ଦେଶ ବିଦେଶ

ଢାକା ଅଶାନ୍ତ, ହାଇଆଲର୍ଟରେ ସେନା

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ବିଭିନ୍ନ ଚରମପନ୍ଥୀ ଇସ୍‌ଲାମିକ ସଙ୍ଗଠନ ପକ୍ଷରୁ ଭାରତ ବିରୋଧୀ ବିକ୍ଷୋଭ ଓ ଶୋଭାଯାତ୍ରାକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଇସ୍‌ଲାମିକ ସଂଗଠନ ଭାରତ ବିରୋଧୀ ସ୍ଲୋଗାନ ଦେଇ ଲୋକଙ୍କୁ ଉତ୍ତେଜିତ କରିବା ସହ ହିନ୍ଦୁ ବିରୋଧୀ ହିଂସା ପାଇଁ ବାତାବରଣ ସୃଷ୍ଟି କରିଥିବାରୁ ଏବେ ବାଂଲାଦେଶ ସେନା ହାଇଆଲର୍ଟରେ ରହିଛି ଏବଂ ସମଗ୍ର ଢାକାରେ ଅଭିଯାନ ଜୋରଦାର କରିଛି। ପାଲେଷ୍ଟାଇନରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଭାରତରେ ମୁସଲମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି କେତେକ ଗୋଷ୍ଠୀ ହିଂସା ଭିଆଇବା ପାଇଁ ମସୁଧା କରୁଥିବା ଜଣାପଡ଼ିବା ପରେ ଏଭଳି ସ୍ଥିତିକୁ ରୋକିବା ପାଇଁ ସେନା ତତ୍ପରତା ଦେଖାଇଛି।

ସମ୍ଭାବ୍ୟ ହିଂସାକୁ ଆକଳନ କରି ସେନା ସମେତ ଆଇନ ପ୍ରଣୟନକାରୀ ଏଜେନ୍ସିମାନେ ପରିସ୍ଥିତି ଉପରେ ଅହରହ ନଜର ରଖିଛନ୍ତି। ଢାକାର ବିଭିନ୍ନ ରାସ୍ତା ଓ ଗଳିକନ୍ଦିରେ ସେନା ପାଟ୍ରୋଲିଂ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଗତକାଲିଠାରୁ ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାମପୁରା, ଶାନ୍ତିନଗର, କାକରାଇଲ, ନ୍ୟାସନାଲ ପ୍ରେସ୍ କ୍ଲବ୍ ଅଞ୍ଚଳ, ବାଇତୁଲ ମୁକରମ୍, ମୋହଖାଲି, ବିଜୟ ସରଣୀ, ଗୁଲସନ ଓ ଖିଲଖେତ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବାଂଲାଦେଶ ସୈନିକ ଚେକ୍‌ପୋଷ୍ଟ ସ୍ଥାପନ କରିଛନ୍ତି। ବାଂଲାଦେଶରେ ‘ଇଣ୍ଡିଆ ଆଉଟ୍’ ଅଭିଯାନକୁ ବ୍ୟାପକ ରୂପ ଦେବାକୁ ପ୍ରୟାସ କରୁଥିବା ମୌଳବାଦୀ ସଂଗଠନଗୁଡ଼ିକ ଏବେ ସେନା ବିରୋଧରେ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ କରିଛନ୍ତି। ବାଂଲାଦେଶ ସେନା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଏଭଳି ଗୋଷ୍ଠୀର କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ନେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button