ୍ୟ ସୂତ୍ରଧର ସମେତ ୪ ଫେରାର୍‌: ୧.୨ କୋଟି ଟଙ୍କା, ଗହଣା, ପିସ୍ତଲ ଜବତ

ଚନ୍ଦ୍ରଶେଖରପୁର: ସିବିଆଇ ରେଡ୍‌ ବାହାନାରେ ଘରେ ପଶି ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିବା ୯ ଜଣିଆ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରିଛି କମିସନରେଟ୍‌ ପୁଲିସ। ଗତ ୨ ତାରିଖରେ ସନ୍ଧ୍ୟାରେ ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନିରେ ହୋଇଥିବା ଏହି ଡକାୟତି ମାମଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ ପୁଲିସ ୩ ସପ୍ତାହରେ ଏହି ମାମଲାର ପର୍ଦ୍ଦାଫାସ କରିଛି। ଧରାପଡ଼ିଥିବା ପେସାଦାର ଡକାୟତମାନେ ହେଲେ ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ କଲୋନି ମନ୍ଦିରସାହି ଅଞ୍ଚଳର ହେମନ୍ତ କୁମାର ଧୀର (୩୨), ଲକ୍ଷ୍ମୀବଜାର ଅଞ୍ଚଳର ସନାତନ ନାୟକ ଓରଫ୍ ସନା (୪୨), ଭୁବନେଶ୍ବର ସାଲିଆସାହିରେ ରହୁଥିବା ଅନୁଗୁଳ ଅମଲାପଡ଼ାର ଅର୍‌ବାଜ ଖାଁ ଓରଫ୍ ବିଟୁ (୨୨), କେନ୍ଦ୍ରପଡ଼ା ପଟାମୁଣ୍ଡାଇ ତେଲେଙ୍ଗାବସନ୍ତର ସଞ୍ଜୟ ମଲ୍ଲିକ ଓରଫ୍ କାଳିଆ (୩୬) ଏବଂ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରହୁଥିବା ଯାଜପୁର ବରୀ ଦରଘାର ଅଜ୍‌ମର ଅଲ୍ଲୀ ଓରଫ୍ ରାଜା (୪୮)। ସେମାନଙ୍କଠାରୁ ପୁଲିସ୍ ନଗଦ ୧କୋଟି ୨ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ଚେନ୍, ୪ଟି ମୁଦି ଓ ହଳେ କାନଫୁଲ ଜବତ କରିଛି। ଏଥିସହିତ ଏକ ଅଟୋମେଟିକ୍ ପିସ୍ତଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ୍ କୋଲକାତା, ଚେନ୍ନାଇ ଏବଂ ଅନୁଗୁଳ ରେଙ୍ଗାଲିରୁ ଗିରଫ କରିଛି। ତେବେ ଏହି ଡକାୟତିର ମୁଖ୍ୟ ସୂତ୍ରଧର ବାଦାଲ ଏବଂ ଅନ୍ୟ ତିନି ଡକାୟତ ଧରାପଡ଼ିନାହାନ୍ତି। ଏନେଇ ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଯେ ଖୁବ ଶୀଘ୍ର ଫେରାର୍ ଡକାୟତମାନଙ୍କୁ ଗିରଫ କରାଯିବ। କେବଳ ସୂତ୍ରଧର ବାଦଲକୁ ବାଦଦେଲେ ଅନ୍ୟ ସମସ୍ତଙ୍କ ନାଁରେ ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା ଓ ଭୁବନେଶ୍ବର ଆଦି ଅଞ୍ଚଳରେ ଡକାୟତି ମାମଲା ରହିଛି ବୋଲି ସେ କହିଛନ୍ତି।

