କ୍ରାଇମ

ଭୁବନେଶ୍ବରରୁ ‘ସୁଇଜରଲାଣ୍ଡ ସୁନା ବିସ୍କୁଟ’ ଜବତ: ବ୍ୟବସାୟୀଙ୍କୁ ଗିରଫ କଲା ଡିଆର୍‌ଆଇ – Utkal Mail


ଦେଢ଼କୋଟି ଟଙ୍କାର ଅଢ଼େଇ କିଲୋ ସୁନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ବିପୁଳ ପରିମାଣର ଚୋରା ସୁନା ବିସ୍କୁଟ ଜବତ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)। ଜଣେ ବ୍ୟବସାୟୀଙ୍କ ଘରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରାଯାଇଛି। ଜବତ ସୁନା ୨୪ କ୍ୟାରେଟ୍ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଜବତ ସୁନାରୁ ଅଧିକାଂଶ ସୁଇଜରଲାଣ୍ଡର ହୋଇଥିବା ବେଳେ ସିଙ୍ଗାପୁର, ଦୁବାଇର ମଧ୍ୟ ରହିଥିବା ଜଣାପଡ଼ିଛି। ଗିରଫ ବ୍ୟବସାୟୀଙ୍କ ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି ଏକାଧିକ ସ୍ଥାନରେ ଡିଆରଆଇ ପକ୍ଷରୁ ଚଢ଼ଉ କରାଯାଇଛି। ବ୍ୟବସାୟୀଙ୍କୁ ଗିରଫ ପରେ ଜେଲ୍ ପଠାଇ ଦିଆ ଯାଇଥିବା ଡିଆରଆଇ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟବସାୟୀଙ୍କ ବିରୋଧରେ କଷ୍ଟମ ଆଇନ-୧୯୬୨ରେ ମାମଲା ରୁଜୁ ହୋଇଛି। ଏହା ପଛରେ ଏକ ବଡ଼ଧରଣର ରୢାକେଟ୍ କାମ କରୁଥିବା ଡିଆରଆଇ ଜାଣିବାକୁ ପାଇଛି। ରୢାକେଟର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିବାରୁ ବ୍ୟବସାୟୀଙ୍କ ନାଁ, ଗିରଫ କରାଯାଇଥିବା ସ୍ଥାନ ସବୁ କିଛି ଗୋପନ ରଖାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଡିଆରଆଇ ପକ୍ଷରୁ ସୂଚନା ଦିଆଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସୁନା ବିସ୍କୁଟ ଦୁବାଇରୁ ବାଂଲାଦେଶ ଦେଇ ଭୁବନେଶ୍ବରକୁ ଅଣା ଯାଇଥିବା ସନ୍ଦେହ କରାଯାଉଛି। ସୁନା ଚାଲାଣ କରୁଥିବା ଏଜେଣ୍ଟ ବ୍ୟବସାୟୀଙ୍କ ଘରେ ଏହି ବିସ୍କୁଟ ପହଞ୍ଚାଇଥିଲେ। ସୁନା ଚାଲାଣ କରୁଥିବା ଏଜେଣ୍ଟମାନେ କିଏ? କେବଳ ଏତିକି ସୁନା ଚାଲାଣ କରିଛନ୍ତି ନା ଆହୁରି କେତେ? କେବଳ ସେହି ବ୍ୟବସାୟୀ ନା ଆଉ କେତେ ଜଣ ଚୋରା ସୁନା ଚାଲାଣରେ ସମ୍ପୃକ୍ତ ଅଛନ୍ତି? ଏହି ନେଟଵର୍କରେ ଆଉ କେଉଁମାନେ ରହିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ଡିଆରଆଇ। ପ୍ରାୟ ୪ ବର୍ଷ ହେଲା ସୁପ୍ତ ଅବସ୍ଥାରେ ରହିଥିବା ଡିଆରଆଇର ସକ୍ରିୟ ହେବାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ନିୟମିତ ଚୋରା ସୁନା ଚାଲାଣ ହେଉଥିବା ବେଳେ ୪ ବର୍ଷ ହେଲା ଡିଆରଆଇ ପକ୍ଷରୁ କୌଣସି ଚଢ଼ଉ କରା ଯାଇ ନ ଥିଲା। ଦେଶବ୍ୟାପୀ ଚଢ଼ଉ ଜାରି ରହିଥିବା ବେଳେ ପୂର୍ବରୁ ଧରା ପଡ଼ିଥିବା ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇ ଏହି ଚଢ଼ଉ କରା ଯାଇଥିବା ଅନୁମାନ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ରେ ଡିଆର୍‌ଆଇ ରାଉରକେଲାଠାରେ କୋଲକାତା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button