ଦେଶ ବିଦେଶ

ୟୁନୁସଙ୍କୁ ହସିନାଙ୍କ ଚେତାବନୀ: ‘ଯଦି ଆପଣ ନିଆଁ ସହ ଖେଳନ୍ତି…’

ନୂଆଦିଲ୍ଲୀ: ବାଂଲାଦେଶର ବହିଷ୍କୃତ ନେତା ଶେଖ୍ ହସିନା ରବିବାର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ତାଙ୍କୁ ‘ଆତ୍ମକେନ୍ଦ୍ରିକ ଋଣ ଶାର୍କ’ ବୋଲି ଆଖ୍ୟା ଦେଇଛନ୍ତି, ଯିଏ କି ତାଙ୍କ କ୍ଷମତା ଲୋଭ ମେଣ୍ଟାଇବା ପାଇଁ ବିଦେଶୀ ଖେଳାଳିଙ୍କ ସହ ଦେଶର ପତନ ପାଇଁ ଷଡ଼ଯନ୍ତ୍ର କରିଥିଲେ। ଆଠ ମିନିଟ୍‌ର ଭର୍ଚୁଆଲ୍ ଭାଷଣରେ ଛାତ୍ର ବିକ୍ଷୋଭକାରୀ ଅବୁ ସୟିଦଙ୍କୁ କ’ଣ ପାଇଁ ହତ୍ୟା କରାଗଲା ସେ ନେଇ ମଧ୍ୟ ସେ ସନ୍ଦେହ ପ୍ରକଟ କରିଥିଲେ।

ଗତ ଅଗଷ୍ଟ ମାସରେ ନିଜ ଜୀବନ ଭୟରେ ଭାରତ ପଳାଇ ଆସିଥିବା ହସିନା କିଛି ଦିନ ତଳେ ବାଂଲାଦେଶ ଫେରିବାକୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ କିଛି ଭଲ କାରଣ ପାଇଁ ଆଲ୍ଲା ତାଙ୍କୁ ବଞ୍ଚାଇ ରଖିଛନ୍ତି। ସେ ରବିବାର ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରି ୟୁନୁସ୍ ବାଂଲାଦେଶର ଇତିହାସ, ବିଶେଷକରି ଦେଶର ସ୍ୱାଧୀନତା ସଂଗ୍ରାମରେ ଆୱାମୀ ଲିଗ୍‌ର ଅବଦାନ ସହିତ ଜଡ଼ିତ ଇତିହାସକୁ ଲୋପ କରିଥିବା ଅଭିଯୋଗ କରିଛନ୍ତି। ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନର ସମସ୍ତ ସଙ୍କେତ ହଟାଇ ଦିଆଯାଉଛି। ମୁକ୍ତି ଯୋଦ୍ଧାଙ୍କୁ ଅପମାନିତ କରାଯାଉଛି। ସେମାନଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆମେ ସବୁ ଜିଲ୍ଲାରେ ମୁକ୍ତି ଯୋଦ୍ଧା କମ୍ପ୍ଲେକ୍ସ ନିର୍ମାଣ କରିଥିଲୁ, କିନ୍ତୁ ସେଗୁଡ଼ିକୁ ଜାଳି ଦିଆଯାଉଛି। ସେ ୟୁନୁସଙ୍କୁ ଚେତାବନୀ ଦେଇ କହିଥିଲେ, ଯଦି ଆପଣ ନିଆଁ ସହ ଖେଳନ୍ତି, ତେବେ ଏହା ଆପଣଙ୍କୁ ମଧ୍ୟ ପୋଡ଼ି ପକାଇବ। ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେବାର ୭ ମାସ ପରେ ସେ ବାଂଲାଦେଶକୁ ଧ୍ୱଂସ କରିବାକୁ ଚାହୁଥିବା ଏକ ବିଦେଶୀ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଦାବି ଦୋହରାଇଥିଲେ।

ଅସୁସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ନେତୃତ୍ୱରେ ବିଏନ୍‌ପି ହେଉଛି ଆୱାମୀ ଲିଗ୍‌ର ଏକମାତ୍ର ପ୍ରମୁଖ ରାଜନୈତିକ ବିକଳ୍ପ ଯାହା ଅତୀତରେ ହସିନାଙ୍କୁ ହଟାଇବାରେ ସଫଳ ହୋଇଥିଲା। ହସିନାଙ୍କ ବହିଷ୍କାର ଗତ ବର୍ଷ ବିଏନ୍‌ପିକୁ କ୍ଷମତାକୁ ଫେରିବା ପାଇଁ ଉତ୍ସାହିତ କରିଥିଲା, କିନ୍ତୁ ଅସୁସ୍ଥତା କାରଣରୁ ଜିଆଙ୍କ ପାଇଁ ପ୍ରତ୍ୟାବର୍ତ୍ତନର ସମ୍ଭାବନା ନାହିଁ। ଗତକାଲି ଢାକାରେ ନୂଆ ଗିରଫ ପରୱାନା ଜାରି ପରେ ହସିନା କହିଛନ୍ତି ଯେ ଆୱାମୀ ଲିଗ୍ ଶାସନର ଅନ୍ତ ବାଂଲାଦେଶକୁ ଏକ ଶିଳ୍ପ ଝଟ୍‌କା ଦେଇଛି। ଏହାପରେ ହଜାର ହଜାର କାରଖାନା ବନ୍ଦ ହୋଇଯାଇଥିବା ବେଳେ ଆୱାମୀ ନେତାଙ୍କ ସହ ଜଡ଼ିତ କାରଖାନା ଜଳି ଯାଇଛି। ଶିଳ୍ପ ଶେଷ ହେଉଛି। ହୋଟେଲ, ହସ୍ପିଟାଲ, ସବୁ କିଛି ନଷ୍ଟ ହେଉଛି ବୋଲି ସେ କହିଛନ୍ତି। ଭଙ୍ଗାରୁଜାକାରୀଙ୍କ ମୃତ୍ୟୁ ପାଇଁ ଆୱାମୀ ଲିଗ୍ ନେତାଙ୍କୁ ଫସାଇ ଦିଆଯାଉଛି। ଯେଉଁମାନେ ଥାନାରେ ନିଆଁ ଲଗାଇ ପୁଲିସକୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ ହେଉନାହିଁ। ଆୱାମୀ ଲିଗ୍ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଆମ ନେତାମାନେ ଘରେ ରହିପାରୁନାହାନ୍ତି, ସବୁ କିଛି ନଷ୍ଟ ହୋଇଯାଇଛି। ୟୁନୁସ୍ ଏହାର ପରିଣାମ ବିଷୟରେ ଭଲ ଭାବରେ ଅବଗତ ଥିଲେ ମଧ୍ୟ ସେ କ୍ଷମତା ଭୋକରେ ପରିଚାଳିତ ବୋଲି ହସିନା କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button