ଦେଶ ବିଦେଶ

ଜେଏସି ବୈଠକ: ‘ସୀମା ନିର୍ଦ୍ଧାରଣକୁ ୨୫ ବର୍ଷ ରୋକ’

ଚେନ୍ନାଇ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଶନିବାର ଚେନ୍ନାଇରେ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଆୟୋଜନ କରିଛନ୍ତି। ଷ୍ଟାଲିନ୍ ଏହି ବୈଠକକୁ ଭାରତର ସଂଘୀୟ ଢାଞ୍ଚା ପାଇଁ ଏକ ଐତିହାସିକ ଦିନ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିଥିବା ରାଜ୍ୟମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ଆନ୍ଦୋଳନର ଶୁଭାରମ୍ଭ କରିଛି। ଷ୍ଟାଲିନଙ୍କ ଉଦ୍‌ବେଗର କାରଣ ହେଉଛି, ଯଦି ଭବିଷ୍ୟତ ଜନଗଣନା ତଥ୍ୟ ଆଧାରରେ ସୀମା ନିର୍ଦ୍ଧାରଣ ହୁଏ, ତେବେ ତାମିଲନାଡୁ ଭଳି ରାଜ୍ୟର ସଂସଦୀୟ ପ୍ରତିନିଧିତ୍ୱ ହ୍ରାସ ପାଇପାରେ। ଏହା ସେମାନଙ୍କ ଅଧିକାର ସହ ବୁଝାମଣା କରିବ ଓ ଗଣତନ୍ତ୍ରକୁ କ୍ଷୁଣ୍ଣ କରିବ ବୋଲି ସେ ଜେଏସିରେ ଯୁକ୍ତି ବାଢ଼ିଥିଲେ। ଏହି ବୈଠକରେ କେରଳ, ତେଲେଙ୍ଗାନା ଓ ପଞ୍ଜାବ ସମେତ ଦକ୍ଷିଣର ଅନେକ ରାଜ୍ୟର ନେତାମାନେ ଯୋଗ ଦେଇଥିଲେ। ଜେଏସିର ପରବର୍ତ୍ତୀ ବୈଠକ ହାଇଦ୍ରାବାଦରେ ହେବ ବୋଲି ଷ୍ଟାଲିନ୍ କହିଛନ୍ତି ଏବଂ ସମସ୍ତ ବିରୋଧୀ ଦଳକୁ   ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୋଧରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି।  ଅନ୍ୟପକ୍ଷରେ  ତାମିଲନାଡୁ ବିଜେପି ଏହି ବୈଠକକୁ ତୀବ୍ର ବିରୋଧ କରିଛି ଏବଂ ଷ୍ଟାଲିନଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଦେଶର ସ୍ବାଭାବିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଥିବା କହିଛି। ଡିଏମ୍‌କେ ଦଳ ନିଜର ଦୁର୍ନୀତି ଲୁଚାଇବା ପାଇଁ ଏବେ ନାନା ପ୍ରୟାସ କରୁଛି ଏବଂ ଗୋଟିଏ ପରେ ଗୋଟିଏ ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି ବୋଲି ବିଜେପି କହିଛି।

ଡିଏମ୍‌କେର ପଦକ୍ଷେପ ସମ୍ବିଧାନ ବିରୋଧୀ: ବିଜେପି

ଜେଏସିରେ ପାରିତ ସଂକଳ୍ପନାମା କେନ୍ଦ୍ର ସରକାରଙ୍କ ଦ୍ୱାରା ଯେକୌଣସି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ସ୍ୱଚ୍ଛ ଭାବରେ ସମ୍ପାଦନ କରାଯିବା ଉଚିତ, ଯାହାଦ୍ୱାରା ସମସ୍ତ ରାଜ୍ୟର ରାଜନୈତିକ ଦଳ, ରାଜ୍ୟ ସରକାର ଏବଂ ଅନ୍ୟ ଅଂଶୀଦାରମାନେ ଏଥିରେ ବିଚାରବିମର୍ଶ, ଆଲୋଚନା ଏବଂ ଯୋଗଦାନ କରିପାରିବେ। ୪୨ତମ, ୮୪ତମ ଓ ୮୭ତମ ସମ୍ବିଧାନ ସଂଶୋଧନ ପଛରେ ଆଇନଗତ ଉଦ୍ଦେଶ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା। ତେଣୁ ୧୯୭୧ ଜନଗଣନା ଉପରେ ଆଧାରିତ ସଂସଦୀୟ ନିର୍ବାଚନମଣ୍ଡଳୀକୁ ଆଉ ୨୫ ବର୍ଷ ପର୍ଯ୍ୟନ୍ତ ଫ୍ରିଜ୍‌ କରାଯିବା ଉଚିତ। ଯେଉଁ ରାଜ୍ୟମାନେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିଛନ୍ତି ଏବଂ ଫଳସ୍ୱରୂପ ଯେଉଁମାନଙ୍କର ଜନସଂଖ୍ୟା ହ୍ରାସ ପାଇଛି, ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ସାମ୍ବିଧାନିକ ସଂଶୋଧନ ଆଣିବା ଦରକାର ଏବଂ ସୀମାନିର୍ଦ୍ଧାରଣ ଉପରେ ଆଉ ୨୫ ବର୍ଷ ରୋକ୍‌ ଲଗାଯିବା ଜରୁରି।

ପ୍ରତିନିଧିତ୍ୱ କରୁଥିବା ରାଜ୍ୟଗୁଡ଼ିକର ସାଂସଦମାନଙ୍କୁ ନେଇ ଗଠିତ କୋର୍‌ କମିଟି ଉପରୋକ୍ତ ନୀତି ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କୌଣସି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ପ୍ରତିହତ କରିବା ପାଇଁ ସଂସଦୀୟ ରଣନୀତିର ସମନ୍ୱୟ କରିବ। ଚଳିତ ସଂସଦୀୟ ଅଧିବେଶନ ସମୟରେ ସାଂସଦମାନଙ୍କ କୋର୍‌ କମିଟି ପ୍ରଧାନମନ୍ତ୍ରୀଙ୍କୁ ଉପରୋକ୍ତ ଧାରାରେ ଏକ ମିଳିତ ପ୍ରତିନିଧିତ୍ୱ ପ୍ରଦାନ କରିବେ। ବୈଠକରେ ପ୍ରତିନିଧିତ୍ୱ କରିଥିବା ବିଭିନ୍ନ ରାଜ୍ୟର ରାଜନୈତିକ ଦଳମାନେ ଏହି ପ୍ରସଙ୍ଗରେ ନିଜ ନିଜ ରାଜ୍ୟରେ ଉପଯୁକ୍ତ ବିଧାନସଭା ସଂକଳ୍ପ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିବେ ଏବଂ କେନ୍ଦ୍ର ସରକାରଙ୍କୁ ଜଣାଇବେ। ଜେଏସି ଏକ ସମନ୍ୱିତ ଜନମତ ସଂଗ୍ରହ ରଣନୀତି ମାଧ୍ୟମରେ ଅତୀତ ସୀମା ନିର୍ଦ୍ଧାରଣ ଅଭ୍ୟାସର ଇତିହାସ ଓ ପରିପ୍ରେକ୍ଷୀ ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣର ପରିଣାମ ବିଷୟରେ ନିଜ ନିଜ ରାଜ୍ୟର ନାଗରିକମାନଙ୍କ ମଧ୍ୟରେ ସୂଚନା ପ୍ରସାରିତ କରିବା ପାଇଁ ଆବଶ୍ୟକ ପ୍ରୟାସ କରିବ। ଏହି ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ବିଜୁ ଜନତା ଦଳ ନେତା ସଞ୍ଜୟ କୁମାର ଦାସବର୍ମା ଓ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଟିଏମ୍‌ସି ଏହି ବୈଠକରୁ ନିଜକୁ ଦୂରେଇ ରଖିବା ଚର୍ଚ୍ଚାର ବିଷୟ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button