ଘଟଣା ଦିନର କଥା
ଅଗଷ୍ଟ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା। ନନ୍ଦନବିହାର ବସୁନ୍ଧରା କଲୋନି ପ୍ଲଟ୍‌ ନମ୍ବର ୨୬୮/୨ ସମ୍ମୁଖରେ ଲାଗିଲା ଏକ ମାରୁତି ଏର୍ଟିଗା କାର୍‌(ଓଡି ୨୫-ଇ-୧୦୫୧)। ଗାଡ଼ିରୁ ଖପ୍‌ଖାପ ଓହ୍ଲାଇପଡ଼ିଲେ ୮/୯ ଜଣ। ଫ୍ଲାଟ୍‌ ମାଲିକ ନିବାରଣ ପାଣିଙ୍କ ଘର ଭିତରକୁ ପଶିଗଲେ। କଲୋନିର କିଛି ଲୋକ ଏସବୁ ଦେଖୁଥିବା ବେଳେ ଗାଡ଼ିରୁ ଓହ୍ଲାଇଥିବା ଯୁବକମାନେ ନିଜକୁ ସିବିଆଇ ଅଧିକାରୀ ବୋଲି କହିଥିଲେ। ତେଣୁ ଶ୍ରୀ ପାଣିଙ୍କ ଘରେ ସିବିଆଇ ରେଡ୍‌ ହେଉଥିବା ଜାଣି କଲୋନି ଲୋକେ ପଛକୁ ଘୁଞ୍ଚିଯାଇ କିଛି ଦୂରରେ ଏକାଠି ହୋଇ ଘଟଣା ଦେଖୁଥିଲେ। ଶ୍ରୀ ପାଣି ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଫିସର ହୋଇଥିବାରୁ ସିବିଆଇ ରେଡ୍‌କୁ ନେଇ ସେମାନେ ସନ୍ଦେହ କରିନଥିଲେ। ଦୁର୍ବୃତ୍ତମାନେ ଘର ଭିତରକୁ ଯାଇ ପ୍ରାୟ ଅଧ ଘଣ୍ଟା ପରେ ବାହାରି ଆସିଥିଲେ ଏବଂ କାର୍‌ ଯୋଗେ ଦ୍ରୁତବେଗରେ ସେଠାରୁ ଚାଲିଯାଇଥିଲେ। ଏମିତି ବିଚିତ୍ର ଧରଣର ସିବିଆଇ ରେଡ୍‌ ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ଆହୁରି ବଢ଼ିଥିଲା ଏବଂ ସେମାନେ ଘଟଣା କ’ଣ ଜାଣିବା ପାଇଁ ଶ୍ରୀ ପାଣିଙ୍କ ଘରକୁ ଯାଇଥିଲେ। ସେମାନେ ଘର ଭିତରେ ଶ୍ରୀ ପାଣି ଓ ତାଙ୍କ ପୁଅକୁ ବନ୍ଦୀ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ କିଚେନ୍‌ ଭିତରେ ବାପା-ପୁଅଙ୍କୁ ଗାମୁଛାରେ ବାନ୍ଧିବା ସହ ମୁହଁରେ ସେଲୋ ଟେପ୍‌ ଲଗାଇ ଦେଇଥିଲେ। ତୁରନ୍ତ ସେମାନେ ଇନ୍‌ଫୋସିଟି ଥାନା ପୁଲିସକୁ ଜଣାଇଥିଲେ। ସଂଜ ବୁଡ଼ଟାରେ ଏଭଳି ଡକାୟତି ହୋଇଥିବା ଖବର ପାଇ ପୁଲିସ ତୁରନ୍ତ ପହଞ୍ଚିଥିଲା। ପୁଲିସକୁ ଶ୍ରୀ ପାଣି ଦେଇଥିବା ବୟାନ ଅନୁସାରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶିଆସି ସିବିଆଇ ବୋଲି କହିଥିଲେ ଏବଂ ପିସ୍ତଲ ଦେଖାଇ ସେମାନଙ୍କୁ ଚୁପ୍‌ ରହିବାକୁ ଧମକ ଦେଇଥିଲେ। ଏହାପରେ ସେମାନଙ୍କୁ କିଚେନ୍‌ ଭିତରକୁ ନେଇ ବାନ୍ଧି ଦେଇଥିଲେ ଏବଂ ଆଲ୍‌ମିରାରେ ୨ଟି ଆଟାଚ୍‌ରେ ଥିବା ଟଙ୍କା, ଗହଣା ସବୁ ଲୁଟି ପଳାଇଥିଲେ।

କେମିତି ହେଲା ପର୍ଦ୍ଦାଫାସ
ରାଜଧାନୀରେ ସଂଜ ବୁଡ଼ୁବୁଡ଼ୁ ୨ କୋଟି ଟଙ୍କା ଡକାୟତି ହେବା ଘଟଣା ପୁଲିସର ମୁଣ୍ଡ ବିନ୍ଧା ବଢ଼ାଇଦେଇଥିଲା। ଏକକାଳୀନ ୨ କୋଟି ଟଙ୍କା ଜଣଙ୍କ ଘରେ ମହଜୁଦ୍ ଅଛି ବୋଲି ଡକାୟତମାନେ କେମିତି ଜାଣିଲେ? ଏହା ପଛରେ ନିଶ୍ଚୟ କେହି ସୂତ୍ରଧର ଅଛି ବୋଲି ପୁଲିସ ପ୍ରଥମରୁ ସନ୍ଦେହ କରିଥିଲା। ତେଣୁ ପୁଲିସ ତୁରନ୍ତ ଶ୍ରୀ ପାଣିଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରିଥିଲା ଏବଂ ଘଟଣା ସମ୍ପର୍କରେ ବି‌ଶେଷ ତଥ୍ୟ ବାହାରେ ପ୍ରଘଟ ନ କରିବାକୁ ପରାମର୍ଶ ଦେଇଥିଲା। ଶ୍ରୀ ପାଣିଙ୍କ ସୂଚନାରୁ ପୁଲିସ ବାଦଲ୍‌ ବାବଦରେ ଜାଣିବାକୁ ପାଇଥିଲା। ଅନୁଗୁଳର ବାଦଲ ଶ୍ରୀ ପାଣିଙ୍କ ଜଣେ ସମ୍ପର୍କୀୟଙ୍କ ଗାଡ଼ି ଚାଳକ ଥିଲା ଏବଂ ସେ ବହୁଥର ତାଙ୍କ ଘରକୁ ଆସିଥିଲା। ଏମିତିକି ତାଙ୍କ ଘରେ ଏତେ ଟଙ୍କା ମହଜୁଦ୍‌ ଅଛି ବୋଲି ବାଦଲ ଜାଣିଥିଲା। ତେଣୁ ଆଗ ବାଦଲକୁ ପିଛା କରିଥିଲା ପୁଲିସ। ସେହିଭଳି ଡକାୟତମାନେ ନେଇଯାଇଥିବା ଶ୍ରୀ ପାଣି ଓ ତାଙ୍କ ପୁଅର ମୋବାଇଲ୍‌ ନମ୍ବରକୁ ପୁଲିସ ଟ୍ରାକ୍‌ କରିଥିଲା। ଏହାସହିତ କଲୋନି ଭିତରେ ଥିବା ସିସିଟିଭିରୁ କାର୍‌ ନମ୍ବରକୁ ଠାବ କରାଯାଇଥିଲା। କାର୍‌ ନମ୍ବରରୁ ପୁଲିସ ମାଲିକ ରେଙ୍ଗାଲିର ହେମନ୍ତ ଧୀରକୁ ଚିହ୍ନଟ କରିଥିଲା। ତେଣୁ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଇନ୍‌ଫୋସିଟି ଥାନା ପୁଲିସ ରେଙ୍ଗାଲିରେ ଚଢ଼ଉ କରି ପ୍ରଥମେ ହେମନ୍ତକୁ ଉଠାଇବା ପରେ ଗୋଟି ଗୋଟି କରି ୫ ଡକାୟତ ଧରାପଡ଼ିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button