ଅକ୍ଟୋବର-ଡିସେମ୍ବର ତ୍ରୈମାସ ପାଇଁ ଅଧିକାଂଶ ସ୍ବଳ୍ପ ସଂଚୟ ସ୍କିମର ସୁଧହାର ଅପରିବର୍ତ୍ତିତ – Utkal Mail
ନୂଆଦିଲ୍ଲୀ: ଅକ୍ଟୋବରରୁ ଡିସେମ୍ବର ତ୍ରୟମାସ ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କରିଛନ୍ତି। ସରକାର ୫ ବର୍ଷିଆ ରିକରିଂ ଡିପୋଜିଟ୍ (ଆରଡି) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ତେବେ ଗୋଟିଏ ସ୍କିମ୍ ବ୍ୟତୀତ ଅନ୍ୟ କୌଣସି ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
୫ ବର୍ଷର ଆରଡିର ସୁଧହାର ୨୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ୫ ବର୍ଷର ଆରଡି ଉପରେ ସୁଧ ହାର ୬.୫ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ନୂଆ ଦର ଅକ୍ଟୋବର ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁ ହେବ। ଅନ୍ୟପକ୍ଷରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସସିଏସଏସ), ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନଏସସି), ପିପିଏଫ, କିଷାନ ବିକାଶ ପତ୍ର (କେଭିପି) ଏବଂ ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ)ରେ ନିବେଶ ସୁଧ ଅର୍ଜନ ଜାରି ରଖିବ ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ସଞ୍ଚୟ ଜମା ଉପରେ ୪ ପ୍ରତିଶତ ଏବଂ ଏକ ବର୍ଷର ମିଆଦୀ ଜମା ଉପରେ ୬.୯ ପ୍ରତିଶତ ସୁଧ ପୂର୍ବଭଳି ଉପଲବ୍ଧ ରହିବ। ୨ ବର୍ଷ ଓ ୩ ବର୍ଷର ମିଆଦୀ ଜମା ଉପରେ ସୁଧ ହାର ୭ ପ୍ରତିଶତ ଥିବା ବେଳେ ୫ ବର୍ଷର ମିଆଦୀ ଜମା ଉପରେ ସୁଧ ହାର ୭.୫ ପ୍ରତିଶତ ରହିଛି। ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୮.୨ ପ୍ରତିଶତ ସୁଧ ମିଳିବ। ଏମ୍ଆଇଏସ୍ ସ୍କିମ୍ ରେ ସୁଧ ହାର ୭.୪ ପ୍ରତିଶତ ଥିବା ବେଳେ ଏନ୍ ଏସ୍ ସି ସ୍କିମ୍ ଉପରେ ୭.୭ ପ୍ରତିଶତ ଓ ପିପିଏଫ୍ ସ୍କିମ୍ ଉପରେ ୭.୧ ପ୍ରତିଶତ ରହିଛି। କେଭିପି ଉପରେ ସୁଧ ହାର ୭.୫ ପ୍ରତିଶତ ରହିଛି ଏବଂ ଏହା ୧୧୫ ମାସ ମଧ୍ୟରେ ପରିପକ୍ୱ ହେବ। ସୁକନ୍ୟା ସମୃଦ୍ଧି ଆକାଉଣ୍ଟର ସୁଧ ହାର ୮ ପ୍ରତିଶତକୁ ବଜାୟ ରଖାଯାଇଛି।