ଦେଶ ବିଦେଶ

ହାଫିଜ୍‌ ସୟିଦ୍‌ର ସୁରକ୍ଷା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ: ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସୟିଦ୍‌ର ଘନିଷ୍ଠ ସହଯୋଗୀ ଅବୁ କାତାଲ ହତ୍ୟାର ଶିକାର ହେବା ପରେ ପାକିସ୍ତାନ ୨୬/୧୧ ଷଡ଼ଯନ୍ତ୍ରକାରୀ ହାଫିଜ୍‌ର ସୁରକ୍ଷା ବଢ଼ାଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ଜଣାପଡ଼ିଛି। ଲସ୍କର-ଏ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ କାତାଲ ଉପରକୁ ଶନିବାର ପାକିସ୍ତାନରେ ୧୫ରୁ ୨୦ ରାଉଣ୍ଡ ଗୁଳି ମାଡ଼ କରାଯାଇଥିଲା।

ଘଟଣାସ୍ଥଳରେ ତା’ର ଜଣେ ସୁରକ୍ଷା କର୍ମୀର ମଧ୍ୟ ମୃତ୍ୟୁ ଘଟିଥିଲା। ସୟିଦ୍‌ର ସବୁଠାରୁ ବିଶ୍ୱସ୍ତ ୪୩ ବର୍ଷୀୟ ରେହମାନ ଜମ୍ମୁ-କାଶ୍ମୀରରେ ରିଆସି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ଭାରତୀୟ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାଫିଜ୍ ସୟିଦ୍‌ର ପୁଅ ତାଲହା ସୟିଦ୍‌ର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ତାକୁ ଆକ୍ରମଣର ଟାର୍ଗେଟ କରାଯାଇଥିଲା। ହାଫିଜ୍‌ ସୟିଦ୍‌ ପାକିସ୍ତାନରେ ବାରମ୍ବାର ଆକ୍ରମଣର ଟାର୍ଗେଟରେ ରହିଛି। ୨୦୨୧ ମସିହାରେ ଲାହୋରରେ ଥିବା ତା’ ଆଶ୍ରୟସ୍ଥଳୀ ନିକଟରେ ଏକ ଆତ୍ମଘାତୀ ବିସ୍ଫୋରଣରୁ ସେ ଅଳ୍ପକେ ବଞ୍ଚିଯାଇଥିଲା। ୨୦୨୩ ମସିହାରେ ଲସ୍କରର ଦୁଇ ଜଣ ଶୀର୍ଷ କମାଣ୍ଡୋ ହାଞ୍ଜଲା ଅଦନାନ ଓ ହାଫିଜ୍ ସୟିଦ୍‌ର ଘନିଷ୍ଠ ରିୟାଜ୍ ଅହମଦ ଓରଫ ଅବୁ କାସିମକୁ ମଧ୍ୟ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ନିକଟରେ ହାଫିଜ୍ ସୟିଦ୍‌ର ଅନେକ ଘନିଷ୍ଠ ସହଯୋଗୀଙ୍କୁ ଟାର୍ଗେଟ କରି ଏକାଧିକ ଆକ୍ରମଣ ହେବା ପରେ ଲସ୍କର ଶିବିରରେ ଆତଙ୍କ ଖେଳିଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button